ଭୁୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ଏକ ପାଗଳର ପ୍ରଳାପ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମିଶି ଜୟନାରାୟଣ ମନଗଢ଼ା କାହାଣୀ ଗପୁଛନ୍ତି । ଉଭୟଙ୍କର ରାଜନୈତିକ ଅପରାଧ ପୃଷ୍ଠଭୂମି ଥିବାରୁ ସେମାନେ ଏଭଳି ମନଗଢ଼ା କାହାଣୀ ରଚନା କରିଛନ୍ତି । ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ସେମାନଙ୍କ ଆଡକୁ ଯାଉଥିବାରୁ ନିଜକୁ ବଞ୍ଚାଇବା ପାଇଁ ସେମାନେ ମିଥ୍ୟା ଅଭିଯୋଗର ଆଶ୍ରୟ ନେଇଥିବା କହିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଆଜି ଗଣମାଧ୍ୟମକୁ ବିବୃତି ଦେଇ ସେ ଧର୍ମେନ୍ଦ୍ର ଓ ଜୟନାରାୟଣଙ୍କ ଅପରାଧିକ ଇତିହାସ ଖୋଲିଛନ୍ତି ।
ପ୍ରମିଳା କହିଛନ୍ତି, ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ । ଜଘନ୍ୟ ହତ୍ୟା ସମେତ ୧୬ଟି ସଙ୍ଗୀନ ମାମଲାରେ ସଂପୃକ୍ତ । ବିଜେପୁର ଉପନିର୍ବାଚନ ବେଳେ ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ଜୟନାରାୟଣ ଓ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଗିରଫ ହୋଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବିନା ସମର୍ଥନରେ ବିଜେପିର ଏହି ନେତାମାନେ ହତ୍ୟାକାଣ୍ଡ ଘଟାଇବା ସମ୍ଭବ ନୁହେଁ ।
୨୦୧୭ ସେପ୍ଟେମ୍ବର ୧୬ ତାରିଖରେ ଛତ୍ରପୁରରେ ଘଟିଥିବା ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାର ଅଭିଯୁକ୍ତମାନଙ୍କୁ ଫେରାର କରାଇ ଉତ୍ତରାଖଣ୍ଡ ଗେଷ୍ଟ ହାଉସ୍ ରେ ଆଶ୍ରୟ ଦେବା ବ୍ୟବସ୍ଥା କରିଥିଲେ ଧର୍ମେନ୍ଦ୍ର । କଲ୍ ରେକର୍ଡ ଯାଞ୍ଚରୁ ଏହା ଧରାପଡ଼ିଥିଲା ବୋଲି ପ୍ରମିଳା କହିଛନ୍ତି ।
ପ୍ରମିଳା ଆହୁରି କହିଛନ୍ତି ଯେ ପଦ୍ମପୁର ଉପନିର୍ବାଚନ ସମୟରେ ସ୍ୱର୍ଗତ ନବ ଦାସଙ୍କ ସାଂଗଠନିକ ଦକ୍ଷତା ଓ କଠିନ ପରିଶ୍ରମ ଦେଖି ବିଜେପି ନିଜର ଦହନୀୟ ପରାଜୟ ସମ୍ପର୍କରେ ଜାଣି ସାରିଥିଲା । ବିଜେପି ନେତୃବୃନ୍ଦ ଏବଂ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ବିଚଳିତ ହୋଇପଡ଼ିଥିଲେ । ଏଣୁ ନବ ଦାସଙ୍କୁ ସେମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଧମକ ଦେବାକୁ ପଛାଇ ନ ଥିଲେ ।
ପଶ୍ଚିମ ଓଡ଼ିଶାରେ ଶ୍ରୀ ଦାସଙ୍କ ଶକ୍ତିଶାଳୀ ସଂଗଠନକୁ ସାମ୍ନା କରିବାର ଦମ୍ଭ ନ ଥିବାରୁ ଧର୍ମେନ୍ଦ୍ର ଏବଂ ବିଜେପି ନେତୃବୃନ୍ଦ ଆତଙ୍କିତ ହୋଇପଡ଼ିଥିଲେ । ଏବେ ନବ ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚତଦନ୍ତ ସେମାନଙ୍କ ଆଡକୁ ଯାଉଥିବାରୁ ସେମାନେ ବିଚଳିତ ହୋଇ ମନଗଢ଼ା ଅଭିଯୋଗ ଆଣୁଥିବା ପ୍ରମିଳା କହିଛନ୍ତି ।
ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ମଧ୍ୟ ଅନୁରୂପ ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଜୟନାରାୟଣ ଜଣେ ଅଭ୍ୟାସଗତ ଅପରାଧୀ । ଏବେ କିଛି ଦିନ ହେଲା ସେ ମାନସିକ ଭାରସାମ୍ୟ ହରାଇ ପାଗଳ ଭଳି ପ୍ରଳାପ କରୁଛନ୍ତି । ତେଣୁ ତାଙ୍କ ଭଳି ଜଣେ ବ୍ୟକ୍ତିଙ୍କ କଥାକୁ ବିଜେଡି ଗୁରୁତ୍ୱ ଦେବାକୁ ଚାହୁଁନି । ବରଂ ବିଜେପି ନେତୃବୃନ୍ଦ ତୁରନ୍ତ ତାଙ୍କର ମାନସିକ ଚିକିତ୍ସା କରାଇବା ଜରୁରୀ ବୋଲି ସେ କହିଛନ୍ତି ।
ଶ୍ରୀ ମୁଦୁଲି କହିଛନ୍ତି, ଜୟନାରାୟଣଙ୍କ ନାଁରେ ହତ୍ୟା ଭଳି ୧୬ ଟି ସଙ୍ଗୀନ ଅପରାଧିକ ମାମଲା ରୁଜୁ ହୋଇଛି । ଏକ ହତ୍ୟା ମାମଲାରେ ଗିରଫ ହୋଇ ସେ ଦୀର୍ଘ ଦିନ ଧରି ଜେଲ୍ ରେ ରହିବା ପରେ ଜାମିନ୍ ରେ ଅଛନ୍ତି । ପୂର୍ବରୁ ତାଙ୍କ ଦଳର ରାଜ୍ୟ ସଭାପତିଙ୍କୁ ଚପଲରେ ପିଟିଥିଲେ । କିଛି ଦିନ ତଳେ ଜଣେ କର୍ତ୍ତବ୍ୟରତ ମହିଳା ଆଇଆଇସିଙ୍କୁ ସର୍ବସମ୍ମୁଖରେ ଆକ୍ରମଣ କରିଥିଲେ । ଖାଲି ସେତିକି ନୁହେଁ, ବିଧାନସଭାରେ ତାଙ୍କରି ଦଳର ନେତା ଟଙ୍କା ଖାଇ ମ୍ୟାନେଜ୍ ହେଉଛନ୍ତି ବୋଲି ପାଗଳଙ୍କ ଭଳି ବୟାନ ଦେଇଥିଲେ । ତାଙ୍କରି ଏଭଳି ଆଚରଣ ଦେଖି ଖୋଦ୍ ତାଙ୍କ ଦଳର ନେତାମାନେ ସେ ମାନସିକ ଭାରସାମ୍ୟ ହରାଇଥିବା କହୁଛନ୍ତି ।
ସୂଚନାଥାଉକି, ଆଜି ବିଧାନସଭା ବାହାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗଣମାଧ୍ୟମ ଆଗରେ ବୟାନବାଜି କରିଥିଲେ । କହିଥିଲେ, ନବ ଦାସଙ୍କ ମୃତ୍ୟୁର ୪ ଦିନ ଆଗରୁ ୫-ଟି ସଚିବ ଏବଂ ଯାଜପୁର ବିଧାୟକ ଫୋନ୍ ରେ କଥା ହୋଇଥିଲେ । ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ଏହି କଲ୍ ରେକର୍ଡ ଯାଞ୍ଚ କରାଯାଉ ।
ଜୟନାରାୟଣଙ୍କ ଏହି ବୟାନ ପରେ ପରେ ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ତୁରନ୍ତ ଏକ ସାମ୍ବାଦିକ କରି ତାଙ୍କ ବାପାଙ୍କ ମୃତ୍ୟୁକୁ ରାଜନୈତିକ ପ୍ରସଙ୍ଗ ନ କରିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ । ସେ କହିଥିଲେ, ମୋ ବାପାଙ୍କ ମୃତ୍ୟୁ ଏକ ସମ୍ବେଦନଶୀଳ ଘଟଣା । ଆପଣମାନଙ୍କୁ ହାତଯୋଡ଼ି ଅନୁରୋଧ କରୁଛି ଏହାକୁ ନେଇ ରାଜନୀତି କରାନଯାଉ । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି । ଭଲ ଜଜ୍ ଙ୍କ ତତ୍ତ୍ୱାବଧାନରେ ତଦନ୍ତ ଚାଲିଛି । କ୍ରାଇମବ୍ରାଞ୍ଚ ତଦନ୍ତ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆମର ଭରସା ଅଛି । ଆମ ପରିବାରକୁ ନିଶ୍ଚିତ ନ୍ୟାୟ ମିଳିବ ।