ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ବିବୃତି ରଖିଛନ୍ତି । ଗୃହକୁ ଆଶ୍ୱାସନା ଦେଇଛନ୍ତି କି ଏହି ମାମଲାର ତଦନ୍ତରେ କୌଣସି ଦିଗକୁ ଛଡ଼ାଯିବ ନାହିଁ । ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ ଭାରତ ଓ ଭାରତ ବାହାରର ଶ୍ରେଷ୍ଠ ଫୋରେନସିକ୍ ବିଶେଷଜ୍ଞଙ୍କର ସହଯୋଗ ନିଆଯାଉଛି । ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ଅଭିଯୁକ୍ତର ଆଚାର ବ୍ୟବହାର ବିଶ୍ଲେଷଣ ପାଇଁ ଆମେରିକାର ଫେଡେରାଲ୍ ବୁ୍ୟରୋ ଅଫ ଇନଭେଷ୍ଟିଗେସନ୍ ର ସହାୟତା ନିଆଯାଇଛି । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟକୁ ଏଥିରେ ସହଯୋଗ ପାଇଁ ଅନୁରୋଧ କରାଯାଇଥିବା ମୁଖ୍ୟମନ୍ତ୍ରୀ ଗୃହକୁ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ନବ ଦାସଙ୍କ ମୃତ୍ୟୁ ଘଟଣା ମୋତେ ବହୁତ କଷ୍ଟ ଓ ବ୍ୟଥିତ କରିଛି । ଆମେ ଜଣେ କ୍ୟାବିନେଟ୍ ସହଯୋଗୀଙ୍କୁ ହରାଇଛୁ । ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ସେ ଅଙ୍ଗୀକାରବଦ୍ଧ ଥିଲେ । ଜାନୁଆରୀ ୨୯ ତାରିଖ ଦିନ ୧୨ଟା ୩୫ରେ ପୁଲିସ ଏଏସଆଇ ଗୋପାଳ ଦାସ ନିଜ ସର୍ଭିସ୍ ରିଭଲଭର୍ ରୁ ତାଙ୍କୁ ଗୁଳି କରିଥିଲେ । ତାଙ୍କୁ ବଞ୍ଚାଇବା ପାଇଁ ବହୁତ ଉଦ୍ୟମ କରାଯାଇଥିଲେ ବଞ୍ଚାଇ ହେଲାନି ।
ଏହି ମାମଲାର ତଦନ୍ତ ଭାର ତୁରନ୍ତ କ୍ରାଇମବ୍ରାଞ୍ଚ କୁ ଦିଆଯାଇଛି । ତଦନ୍ତରେ ସ୍ୱଚ୍ଛତା ପାଇଁ ରାଜ୍ୟ ସରକାର ମାନ୍ୟବର ହାଇକୋର୍ଟଙ୍କୁ ଚିଠି ଲେଖି ଜଣେ ସିଟିଂ କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କୁ ମନିଟରିଂ ଦାୟିତ୍ୱ ଦେବା ପାଇଁ ଅନୁରୋଧ କରିଥିଲେ । ମାନ୍ୟବର ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେ.ପି.ଦାସଙ୍କୁ ମନୋନୀତ କରିଛନ୍ତି ।
ମାମଲାର ସତ୍ୟାସତ୍ୟ ବାହାର ପାଇଁ ସବୁ ଦିଗରୁ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି । କ୍ରାଇମବ୍ରାଞ୍ଚ ଏ ଦିଗରେ ଆଗକୁ ଯାଇଛି । ରାଜ୍ୟ ଫୋରେନସିକ ଲାବରେଟୋରି, କେନ୍ଦ୍ରୀୟ ଫୋରେନସିକ୍ ଲାବ୍ ଏବଂ ଗୁଜୁରାଟ ରାଜ୍ୟ ଫୋରେନସିକ ସାଇନ୍ସ ଲାବ୍ ଓଡ଼ିଶା କ୍ରାଇମବ୍ରାଞ୍ଚକୁ ସହାୟତା ଦେଉଛନ୍ତି । ଫୋରେନସିକ ଏବଂ ନାର୍କୋ ଟେଷ୍ଟଠାରୁ ଆରମ୍ଭ କରି ଅଭିଯୁକ୍ତ ଗୋପାଳ ଦାସର ବିଜ୍ଞାନସମ୍ମତ ସବୁ ପ୍ରକାରର ପରୀକ୍ଷା ନିରୀକ୍ଷା କରାଯାଇଛି ।
ତେବେ ଏହି ଜଘନ୍ୟ ଓ ସମ୍ବେଦନଶୀଳ ଘଟଣାକୁ ଯେଭଳି ରାଜନୀତିକରଣ କରାଯାଇଛି ତାହା ମୋତେ ଅତ୍ୟନ୍ତ ମର୍ମାହତ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଖାଲି ସେତିକି ନୁହେଁ, ନିରାଧାର ଏବଂ ଉଦ୍ଦେଶ୍ୟମୂଳକ ଅଭିଯୋଗ ମଧ୍ୟ ଅଣାଯାଉଛି । ଯାହାକି ଆହୁରି ବ୍ୟଥିତ କରୁଛି । ବିଚାର ବିଭାଗର ତତ୍ତ୍ୱାବଧାନରେ ମାମଲାର ତଦନ୍ତ ଚାଲିଥିବା ବେଳେ ଏହାକୁ ରାଜନୀତିକରଣ କରି ଅମୂଳକ ଅଭିଯୋଗ କ’ଣ ପାଇଁ? ବିଚାର ବିଭାଗ ଉପରେ ଆମେ ଆସ୍ଥା ଓ ବିଶ୍ୱାସ ରଖିବା ଦରକାର । ଏହାକୁ ନେଇ ନିମ୍ନସ୍ତରର ରାଜନୀତି ଆଦୌ ସ୍ପୃହଣୀୟ ନୁହେଁ ।
ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳର ନେତା ବିଶେଷ କରି ବିଜେପି ନେତାଙ୍କ ମନ୍ତବ୍ୟ ମୋତେ ବ୍ୟଥିତ କରିଛି । ପୁଲିସ ବଳ ଉପରେ ସେମାନଙ୍କର ଟିପ୍ପଣୀ ମଧ୍ୟ ଦୁର୍ଭାଗ୍ୟଜନକ । ଏହାକୁ ସେମାନଙ୍କ ମନୋବଳକୁ ଭାଙ୍ଗି ଦେଉଛି । ରାଜ୍ୟର ୯୦ ହଜାର ପୁଲିସ ଏବଂ ହୋମଗାର୍ଡଙ୍କ ପ୍ରତି ଏହା ଅପମାନ ।
ସେହିଭଳି ସାମ୍ବିଧାନିକ ଉଚ୍ଚ ପଦବୀରେ ଥାଇ ଜଣେ କର୍ତ୍ତବ୍ୟରତ ମହିଳା ଆଇଆଇସିଙ୍କୁ ଆକ୍ରମଣ ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଓଡ଼ିଶା ସବୁବେଳେ ମହିଳାଙ୍କୁ ସମ୍ମାନ ଦିଏ । ଏହି ଲଜ୍ଜାଜନକ ଆଚରଣ କ୍ଷମଣୀୟ ନୁହେଁ ।
ରାଜ୍ୟରେ ଆଲୋଚନା ପାଇଁ ଅନେକ ପ୍ରସଙ୍ଗ ରହିଛି । ମାତ୍ର ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କରିବା ଆଦୌ ଠିକ୍ ନୁହେଁ । ଏହି ଜଘନ୍ୟ ଘଟଣାର ପର୍ଦ୍ଦାଫାସ କରି ମୃତକଙ୍କ ପରିବାରକୁ ନ୍ୟାୟ ଦେବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ରାଜ୍ୟବାସୀଙ୍କର ମୋ ଉପରେ ବିଶ୍ୱାସ ଅଛି । ସେହି ବିଶ୍ୱାସ ଅତୁଟ ରଖିବି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।