ଭୁବନେଶ୍ୱର: ବିଧାନସଭା ପରିସରରେ ସାମ୍ବାଦିକଙ୍କୁ ଦଉଡ଼ି ଲଗାଇ ପୁଲିସ ଅଟକାଇବାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ବିଧାନସଭାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାରିବା ବେଳେ ପୁଲିସର ଏହା ଥିଲା ସୁରକ୍ଷା କର୍ଡନ । ଫଟୋ ସାମ୍ବାଦିକମାନେ ଫଟୋ ଉଠାଇବାକୁ ଠେଲାପେଲା ହେଉଥିବାରୁ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପୁଲିସ ବାବୁମାନେ ସଫେଇ ଦେଇଥିଲା ବେଳେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଏହି ଫଟୋ ଆସିବା ପୂର୍ବରୁ ସୋସିଆଲ୍ ମିଡିଆରେ ଆଉ ଏକ ଖବର ଭାଇରାଲ୍ ହୋଇଥିଲା । ଗତକାଲି ଆଦିବାସୀ ମେଳାର ଉଦଘାଟନୀ ଉତ୍ସବକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଛଡ଼ା ଯାଇ ନ ଥିବାର ଏହି ଖବର ଥିଲା । ମୁଖ୍ୟମନ୍ତ୍ରୀ ଏହି ମେଳାକୁ ଉଦଘାଟନ କରିଥିଲେ । ଖବର ସଂଗ୍ରହ ପାଇଁ ସେଠାକୁ ପ୍ରବେଶ ଉଦ୍ୟମ କରୁଥିବା ସାମ୍ବାଦିକମାନଙ୍କୁ ସୁରକ୍ଷା କର୍ମୀ କୁଆଡ଼େ ଭିତରକୁ ଛାଡ଼ି ନ ଥିଲେ । ସାର୍ ମନା କରିଛନ୍ତି, ପ୍ରେସ୍ କୁ ଖବର ପଠାଯିବ ବୋଲି କୁହାଯାଇଥିଲା । ସଂପୃକ୍ତ ସାମ୍ବାଦିକମାନେ ଏହାର ପ୍ରତିବାଦ କରିବା ବଦଳରେ କାନ ମୁଣ୍ଡା ଆଉଁସି ଫେରି ଆସିଥିଲେ । ବୋଧହୁଏ ଡ଼ର ଥିଲା ପ୍ରତିବାଦ କଲେ କାଳେ ସାର୍(ସମ୍ପାଦକ) ରାଗିବେ!!
ଗତ ସପ୍ତାହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଗସ୍ତ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ମଧ୍ୟ କଟକଣା ଲାଗିଥିଲା । ବିଶ୍ୱବିଦ୍ୟାଳୟର କୁଳପତି ସଫେଇ ଦେଇଥିଲେ କି ଆମକୁ ଏଥିପାଇଁ ଉପରୁ ନିର୍ଦ୍ଦେଶ ଅଛି । ସେ ଉପରବାଲା କିଏ ସେକଥା କୁଳପତି ମହୋଦୟାଙ୍କ ମୁହଁରୁ ସ୍ପଷ୍ଟ ହୋଇ ନ ଥିଲା । ସୋସିଆଲ୍ ମିଡିଆରେ ଏହାକୁ ପ୍ରବଳ ସମାଲୋଚନା ହୋଇଥିଲେ ମଧ୍ୟ କେହି ଶୁଣି ନ ଥିଲେ । ଓଲଟି ରାଷ୍ଟ୍ରପତିଙ୍କ ରମାଦେବୀ ଗସ୍ତବେଳେ ଖବର ସଂଗ୍ରହ ପାଇଁ ସାମ୍ବାଦିକମାନେ କଲେଜ ଗେଟ୍ ବାହାରେ ଆଣ୍ଠେଇ ପଡ଼ିଥିଲେ ।
ଏଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରୁ ଗଣମାଧ୍ୟମକୁ ଦୂରେଇ ରଖାଯିବା ପଛର କାରଣ କେହି ବୁଝିପାରୁନାହାନ୍ତି । ତଳିଆ ସାମ୍ବାଦିକମାନେ ଏହାକୁ ଅପମାନ ମଣୁଥିଲେ ମଧ୍ୟ ମାଲିକଙ୍କ ଡରରେ ଚୁପ୍ ରହିବାକୁ ବାଧ୍ୟ ହେଉଛନ୍ତି ।
ସୂଚନାଥାଉକି, କୋଭିଡ୍ ସମୟରେ ସାମ୍ବାଦିକମାନଙ୍କ ଉପରେ ସଚିବାଳୟ ଓ ବିଧାନସଭା ପ୍ରବେଶ କଟକଣା ଲାଗିଥିଲା । ପରବର୍ତ୍ତୀ ସମୟରେ କେବଳ ଅଧିସ୍ୱୀକୃତପ୍ରାପ୍ତ ସାମ୍ବାଦିକଙ୍କୁ ସଚିବାଳୟ ପ୍ରବେଶ ଅନୁମତି ମିଳିଥିଲେ ମଧ୍ୟ ଅନ୍ୟମାନଙ୍କ ଉପରେ କଟକଣା ଏବେ ବି ଜାରି ରହିଛି । ବିଧାନସଭା ପ୍ରେସ୍ ଗ୍ୟାଲେରୀକୁ ସାମ୍ବାଦିକମାନଙ୍କୁ ଏଥର ପ୍ରବେଶ ଅନୁମତି ଦିଆଯାଇଛି ।
ସାମ୍ବାଦିକଙ୍କ ଉପରେ କଟକଣା କେବଳ ଓଡ଼ିଶାରେ ନୁହେଁ, ଦେଶବ୍ୟାପୀ ଏହା ନୂଆ ପରିଭାଷା ସୃଷ୍ଟି କରିଛି । ଦିଲ୍ଲୀରେ ସଂସଦ ଭବନକୁ ସାମ୍ବାଦିକମାନଙ୍କୁ ପ୍ରବେଶ ଅନୁମତି ଦିଆଯାଉ ନ ଥିବାରୁ ନିକଟରେ ଏଡିଟରସ ଗିଲଡ୍ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ।