ଭୁବନେଶ୍ୱର: ଆସନ୍ତାକାଲିଠାରୁ ବିଧାନସଭାର ବଜେଟ୍ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଏହା ଏପ୍ରିଲ ୬ ତାରିଖ ଯାଏ ଚାଲିବ । ଫେବ୍ରୁଆରୀ ୨୪ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ବିରୋଧୀଙ୍କ ଟାର୍ଗେଟ୍ ରେ ସରକାର ଥିବାରୁ ଚଳିତ ଅଧିବେଶନ ସରଗରମ ହେବ ବୋଲି କୁହାଯାଉଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ବିରୋଧୀ ମୁଖ୍ୟ ଅସ୍ତ୍ର କରି ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ।
ବିଜେପି ବିଧାୟକ ଦଳର ବିଧାନସଭା ରଣନୀତି ବୈଠକ ଅନୁଷ୍ଠିତ ହୋଇଥିଲା । କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତି ଏଥିରେ ଉପସ୍ଥିତ ଥିଲେ । ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ଏବଂ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ନିଷ୍ପତ୍ତି ହୋଇଛି । ଏଥିସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଳେଙ୍କାରୀ, କେନ୍ଦ୍ରର ମାଗଣା ଚାଉଳ, ଚାଷୀ ସମସ୍ୟା, ନାରୀ ନିର୍ଯ୍ୟାତନା ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରାଯିବ ।
ସେପଟେ କଂଗ୍ରେସ ମଧ୍ୟ ସମାନ ପ୍ରସଙ୍ଗ ଧରିଛି । ନବ ଦାସଙ୍କ ହତ୍ୟା, ଗୋବିନ୍ଦ ସାହୁ ଆତ୍ମହତ୍ୟା, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି, ମଣ୍ଡି ଅବ୍ୟବସ୍ଥା, ଦରଦାମ୍ ବୃଦ୍ଧି ପ୍ରସଙ୍ଗ ଉଠାଯିବ । ଆସନ୍ତାକାଲି ସକାଳେ ଦଳର ରଣନୀତି ବୈଠକରେ ଏହାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ ।
ବିରୋଧୀଙ୍କୁ ମୁକାବିଲା କରିବା ଯୋଜନାରେ ବିଜେଡି ବି ପଛରେ ପଡ଼ିନାହିଁ । ମହିଳା ଆଇଆଇସିଙ୍କୁ ବିରୋଧୀ ଦଳ ନେତାଙ୍କ ମାଡ଼ଠାରୁ ଆରମ୍ଭ କରି ଓଡ଼ିଶା ପ୍ରତି କେନ୍ଦ୍ରର କ୍ରମାଗତ ଅବହେଳା, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ଅଗ୍ରାହ୍ୟ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୫ କେଜି ଚାଉଳ କାଟିବା, ଧାନ ସଂଗ୍ରହ ବାବଦକୁ ୨୦ ହଜାର କୋଟି କମ୍ ଅନୁଦାନ ମିଳିବା ଆଦି ପ୍ରସଙ୍ଗ ଉଠାଇବ । ଆସନ୍ତାକାଲି ବିଜେଡି ବିଧାୟକ ଦଳର ବୈଠକ ବସିବ ।
ବିଧାନସଭା ସୁରୁଖୁରୁରେ ଚାଲିବା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଆଜି ସର୍ବଦଳୀୟ ବୈଠକ ଡାକିଥିଲେ । ସବୁ ଦଳର ପ୍ରତିନିଧିଙ୍କୁ ନେଇ ବୈଠକ ହୋଇଥିଲା ଏବଂ ଅନେକ ଗୁଡିଏ ପ୍ରସ୍ତାବ ଉପରେ ସହମତି ପ୍ରକାଶ ପାଇଥିଲା । ମାତ୍ର ଭର୍ଚୁଆଲ ମୋଡ୍ ରେ ବିଧାୟକମାନେ ବିଧାନସଭାରେ ଯୋଗଦେଇପାରିବେ ବୋଲି ପୂର୍ବ ନିଷ୍ପତ୍ତି କାଏମ୍ ରହିଥିବାରୁ ବିଜେପି ଏହାକୁ ବିରୋଧ କରିଥିଲା ।
କୋଭିଡ୍ ଚାଲିଯାଇଥିବାରୁ ଏହାର କୌଣସି ଯଥାର୍ଥତା ନାହିଁ ବୋଲି ସେମାନେ ଯୁକ୍ତି କରି ନିଷ୍ପତ୍ତି ବଦଳାଇବାକୁ ଚାହିଁଥିଲେ । ମାତ୍ର ବାଚସ୍ପତି ତାହାକୁ ଅଗ୍ରାହ୍ୟ କରିବାରୁ ବୈଠକ ବର୍ଜନ କରି ଚାଲି ଆସିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ ସଚେତକ ମୋହନ ମାଝୀ । ପାର୍ଲିଆମେଣ୍ଟଠାରୁ ଆରମ୍ଭ କରି କୌଣସି ରାଜ୍ୟରେ ଏଭଳି ବ୍ୟବସ୍ଥା ନାହିଁ ବୋଲି ସେମାନେ ଦର୍ଶାଇବା ସହ ଏହି ନିଷ୍ପତ୍ତିର କଟୁ ସମାଲୋଚନା କରିଥିଲେ ।
ସୂଚନାଥାଉକି, କାଲିଠାରୁ ମାର୍ଚ୍ଚ ୧ ଯାଏଁ ପ୍ରଥମ ପର୍ଯ୍ୟାୟ ଅଧିବେଶନ ବସୁଥିବା ବେଳେ ମାର୍ଚ୍ଚ ୧୦ ରୁ ଏପ୍ରିଲ୍ ୬ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଅନୁଷ୍ଠିତ ହେବ । ବିଧାନସଭା ଅଧିବେଶନ ପାଇଁ ପୁଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଧାନସଭା ଆଖପାଖରେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସଙ୍କୁ ନିୟୋଜିତ କରାଯାଇଛି । ଡିସିପିଙ୍କ ନେତୃତ୍ୱରେ ୧୦ ଅତିରିକ୍ତ ଡିସିପି, ୧୧ ଏସିପି, ୧୩ ଇନସପେକ୍ଟର ୧୦୦ ଏସଆଇ ଏବଂ ୨୦୦ କନେଷ୍ଟବଳ ମଧ୍ୟ ନିୟୋଜିତ ହେବେ ।







