ଭୁବନେଶ୍ୱର: ତାଜା ହୋଇଛି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସ୍ମୃତି । ଅବହେଳିତ ହୋଇ ପଡ଼ିଥିବା ଉତ୍କଳମଣିଙ୍କ ଜନ୍ମମାଟି ନୂଆ ରୂପ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେ ଶ ଏବଂ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୁରୀ ଜିଲ୍ଲା ସୁଆଣ୍ଡୋ ଜନ୍ମପୀଠର ବିକଶିତ ହୋଇଛି । ମୁଖ୍ୟମନ୍ତ୍ରୀ ଆଜି ଏହାକୁ ଲୋକାର୍ପିତ କରିଛନ୍ତି । ସମସ୍ତ ପଞ୍ଚସଖାଙ୍କ ଜନ୍ମପୀଠର ବିକାଶ କରାଯିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଗୋପବନ୍ଧୁଙ୍କ ଏନ୍ତୁଡ଼ିଶାଳ ଷଠି ଘର ସମେତ ପୂଣ୍ୟାତ୍ମାଙ୍କ ସ୍ମୃତି ବହନ କରୁଥିବା ସବୁ ଜାଗାର ବିକାଶ ହୋଇଛି । ୨୫ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ଏହି ବିକାଶ କାର୍ଯ୍ୟ ସମ୍ପନ୍ନ ହୋଇଛି । ଏଥିରେ ରହିଛି ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହର ଗାଁ ରାସ୍ତା, ଜନ୍ମପୀଠ ପରିକ୍ରମା ରାସ୍ତା, ସୂଚନା କେନ୍ଦ୍ର, ଗୋପବନ୍ଧୁଙ୍କ ଜୀବନଚର୍ଯ୍ୟାକୁ ନେଇ ପ୍ରସ୍ତୁତ ସ୍ମୃତି ସଂଗ୍ରହାଳୟ, ଶିଶୁପାର୍କ, ଉକ୍ରଳମଣିଙ୍କର ପ୍ରାୟ ୧୫ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି । ଉତ୍କଳମଣିଙ୍କ ଜନ୍ମପୀଠର ଏହି ପୁନଃବିକାଶ କାର୍ଯ୍ୟ ସୁଆଣ୍ଡୋକୁ ନୂଆ ପରିଚୟ ଦେଇଛି ।

ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୋପବନ୍ଧୁ ଥିଲେ ଜଣେ ଯୁଗପୁରୁଷ । ଓଡିଆ ଜାତି ତାଙ୍କ ନିକଟରେ ସବୁବେଳେ ଋଣୀ । ତାଙ୍କ ସ୍ମୃତି ରକ୍ଷା ପାଇଁ ଯେତେ ଯାହା କଲେ ବି, କମ୍ ହେବ। ୫-ଟି ଉପକ୍ରମରେ ଓଡିଶାର ବରପୁତ୍ର ମାନଙ୍କ ଜନ୍ମପୀଠର ବିକାଶ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଉତ୍କଳ ଗୌରବ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ସହିଦ ଲକ୍ଷ୍ମଣ ନାୟକ ଏବଂ ଆହୁରି ଅନେକ ମହାପୁରୁଷଙ୍କ ତ୍ୟାଗ ଓ ସାଧନା ଓଡିଶାର ଗୌରବ ବଢାଇଛି ବୋଲି ସେ କହିଥିଲେ ।

ଗୋପବନ୍ଧୁଙ୍କ ସ୍ମୃତି ଚାରଣ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଉତ୍କଳମଣି ଥିଲେ ମାନବ ସମାଜର ମଣି । ତାଙ୍କ ତ୍ୟାଗ, ଦେଶଭକ୍ତି, ସେବା ଓ ଜାତିପ୍ରୀତିର ତୁଳନା ନାହିଁ । ସ୍ୱାଧୀନତା ସଂଗ୍ରାମରୁ ଆରମ୍ଭ କରି ଓଡିଶାର ଶିକ୍ଷା, ସାହିତ୍ୟ ସଂସ୍କୃତି, ରାଜନୀତି, ସେବା ଓ ମାନବିକତାର ନୂଆ କାର୍ତ୍ତୀ ସ୍ଥାପନ କରିଯାଇଛନ୍ତି । ଓଡିଶାରେ ଜାତୀୟବାଦୀ ଚେତନାର ବିକାଶରେ ସେ ଥିଲେ କର୍ଣ୍ଣଧାର । ଭୋଗ ନୁହେଁ, ତ୍ୟାଗ ହିଁ ମହାନ, ସେବା ହିଂ ଶ୍ରେଷ୍ଠ – ଏହା ହିଁ ହେଉଛି ଗୋପବନ୍ଧୁଙ୍କ ଜୀବନର ବର୍ତ୍ତା । ସେ ସବୁବେଳେ ଆମ ପାଇଁ ପ୍ରେରଣା ହୋଇ ରହିଛନ୍ତି ଓ ରହିଥିବେ । ଗୋପବନ୍ଧୁଙ୍କ ‘ଭାର୍ଗବୀ ସଂକଳ୍ପ’କୁ ଜୀବନର ବ୍ରତ କରି ଏକ ନୂଆ ଓ ସଶକ୍ତ ଓଡିଶା ଗଠନ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ।

ଗୋପବନ୍ଧୁଙ୍କ ଜନ୍ମ ମାଟିର ବିକାଶ ରେ ମୁଖ୍ୟମନ୍ତ୍ରୀ ଏଥିପାଇଁ ଉତ୍କଳମଣିଙ୍କ ପରିବାର ଓ ସୁଆଣ୍ଡୋଙ୍କ ଜନସାଧାରଣଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ । ଏହାସହିତ ରାଜ୍ୟ ସଂସ୍କୃତି ବିଭାଗ ଓ ପୁରୀ ଜିଲ୍ଲା ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଦେଇଥିଲେ । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ପୂର୍ବତନ ଜିଲ୍ଲାପାଳ ବଲବନ୍ତ ସିଂହଙ୍କ ଉଦ୍ୟମର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଗୋପବନ୍ଧୁଙ୍କ ନାତି ଧିରେନ୍ଦ୍ର କୁମାର ଦାସ, ଉତ୍କଳମଣୀଙ୍କ ଜନ୍ମପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହାଦ୍ୱାରା ରାଜ୍ୟରେ ମହାପୁରୁଷ ମାନଙ୍କ ମାର୍ଗରେ ଚାଲିବାକୁ ଜନସାଧାରଣ ପ୍ରେରିତ ହେବେ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର, କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ,ସାଂସଦ ପିନାକୀ ମିଶ୍ର, ବିଧାୟକ ଉମାକାନ୍ତ ସାମସ୍ତରାୟ ସମାଜ ଖବରକାଗଜ ପକ୍ଷରୁ ନିରଞ୍ଜନ ରଥ ଭାଷଣ ଦେଇଥିଲେ ।








