ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ସ୍ତରରେ ଆଜି ଅଚାନକ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ହଟାଇ ତାଙ୍କ ଜାଗାରେ ସଞ୍ଜୟ କୁମାର ସିଂହଙ୍କୁ ନିଯୁକ୍ତି ଦିଆଯାଇଛି । ବିଏମସି କମିଶନର ପଦ ସହ ବିଡ଼ିଏ ଉପାଧ୍ୟକ୍ଷ ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ସିଇଓ ପଦରୁ ମଧ୍ୟ ପ୍ରେମଚନ୍ଦ୍ରଙ୍କୁ ହଟାଇ ଦିଆଯାଇଛି । ସଞ୍ଜୟ ସିଂହଙ୍କୁ ଅତିରିକ୍ତ ଭାବେ ଏହି ଦାୟିତ୍ୱ ଦିଆଯାଇଛି । ଶ୍ରୀ ଚୌଧୁରୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି ।
ଶ୍ରୀ ସିଂହଙ୍କ ହାତରେ ଥିବା ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ହେମନ୍ତ ଶର୍ମାଙ୍କୁ ଦିଆଯାଇଛି । ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ରୀ ଶର୍ମା ଇପିକଲ୍ ଅଧ୍ୟକ୍ଷର ଅତିରିକ୍ତ ଦାୟିତ୍ୱ ସହ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ ।
ସେହିଭଳି ଶ୍ରୀ ସିଂହଙ୍କ ହାତରେ ଅତିରିକ୍ତ ଦାୟିତ୍ୱ ଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ବିଷ୍ଣୁପଦ ସେଠୀଙ୍କୁ ଦିଆଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ଥିବା ଶ୍ରୀ ସେଠୀ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ଡ. କ୍ରିଷନ୍ କୁମାରଙ୍କୁ ଇଡକୋ ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଡ. କୁମାର ଏବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ସମ୍ଭାଳୁଛନ୍ତି । ବିଏମସି କମିଶନର ଭାବେ ନିଯୁକ୍ତ ସଞ୍ଜୟ ସିଂ ପୂର୍ବରୁ ଇଡକୋ ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱରେ ଥିଲେ ।