ଭୁବନେଶ୍ୱର: ଆମ ସରକାର ଆସିବା ପରେ ସମାଜର ସବୁ ବର୍ଗର ଉନ୍ନତି ପାଇଁ ପଦକ୍ଷେପ ନେବା ସହିତ ଆଦିବାସୀମାନଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ପଦକ୍ଷେପ ନିଆଯାଇଛି। ଆମ ପାଇଁ ରାଜନୀତି କ୍ଷମତା ଭୋଗ କରିବାର ମାଧ୍ୟମ ନୁହେଁ, ବରଂ ଅନ୍ତିମ ଧାଡିରେ ଥିବା ଗରିବ ଲୋକର ସେବା କରିବାର ମାଧ୍ୟମ, ଯାହାକୁ ଆମେ ଅନ୍ତ୍ୟୋଦୟ କହୁ। ତେଣୁ, ଆପଣମାନେ ଅନ୍ତିମ ଧାଡି ପର୍ଯ୍ୟନ୍ତ ପହଞ୍ଚି, ଲୋକଙ୍କ ପାଇଁ କାମ କରନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନଙ୍କୁ ପରାମର୍ଶ ଦେଇ କହିଛନ୍ତି।
ଆଜି ଲୋକସେବା ଭବନ କନ୍ଭେନ୍ସନ ସେଣ୍ଟରରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୨୩ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନେ ଯୋଗ ଦେଇଥିଲେ।
ନବନିଯୁକ୍ତ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କ ଆଞ୍ଚଳିକ ସମସ୍ୟାଗୁଡିକୁ ଗୁରୁତ୍ୱର ସହ ଶୁଣି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ ଧୈର୍ଯ୍ୟର ସହ କାମ କରନ୍ତୁ। ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କ ଦୃଷ୍ଟିକୁ ସମସ୍ୟା ଆଣନ୍ତୁ। ତା ସହିତ ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀ ମଧ୍ୟ ଆପଣମାନଙ୍କ ବିଭିନ୍ନ ବିଷୟ ଉପରେ ପଦକ୍ଷେପ ନେବେ। ଜିଲ୍ଲା ସ୍ତରରେ ଆପଣମାନେ ଯେଭଳି ଉପଯୁକ୍ତ ସମ୍ମାନର ସହ କାମ କରିବେ, ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ସେ କହିଥିଲେ ଆମେ କଥାରେ ନୁହେଁ, କାମରେ ବିଶ୍ୱାସ କରୁ। ନିୟମିତ ଭାବେ କ୍ଷେତ୍ରସ୍ତରରେ ବୁଲି ଲୋକଙ୍କ ସମସ୍ୟା ବୁଝନ୍ତୁ, ସେହି ଅନୁଯାୟୀ ପଦକ୍ଷେପ ନିଅନ୍ତୁ ନିଶ୍ଚିତ ସଫଳତା ମିଳିବ।
ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନଙ୍କୁ ଉପଦେଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶାର ଜନସଂଖ୍ୟାର ଏକ-ଚତୁର୍ଥାଂଶ ହେଉଛନ୍ତି ଜନଜାତି। କିନ୍ତୁ, ଏହି ବର୍ଗର ଲୋକମାନେ ବିକାଶଧାରା ଠାରୁ ବହୁତ ପଛରେ ଅଛନ୍ତି। ଆମ ସରକାର କ୍ଷମତାକୁ ଆସିବା ପରେ ସେଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯଉଛି। ତେଣୁ, ଆମେ କିଭଳି ସେହି ଲୋକମାନଙ୍କ ପାଖରେ ବିକାଶର ଚିତ୍ର ପହଞ୍ଚାଇପାରିବା ସେଥିପ୍ରତି ନିଷ୍ଠାର ସହ କାମ କରିବା ଉଚିତ। ସେ କହିଥିଲେ ଆମ ଜନଜାତି ସଂପ୍ରଦାୟଙ୍କ ଭାଷା, କଳା ଓ ସଂସ୍କୃତି ଅନ୍ୟମାନଙ୍କ ଠାରୁ ସ୍ୱତନ୍ତ୍ର। ଜନଜାତି କଳା ଓ ସଂସ୍କୃତିର ବିବିଧତା ଆମ ଓଡିଶାର ଓ ଦେଶର ସାମଗ୍ରିକ ସଂସ୍କୃତିକୁ ଋଦ୍ଧିମନ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ‘ବିକାଶ ଭି, ବିରାସତ ଭି’ ମନ୍ତ୍ରକୁ ଆଧାର କରି ଆମେ ଆଜି ଯେତେବେଳେ ବିକାଶର ମାର୍ଗରେ ଆଗକୁ ବଢୁଛୁ, ସେତେବେଳେ ଆମର ଏହି ମହାନ ସଂସ୍କୃତିକୁ ପଛରେ ପକେଇ ହେବ ନାହିଁ। ତା’ର ସଂରକ୍ଷଣ ଓ ବିକାଶ ପାଇଁ ଆମକୁ କାମ କରିବାକୁ ପଡିବ।
ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ବିକାଶ କିଭଳି ତଳ ସ୍ତର ପର୍ଯ୍ୟନ୍ତ ପହଞ୍ଚିବ ତାକୁ ଲକ୍ଷ୍ୟ ରଖି ଏହି ପରିଷଦ ଗଠନ କରାଯାଇଛି। ଏହି ପରିଷଦ ମାଧ୍ୟମରେ, ଆପଣମାନଙ୍କ ଜରିଆରେ ଜନଜାତି ବିକାଶ ସହିତ ସେମାନଙ୍କର କଳା, ସଂସ୍କୃତି ଓ ଐତିହ୍ୟ ସବୁଦିନ ପାଇଁ ସୁରକ୍ଷିତ ହୋଇ ରହିପାରିବ। ତୃଣମୂଳ ସ୍ତରରେ ରହିଥିବା ସମସ୍ୟା ସମ୍ପର୍କରେ ଆପଣମାନେ ସରକାରଙ୍କ ଦୃଷ୍ଟିକୁ ଆଣନ୍ତୁ । ତା’ର ସମାଧାନ କରାଯିବ। ନିଷ୍ଠାର ସହ ଜନଜାତି କଲ୍ୟାଣ ପାଇଁ କାମ କରିବାକୁ ସେ ପରାମର୍ଶ ଦେଇଥିଲେ।
ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, ଆମର ଉନ୍ନୟନ ପରିଷଦରେ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ନିଯୁକ୍ତି ଦିଆଯାଇଛି, ଯାହା ଏକ ଉତ୍ତମ ମଡେଲ। ୨୦୩୬ ଭିଜନକୁ ହାସଲ କରିବାକୁ ହେଲେ, ଆମ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ହେବ ବୋଲି ସେ କହିଥିଲେ।
ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କମିଶନର ତଥା ଶାସନ ସଚିବ ବି. ପରମେଶ୍ୱରନ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ।