ଭୁୁବନେଶ୍ୱର: ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ସାରା ରାଜ୍ୟରେ ଏବେ ମୁଖ୍ୟ ଆଲୋଚନାର ବିଷୟବସ୍ତୁ । ଅନ୍ୟ କେଉଁ ରାଜ୍ୟରେ ବିଧାୟକଙ୍କ ଦରମା ୩ ଲକ୍ଷ ଛୁଇଁ ନ ଥିଲା ବେଳେ ଆମ ରାଜ୍ୟର ବିଧାୟକଙ୍କ ମାସିକ ଦରମା ଓ ଭତ୍ତା ଏକାଥରେ ୩ ଲକ୍ଷ ୪୫ ହଜାରକୁ ବଢ଼ିଛି । ହେଲେ ଏହି ଦରମା କେତେଜଣଙ୍କୁ ସନ୍ତୁଷ୍ଟ କରିପାରିନାହିଁ । ଏତିକି ଟଙ୍କାରେ କ’ଣ ହେବ ବୋଲି ପ୍ରଶ୍ନ କରିଛନ୍ତି । ବିଧାୟକଙ୍କ ଅହେତୁକ ଦରମା ବୃଦ୍ଧିକୁ ସାଧାରଣ ଜନତା ଗ୍ରହଣ କରିପାରୁ ନ ଥିବା ବେଳେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏବଂ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ସେମାନଙ୍କୁ ଜବାବ ଦେଇଛନ୍ତି ।
ସମବାୟ ମନ୍ତ୍ରୀ ଶ୍ରୀ ବଳ ସାମନ୍ତ କହିଛନ୍ତି, ବିଧାୟକମାନଙ୍କ ଦରମା ସାଢ଼େ ତିନିଗୁଣା ବଢ଼ିବା କ’ଣ ଅଧିକ ହୋଇଗଲା? ମାସକୁ ୩ ଲକ୍ଷ ୪୫ ହଜାର ହିସାବରେ ଦିନକୁ ମାତ୍ର ୧୦/୧୨ ହଜାର ଟଙ୍କା । ଏତିକି ଟଙ୍କାରେ ଜଣେ ବିଧାୟକ ଚଳିବା ମୁସ୍କିଲ୍ । ଗୋଟେ ପାର୍ବଣ ଋତୁରେ ଆମର ଚାରି ମାସର ଦରମା ପାଇବନି ।
ସେହିଭଳି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ଆମେ ପ୍ରତିଦିନ ଯେତେ ଲୋକଙ୍କୁ ଘରେ ଚା’ ପିଆଉଛୁ ସେ ବାବଦରେ ମାସକୁ ଲକ୍ଷେ ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଛି । ଜନ୍ମ ଉତ୍ସବଠାରୁ ଲୋକଙ୍କ ମୃତୁ୍ୟ ସବୁଠିକି ଯିବାକୁ ପଡୁଛି । ପୂଜା ପାର୍ବଣରେ ଖର୍ଚ୍ଚବାଚ ଦେବାକୁ ପଡୁଛି । ମୋ ସାଙ୍ଗରେ ୧୦ ଦିନ ବୁଲିଲେ ଆମର ଖର୍ଚ୍ଚ କେତେ ଜାଣିଯିବେ ବୋଲି ସେ କହିଛନ୍ତି । ଯେତିକି ଦରମା ମିଳିବ ତା’ଠୁ ଜଣେ ବିଧାୟକଙ୍କର ଯଥେଷ୍ଟ ଅଧିକ ଖର୍ଚ୍ଚ ହେଉଛି ବୋଲି ତାଙ୍କର ଯୁକ୍ତି ।
ବିଧାୟକଙ୍କ ଦରମା ବୃଦ୍ଧିକୁ ଏକମାତ୍ର ବିଧାୟକ ସିପିଏମ୍ ର ଲକ୍ଷ୍ମଣ ମୁଣ୍ଡା ବିରୋଧ କରିଛନ୍ତି । ସେ କହିଛନ୍ତି ସମାଜରେ ବିଭିନ୍ନ ଶ୍ରେଣୀର ଲୋକ ବିଭିନ୍ନ ସମସ୍ୟା ଓ ଅଭାବ ଅନଟନରେ ଅଛନ୍ତି । ଦରମା ବୃଦ୍ଧି ଦାବିରେ ବିଧାନସଭା ଆଗରେ ଅହରହ ଆନ୍ଦୋଳନ ଚାଲିଛି । ସରକାର ସେମାନଙ୍କ କଥା ଆଗ ବୁଝିବା ଦରକାର ।
ଇତିମଧ୍ୟରେ ବର୍ଦ୍ଧିତ ଦରମା ନ ନେବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ବିରୋଧୀ ଦଳ ନେତା ଭାବେ ବର୍ଦ୍ଧିତ ଦରମା ଓ ଭତ୍ତାକୁ ସେ ନେବେ ନାହିଁ । ଏହି ଅର୍ଥ ଓଡ଼ିଶାର ଗରିବ ଲୋକଙ୍କ କଲ୍ୟାଣରେ ବିନିଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ଚିଠି ଲେଖି ଅନୁରୋଧ କରିଛନ୍ତି । ୨୫ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶାବାସୀଙ୍କ ସ୍ନେହ, ଆଶୀର୍ବାଦ ଏବଂ ସହଯୋଗ ପାଇ ଆସୁଛି । ମୋ ପ୍ରତି ଏବଂ ମୋର ସ୍ୱର୍ଗତ ପିତା ବିଜୁ ପଟ୍ଟନାୟକଙ୍କ ପ୍ରତି ଓଡ଼ିଶାବାସୀଙ୍କ ଏତେ ଭଲପାଇବାରେ ମୁଁ ବହୁତ ଋଣୀ ବୋଲି ଏହି ଚିଠିରେ ଉଲ୍ଲେଖ କରିଛନ୍ତି । କଟକରେ ଥିବା ତାଙ୍କର ପୈତୃକ ସମ୍ପତ୍ତି ଆନନ୍ଦ ଭବନକୁ ୨୦୧୫ ମସିହାରେ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କ ପରିବାର ସମର୍ପଣ କରିଥିବା ମୁଖ୍ୟମନ୍ତ୍ରୀଙ୍କୁ ମନେ ପକାଇଦେଇଛନ୍ତି ନବୀନ ।