ଭୁୁବନେଶ୍ୱର: ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ସେମାନଙ୍କ ନିର୍ବଦ୍ଧ ଗତକାଲି ସମ୍ପନ୍ନ ହୋଇଥିବା ବେଳେ ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍ ହୋଇଛି । ଏହି ଦୁଇ ଆଇଏଏସ୍ ଅଧିକାରୀଙ୍କ ବିବାହକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ଏହି ଚର୍ଚ୍ଚାର ବଡ଼ କାରଣ ହେଉଛି ଉଭୟଙ୍କର ଏହା ହେବ ଦ୍ୱିତୀୟ ବିବାହ । ପ୍ରଥମ ବିବାହ ସେମାନଙ୍କର ବିଫଳ ହୋଇଥିଲା ।

ଆସାମର ଝିଅ ଅନନ୍ୟା ଦାସ ହେଉଛନ୍ତି ୨୦୧୫ ବ୍ୟାଚ୍ ର ଆଇଏଏସ୍ । ୟୁପିଏସସି ପରୀକ୍ଷାରେ ୧୬ ତମ ରାଙ୍କ୍ ରେ ଥିଲେ । ତାଙ୍କ ବ୍ୟାଚ୍ ର ଓଡିଆ ପୁଅ ଅବଦଲ୍ ଏମ୍. ଅଖତର(ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ)ଙ୍କ ସହ ତାଙ୍କର ବିବାହ ହୋଇଥିଲା । ଅନନ୍ୟାଙ୍କର ମୂଳ କ୍ୟାଡର ଗୁଜୁରାଟ୍ ହୋଇଥିଲା ବେଳେ ଓଡିଶା କ୍ୟାଡରର ଅଖତରଙ୍କୁ ବିବାହ କଲା ପରେ ସେ ଓଡିଶା କ୍ୟାଡରରେ ଯୋଗଦେଇଥିଲେ । ତେବେ ଉଭୟଙ୍କର ବିବାହ ବେଶୀ ଦିନ ତିଷ୍ଠି ପାରି ନ ଥିଲା । ପରଷ୍ପରକୁ ଛାଡ଼ପତ୍ର ଦେଇଥିଲେ ।
ସେପଟେ ପଶ୍ଚିମବଙ୍ଗ ପୁଅ ଚଞ୍ଚଳ ରାଣା ହେଉଛନ୍ତି ୨୦୧୪ ବ୍ୟାଚ୍ ଆଇଏଏସ୍ । ଓଡ଼ିଶାରେ ସେ ପଢ଼ିଛନ୍ତି ଏବଂ ବଢ଼ିଛନ୍ତି । ୟୁପିଏସସି ପରୀକ୍ଷାରେ ନବମ ରାଙ୍କ୍ ରେ ଥିଲେ । ତାଙ୍କ ବ୍ୟାଚ୍ ର ଦିଲ୍ଲୀ ଝିଅ ସ୍ୱଧା ଦେବ ସିଂହ(ବର୍ତ୍ତମାନର ରାୟଗଡ଼ା ଜିଲ୍ଲାପାଳ)ଙ୍କୁ ବିବାହ କରିଥିଲେ । ତେବେ ସେମାନଙ୍କର ମଧ୍ୟ ବିବାହ ଜୀବନ ତିଷ୍ଠି ପାରି ନ ଥିଲା । ମତଭେଦ କାରଣରୁ ପରଷ୍ପରକୁ ଛାଡ଼ପତ୍ର ଦେଇଥିଲେ ।
ଅନନ୍ୟା ଏବଂ ଚଞ୍ଚଳ ଏବେ ନୂଆ ଜୀବନ ସାଥୀ ହେବାକୁ ଯାଉଛନ୍ତି । ସମ୍ବଲପୁର ଜିଲ୍ଲାପାଳ ଅନନ୍ୟାଙ୍କ ବାସଭବନ ପରିସରରେ ପାରମ୍ପରିକ ରୀତିନୀତି ଅନୁସାରେ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଛି । ଉଭୟ ପରିବାରର ସଦସ୍ୟ, ଘନିଷ୍ଠ ବନ୍ଧୁଙ୍କ ସମେତ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଏବଂ ସମ୍ବଲପୁର ଏସପି ବି.ଗଙ୍ଗାଧର ଏହି ଉତ୍ସବରେ ସାମିଲ ହୋଇଥିଲେ । ଉତ୍ସବ ପୂର୍ବଦିନ ଅନନ୍ୟା ଏବଂ ଚଞ୍ଚଳ ଏକାଠି ଏକ ସୁନା ଦୋକାନକୁ ଯାଇ ଅଳଙ୍କାର କିଣିଥିଲେ ।
ବିିବାହ ତାରିଖ ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ ଖୁବ୍ ଶୀଘ୍ର ଉଭୟଙ୍କର ବାହାଘର ହେବ ବୋଲି ଜଣାପଡ଼ିଛି ।
ସୂଚନାଥାଉକି, ୨୦୧୬ ବ୍ୟାଚ୍ ଆଇଏଏସ୍ ଟପର୍ ଟିନା ଡାବିଙ୍କ ପ୍ରଥମ ବିବାହ ବିଚ୍ଛେଦ ଏବଂ ଦ୍ୱିତୀୟ ବିବାହ ଘଟଣା ପୂର୍ବରୁ ଦେଶବ୍ୟାପୀ ବେଶ୍ ଚର୍ଚ୍ଚାରେ ଥିଲା । ଟିନା ତାଙ୍କ ବ୍ୟାଚ୍ ର ଦ୍ୱିତୀୟ ଟପର୍ ଅଥର ଅମୀର ଖାନ୍ ଙ୍କୁ ୨୦୧୮ ମସିହାରେ ପ୍ରେମ ବିବାହ କରିଥିଲେ । ସେମାନଙ୍କ ପ୍ରେମ ଏବଂ ବିବାହ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା । ତେବେ ସେମାନଙ୍କର ଦାମ୍ପତ୍ୟ ଜୀବନ ବେଶୀ ଦିନ ତିଷ୍ଠି ନ ଥିଲା । ଦୁଇବର୍ଷରେ ସେମାନଙ୍କର ବ୍ରେକ୍ ଅପ୍ ହୋଇଯାଇଥିଲା । ପରଷ୍ପରକୁ ଛାଡ଼ପତ୍ର ଦେଇଥିଲେ । ଟିନା ତାଙ୍କଠାରୁ ବୟସରେ ୧୩ ବର୍ଷ ବଡ଼ ୨୦୧୩ ବ୍ୟାଚ୍ ର ଆଇଏଏସ୍ ପ୍ରଦୀପ ଗୱାଣ୍ଡେଙ୍କୁ ଗତବର୍ଷ ଦ୍ୱିତୀୟ ବିବାହ କରିଥିଲେ । ପ୍ରଦୀପଙ୍କର ଅବଶ୍ୟ ଏହା ପ୍ରଥମ ବିବାହ ଥିଲା ।







