ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶରୁ ଆଜି ବିଦାୟ ନେଇଛନ୍ତି ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଉଚ୍ଛସ୍ୱିତ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ତେବେ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ବିଦାୟୀ ରାଜ୍ୟପାଳଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିବା ସମସ୍ତଙ୍କୁ ଅଭିଭୂତ କରିଛି । ଏହାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।
ରାଜଭବନରୁ ଶ୍ରୀ ହରିଚନ୍ଦନଙ୍କୁ ବିଦାୟ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡୀ ନିଜେ ତାଙ୍କ ସହ ବିମାନବନ୍ଦର ପର୍ଯ୍ୟନ୍ତ ଆସିଥିଲେ । ସେଠାରେ ବିଦାୟୀ ରାଜ୍ୟପାଳଙ୍କ ପାଦ ଛୁଇଁ ମୁଖ୍ୟମନ୍ତ୍ରୀ ମୁଣ୍ଡିଆ ମାରିଥିଲେ ଏବଂ ତାଙ୍କର ଆର୍ଶୀବାଦ ନେଇଥିଲେ । ଏହି ଦୃଶ୍ୟ ସେଠାରେ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା । ମୁଖ୍ୟମନ୍ତ୍ରୀ ଜଗନ୍ ଙ୍କର ମହାନ୍ ବ୍ୟକ୍ତିତ୍ୱ ଓ ସରଳତାକୁ ସବୁଆଡୁ ପ୍ରଶଂସା କରାଯାଉଛି ।
ଏହାପୂର୍ବରୁ ବିଦାୟୀ ରାଜ୍ୟପାଳ ବିଦାୟ ସମ୍ବର୍ଦ୍ଧନାର ଉତ୍ତରରେ ଆନ୍ଧ୍ରପ୍ରଦେଶକୁ କେବେ ବି ଭୁଲିପାରିବେ ନାହିଁ ବୋଲି କହିଥିଲେ । ଆନ୍ଧ୍ରପ୍ରଦେଶକୁ ତାଙ୍କର ଦ୍ୱିତୀୟ ଘର ବୋଲି କହିଥିଲେ ।
ସୂଚନାଯୋଗ୍ୟ ଯେ ଓଡ଼ିଶାର ବରିଷ୍ଠ ବିଜେପି ନେତା, ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ୨୦୧୯ ମସିହାରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ । ନିକଟରେ ତାଙ୍କୁ ଛତିଶଗଡ଼ ରାଜ୍ୟପାଳ ଭାବେ ବଦଳି କରାଯାଇଛି । ଆସନ୍ତାକାଲି ସେ ଛତିଶଗଡ଼ ରାଜ୍ୟପାଳ ଭାବେ ଶପଥ ନେବେ ।