ଭୁୁବନେଶ୍ୱର: ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀରେ ଭିଆଇପି ବଙ୍ଗଳା ନେଇଛନ୍ତି ମୋହନ ମାଝୀ । ୧ ପ୍ଲାଟୁନ୍ ଓଡ଼ିଶା ପୁଲିସ ଫୋର୍ସଙ୍କ ସୁରକ୍ଷା ବଳୟରେ ରହିବେ । ଯିବା ଆସିବାରେ ବୁଲେଟ୍ ପ୍ରୁଫ୍ ଗାଡ଼ି ବ୍ୟବହାର କରିବେ । ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟରେ ମୁଖ୍ୟମନ୍ତ୍ରୀଙ୍କ ଆରାମଦାୟକ ଦିଲ୍ଲୀ ରହଣିର ଯଥାର୍ଥତା ଉପରେ ଆପତ୍ତି ଉଠାଇଛି ବିଜେଡି ।
ବିଜେଡି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଗୁରୁତର ପ୍ରସଙ୍ଗ ଅଣାଯାଇଛି । ଦଳର ଦୁଇ ମୁଖପାତ୍ର ଲେନିନ ମହାନ୍ତି ଓ ତୁମ୍ବନାଥ ପଣ୍ଡା ଗୃହ ବିଭାଗର ତଥ୍ୟ ଧରି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଥାଟବାଟର ଗୁମର ଖୋଲିଛନ୍ତି । ଦିଲ୍ଲୀର ଭିଆଇପି ଅଞ୍ଚଳ ଭାବେ ପରିଚିତ ତିନ୍ ମୂର୍ତ୍ତି ଲେନ୍ ର ବଙ୍ଗଳା ନଂ-୨ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆବଣ୍ଟନ କରାଯାଇଛି । ପ୍ରୋଟୋକଲ୍ ଅନୁଯାୟୀ, କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଗଲେ ଦିଲ୍ଲୀ ପୁଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଥାଏ । ମାତ୍ର ଓଡ଼ିଶା ମୁଖ୍ୟମନ୍ତ୍ରୀ ଦେଶର ସବୁଠୁ ଦକ୍ଷ ଦିଲ୍ଲୀ ପୁଲିସ ଉପରେ ଭରସା ନ କରି ରାଜ୍ୟ ତହବିଲରୁ ବିପୁଳ ଅର୍ଥ ବ୍ୟୟରେ ଓଡ଼ିଶା ପୁଲିସର ୧ ପ୍ଲାଟୁନ୍ ଫୋର୍ସ ନେବାର ଯଥାର୍ଥତା କ’ଣ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।
ବିଜେଡି ମୁଖପାତ୍ରଙ୍କ କହିବା କଥା ରାଜ୍ୟବାସୀଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଦିଲ୍ଲୀରେ ଓଡ଼ିଶା ସରକାରଙ୍କ ଓଡ଼ିଶା ଭବନ, ଓଡ଼ିଶା ନିବାସ ଓ ଓଡ଼ିଶା ସଦନ ଅଛି । ଓଡ଼ିଶା ଭବନର ପୁନଃ ନିର୍ମାଣ ପାଇଁ ଭାଙ୍ଗି ଦିଆଗଲା ପରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ସମୟରେ ରହିବା ପାଇଁ ଏକ ତାରକା ହୋଟେଲରେ ସୁବ୍ୟବସ୍ଥା କରାଯାଇଛି । ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ କହୁଥିବା ମୋହନ ମାଝୀ ଏଥିରେ ସନ୍ତୁଷ୍ଟ ନ ହୋଇ ନିଜ ପାଇଁ ଭିଆଇପି ବଙ୍ଗଳା ନେଇ ଦିଲ୍ଲୀରେ ଓଡ଼ିଶା ଶାସନର ଡୋରୀ ରଖିବାକୁ ଚାହୁଁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଏଭଳି ବନ୍ଦୋବସ୍ତ ଆଗରୁ କେବେ ଶୁଣାଯାଇ ନଥିଲା । ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହି ମଧ୍ୟ ଅତ୍ୟନ୍ତ ନିରାଡ଼ମ୍ବର ଜୀବନଯାପନ କରୁଥିବା ନବୀନ ବାବୁ, ଦିଲ୍ଲୀରେ ରାଜ୍ୟ ତହବିଲ୍ରୁ ଅର୍ଥ ଖର୍ଚ୍ଚ କରି ବଙ୍ଗଳା ନେବା ପାଇଁ କେବେ ଚିନ୍ତା କରିନଥିଲେ । ଦେଢ଼ ବର୍ଷର ମୁଖ୍ୟମନ୍ତ୍ରୀ ହୋଇ ମୋହନ ମାଝୀଙ୍କୁ ଏଭଳି ଆବଶ୍ୟକତା କାହିଁକି ପଡ଼ିଲା ? ଓଡ଼ିଶା ବିଜେପିରେ କ୍ଷମତା ବିବାଦର ଉଗ୍ର ରୂପ ସକାଶେ ମୁଖ୍ୟମନ୍ତ୍ରୀ ଅସୁରକ୍ଷିତ ଅନୁଭବ କରୁଛନ୍ତି କି?
ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ପ୍ରତିଷ୍ଠା ହେଲା ପରେ ଲୋକେ ଆଶା କରିଥିଲେ, ରାଜ୍ୟ ପାଇଁ କେନ୍ଦ୍ରୀୟ ଅନୁଦାନ ଓ ସହାୟତା ଦୁଇ ଗୁଣ ହେବ ବୋଲି । କିନ୍ତୁ ପ୍ରତ୍ୟେକ ମାସରେ ଏକାଧିକ ବାର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କଲା ପରେ ମଧ୍ୟ କେନ୍ଦ୍ରୀୟ ଅନୁଦାନ ବଢ଼ିବା ପରିବର୍ତ୍ତେ କମୁଛି । କେନ୍ଦ୍ର ଉପରେ ରାଜ୍ୟର ଥିବା ବକେୟା ଅର୍ଥ ମିଳିପାରୁ ନାହିଁ । ରାଜ୍ୟର ଋଣ ଭାର ଦେଢ଼ ବର୍ଷ ଭିତରେ ଅହେତକୁ ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟ କରି ଦିଲ୍ଲୀରେ ଭିଆଇପି ବଙ୍ଗଳା ନେବା କ’ଣ ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ପରିଚୟ କି ? ଜନସାଧାରଣଙ୍କ ଅବଗତି ନିମନ୍ତେ ମୁଖ୍ୟମନ୍ତ୍ରୀ ଏ ବାବଦରେ ସ୍ପଷ୍ଟୀକରଣ ଦେବା ଆବଶ୍ୟକ ବୋଲି ସେମାନେ ଦାବି କରିଛନ୍ତି ।