ଭୁବନେଶ୍ୱର: ଗତ ୧୬ ଦିନ ଧରି ଏମସ୍ ଆଇସିୟୁରେ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବି ଗୁରୁତର ଅଛି । ତାଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିଲେ ମଧ୍ୟ ସଂକ୍ରମଣରୁ ମୁକ୍ତ ହୋଇନାହାନ୍ତି । ଫୁସଫୁସ୍ ସଂକ୍ରମଣ ଯୋଗୁଁ ତାଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ଭେଣ୍ଟିଲେଟରରେ ଅଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏମସ ଓ ଏସସିବି ଡାକ୍ତରଙ୍କ ସହ ଶ୍ରୀ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚନା କାଳରେ ଡାକ୍ତରମାନେ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ତଥ୍ୟ ଅବଗତ କରାଇଥିଲେ । ତାଙ୍କୁ ଆରୋଗ୍ୟ କରିବା ପାଇଁ ଯଥାସାଧ୍ୟ ଉଦ୍ୟମ କରାଯାଉଥିବା ଡାକ୍ତରମାନେ ଜଣାଇଥିଲେ ।
ସୂଚନାଥାଉକି ଶ୍ରୀ ନାୟକଙ୍କ ଚିକିତ୍ସା ପାଇଁ ଏମସ ଓ ଏସସିବିର ଏକ ଡାକ୍ତରୀ ଦଳ ନିୟୋଜିତ ହୋଇଛନ୍ତି ।
ଶ୍ରୀ ନାୟକଙ୍କ ଚିକିତ୍ସାରେ ବିଶେଷକରି କ୍ରିଟିକାଲ୍ ଔଷଧ ଯୋଗାଇ ଦେବାରେ ରାଜ୍ୟ ସରକାରଙ୍କ ସହଯୋଗ ପାଇଁ ଏମସ୍ ନିଦେ୍ର୍ଦଶିକା ଡାକ୍ତର ଗୀତାଞ୍ଜଳି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଅନ୍ୟପକ୍ଷରେ ଡାକ୍ତରମାନଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ଶ୍ରୀ ନାୟକଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଏଥିପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।