ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ରାଜନୀତି ଜୋର୍ ହୋଇଛି । ଆଜି ବିଧାନସଭା ଆରମ୍ଭରୁ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି ବିରୋଧୀ ବିଜେପି ଓ କଂଗ୍ରେସ ହୋ ହଲ୍ଲା କରି କକ୍ଷତ୍ୟାଗ କରିଥିଲେ । ବିଧାନସଭା ବାହାରକୁ ଆସି ବିଜେପି ବିଧାୟକମାନେ ଧାରଣା ଦେଇଥିଲେ । ଏତିକିବେଳେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗଣମାଧ୍ୟମ ସାମନାରେ ନବ ଦାସ ହତ୍ୟାକାଣ୍ଡର ଏକ ନୂଆ ଯୁକ୍ତି ରଖିଥିଲେ ।
ତାଙ୍କର ଯୁକ୍ତି ଥିଲା, ନବଙ୍କ ମୃତ୍ୟୁର ୪ ଦିନ ଆଗରୁ ୫-ଟି ସଚିବ ଏବଂ ଯାଜପୁର ବିଧାୟକ ଫୋନ୍ ରେ କଥା ହୋଇଥିଲେ । ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ଏହି କଲ୍ ରେକର୍ଡ ଯାଞ୍ଚ କରାଯାଉ । ତେବେ ଏହି ଯୁକ୍ତି ପଛରେ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ । ବିରୋଧୀ ଦଳ ନେତା ହୋଇ ବିନା ପ୍ରମାଣରେ ଏଭଳି ସଙ୍ଗୀନ କଥା କେମିତି ଉଠାଉଛନ୍ତି ବୋଲି ଜଣେ ସାମ୍ବାଦିକ ପଚାରିବାରୁ ଓଲଟି ସେ ଚିହିଁକି ଉଠିଥିଲେ ।
ବିରୋଧୀ ଦଳଙ୍କ ହଲାପଟା ଏବଂ ଜୟନାରାୟଣଙ୍କ ଏହି ମନ୍ତବ୍ୟ ଗଣମାଧ୍ୟମରେ ଆସିବା ପରେ ସ୍ୱର୍ଗତ ନବ ଦାସଙ୍କ ପରିବାର ପ୍ରତିକ୍ରିୟାଶୀଳ ହୋଇଛନ୍ତି । ଝିଅ ଦୀପାଳି ଦାସ ତୁରନ୍ତ ଏକ ସାମ୍ବାଦିକ କରି ତାଙ୍କ ବାପାଙ୍କ ମୃତ୍ୟୁକୁ ରାଜନୈତିକ ପ୍ରସଙ୍ଗ ନ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି ।
ଦୀପାଳି କହିଛନ୍ତି, ମୋ ବାପାଙ୍କ ମୃତ୍ୟୁ ଏକ ସମ୍ବେଦନଶୀଳ ଘଟଣା । ଆପଣମାନଙ୍କୁ ହାତଯୋଡ଼ି ଅନୁରୋଧ କରୁଛି ଏହାକୁ ନେଇ ରାଜନୀତି କରାନଯାଉ । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି । ଭଲ ଜଜ୍ ଙ୍କ ତତ୍ତ୍ୱାବଧାନରେ ତଦନ୍ତ ଚାଲିଛି । କ୍ରାଇମବ୍ରାଞ୍ଚ ତଦନ୍ତ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆମର ଭରସା ଅଛି । ବାପାଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ବାପା ଭଳି ଆମ ପରିବାର ସାଥୀରେ ଛିଡ଼ା ହୋଇଛନ୍ତି । ସେହି ଦୁଃଖଦ ସମୟରେ ମୁଖ୍ୟମନ୍ତ୍ରୀ ଆମକୁ ଆଶୀର୍ବାଦ ଓ ଧୈର୍ଯ୍ୟ ଦେଇଥିବାରୁ ସାରା ଜୀବନ କୃତଜ୍ଞ ରହିବି । ଆମ ପରିବାରକୁ ନିଶ୍ଚିତ ନ୍ୟାୟ ମିଳିବ ।







