ଭୁବନେଶ୍ୱର: ଅବିଶ୍ରାନ୍ତ ବର୍ଷା ଏବଂ ଭୟଙ୍କର ବନ୍ୟାରେ ଅଧା ରାଜ୍ୟ ଏବେ ବେହାଲ୍ । ଲକ୍ଷ ଲକ୍ଷ ଲୋକ ପ୍ରଭାବିତ । ଅନେକ ଗାଁ ଗଣ୍ଡା ବନ୍ୟାଜଳ ଘେରରେ ଥିବାରୁ ବାହ୍ୟ ଜଗତରୁ ବିଛିନ୍ନ । ଲୋକମାନେ ଖାଇବାକୁ ନ ପାଇ ଭୋକ ଓପାସରେ ଦିନ କାଟୁଛନ୍ତି । ରାଜ୍ୟବାସୀଙ୍କର ଏହି ଦୁର୍ଦ୍ଦଶା ବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । କୌଣସି ବିଶେଷ କାର୍ଯ୍ୟକ୍ରମ ନ ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କର ଅଚାନକ ଦିଲ୍ଲୀ ଗସ୍ତ କେବଳ ଭ୍ରୁକୁଞ୍ଚନ ସୃଷ୍ଟି କରିନି ରାଜନୈତିକ ମହଲକୁ ଚର୍ଚ୍ଚାର ଖୋରାକ୍ ଦେଇଛି ।
ମୋହନଙ୍କର ଦିଲ୍ଲୀ ଗସ୍ତର ସମୟ(ଟାଇମିଂ) ଅନେକଙ୍କ ପାଇଁ ବିସ୍ମୟ ସାଙ୍ଗକୁ କୌତୁହଳ ସୃଷ୍ଟି କରିଛି । ବର୍ଷା ଓ ବନ୍ୟାରେ ରାଜ୍ୟ ଡବୁଟୁବୁ ହୋଇ ଧନ, ଜନ, ଜୀବନ ବିପନ୍ନ ହୋଇପଡ଼ିଥିବା ବେଳେ ବିନା ସରକାରୀ କାମରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବା ସେମାନଙ୍କୁ ବିସ୍ମିତ କରିଛି । ସଂସଦ ଅଧିବେଶନ ବେଳେ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ କେନ୍ଦ୍ରମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବାକୁ ଯାଇଥିବା ପ୍ରଚାରକୁ ସେମାନେ ହସରେ ଉଡ଼ାଇଛନ୍ତି । ମୁଖ୍ୟମନ୍ତ୍ରୀ ଯଦି କାହାରିକୁ ଭେଟିବେ ଅଲଗା କଥା । ମାତ୍ର ସରକାରୀ କାର୍ଯ୍ୟକ୍ରମ କାଇଁ?
କୌତୁହଳ କଥାଟି ହେଲା- ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ଗସ୍ତ । କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବାର ଦୁଇଦିନ ପରେ ଧର୍ମେନ୍ଦ୍ର ଭୁବନେଶ୍ୱରରେ ଆୟୋଜିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ଆଧାରିତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ । ସେହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମଧ୍ୟ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ସାରି ଧର୍ମେନ୍ଦ୍ର ସେଦିନ ଦିଲ୍ଲୀ ଫେରି ଯାଇଥିଲେ । ତେବେ ତାଙ୍କର ଏହି ସଂକ୍ଷିପ୍ତ ଗସ୍ତରେ ମସଗୁଲ୍ ହୋଇଥିଲେ ଅଧଡର୍ଜନ ମନ୍ତ୍ରୀ ଏବଂ ଦୁଇ ଡର୍ଜନରୁ ଅଧିକ ବିଧାୟକ । ଭୁବନେଶ୍ୱର ବିମାନବନ୍ଦରରେ ଉପସ୍ଥିତ ରହି ଧର୍ମେନ୍ଦ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ ।
ଧର୍ମେନ୍ଦ୍ରଙ୍କ ସାଙ୍ଗରେ ବିମାନରେ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ସୂର୍ଯ୍ୟବଂଶୀ ସୂରଜ ଏବଂ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଦିଲ୍ଲୀରୁ ଆସିଥିଲେ । ବିମାନବନ୍ଦରରୁ ତାଙ୍କୁ ପାଛୋଟି ଆଣିବା ପାଇଁ ଦୁଇ ବରିଷ୍ଠ ନେତା ସମୀର ମହାନ୍ତି ଏବଂ ଗୋଲକ ମହାପାତ୍ରଙ୍କ ସମେତ ମନ୍ତ୍ରୀ ସର୍ବଶ୍ରୀ ରବି ନାୟକ, ଗୋକୁଳାନନ୍ଦ ମଲ୍ଲିକ, ନିତ୍ୟାନନ୍ଦ ଗଣ୍ଡ ଏବଂ ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ ।
ବିଧାୟକମାନଙ୍କ ମଧ୍ୟରେ ଥିଲେ ଅଗସ୍ତି ବେହେରା(ଛେଣ୍ଡିପଦା), ସୀମାରାଣୀ ନାୟକ(ହିନ୍ଦୋଳ), ଶତ୍ରୁଘ୍ନ ଜେନା(କାମାକ୍ଷନଗର), ବାବୁ ସିଂ(ଏକାମ୍ର ଭୁବନେଶ୍ୱର), ପ୍ରତାପ ଚନ୍ଦ୍ର ପ୍ରଧାନ(ଅନୁଗୁଳ), ବିଭୂତି ପ୍ରଧାନ(ପରଜଙ୍ଗ), ଅଶୋକ ମହାନ୍ତି(ପାଲଲହଡ଼ା), ଅଶ୍ୱିନୀ ଷଡ଼ଙ୍ଗୀ(ବରଗଡ଼), ଜଲେନ ନାଏକ(ରାଇରଙ୍ଗପୁର), ପଦ୍ମଲୋଚନ ପଣ୍ଡା(ସିମୁଳିଆ),ଦୁଷ୍ମନ୍ତ ସ୍ୱାଇଁ(ଖଣ୍ଡପଡ଼ା), ଦୁର୍ଗା ପ୍ରସନ୍ନ ନାୟକ(ମହାକାଳପଡ଼ା), ମାନସ ଦତ୍ତ(ବାଲେଶ୍ୱର), ଅମର ନାୟକ(ବଡ଼ଚଣା),ଅମରେନ୍ଦ୍ର ଦାସ (ଜଗତସିଂହପୁର), କୃଷ୍ଣ ଚରଣ ନାୟକ(ଛତ୍ରପୁର), ଗୌରୀ ଶଙ୍କର ମାଝୀ( ନବରଙ୍ଗପୁର), ରଘୁନାଥ ଜଗଦଲା(ବୀରମହାରାଜପୁର), ଅଖିଳ ନାଏକ(ପାଟଣା) ଏବଂ ସନ ଗଡ଼ତିଆ(ବିଜେପୁର) ।
ଧର୍ମେନ୍ଦ୍ର ଇସ୍ତଫା ଦେଲେ ଜୁଲାଇ ୨୫ରେ । ଭୁବନେଶ୍ୱର ଆସିଲେ ଏବଂ ଗଲେ ୨୮ରେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଗଲେ ୨୯ରେ । ୨୮ ସଂଧ୍ୟାରେ ଧର୍ମେନ୍ଦ୍ର ଦିଲ୍ଲୀ ଫେରିଯାଇଥିଲା ବେଳେ ୨୯ ସକାଳେ ମୋହନ ଦିଲ୍ଲୀରେ ପହଞ୍ଚିଥିଲେ । ସଂଧ୍ୟାରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ଘରେ ଓଡ଼ିଶା ସାଂସଦମାନଙ୍କ ସହ ଡିନର୍ ଭୋଜିରେ ଯୋଗଦେଇଥିଲେ ।
ବିଶ୍ୱସ୍ତ ସୂତ୍ରର ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ଦଳର ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କୁ ସାକ୍ଷାତ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମୟ ମାଗିଛନ୍ତି । ମାତ୍ର ଏ ପର୍ଯ୍ୟନ୍ତ ସମୟ ମିଳିନାହିଁ ।
ଏହି ସବୁ ଘଟଣାକୁ ବୁଝିଲା ପରେ ମୁଖ୍ୟମନ୍ତ୍ରୀଙ୍କ ତରବରିଆ ଦିଲ୍ଲୀ ଗସ୍ତ ପଛରେ ଦୁଇଟି ଶବ୍ଦର ଚର୍ଚ୍ଚା ହେଉଛି । ତାହା ହେଲା ‘ଅସୁରକ୍ଷିତ ଭାବନା’ । ସମ୍ଭବତଃ, ରାଜ୍ୟ ବିଜେପିରେ କିଛି ଗୋଟେ ବଡ଼ ଘଟଣା ଘଟିବାକୁ ଯାଉଛି । କେନ୍ଦ୍ରମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ଇସ୍ତଫା ଦେବା ପରଠୁ ଆରମ୍ଭ ହୋଇଛି ଭିତିରିଆ ଖେଳ । ଯାହାର ଆଭାସ ପାଇଛନ୍ତି ମୁଖ୍ୟମନ୍ତ୍ରୀ । ସେଥିପାଇଁ ରାଜ୍ୟକୁ ବନ୍ୟା ଦାଉ ବେଳେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦିଲ୍ଲୀ ଗସ୍ତ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି ।
ଉଲ୍ଲେଖଥାଉକି, ରାଜ୍ୟରେ ବର୍ଷା ଓ ବନ୍ୟା ଦୁର୍ଗତି କଥା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବେ ସମ୍ପୂର୍ଣ୍ଣ ବୁଝୁଛନ୍ତି । ଗତକାଲି ସାମ୍ବାଦିକ ସମ୍ମିଳନୀରେ ସେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ହାଜିରା ପକାଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ସରକାରୀ କାର୍ଯ୍ୟରେ ନୂଆଦିଲ୍ଲୀରେ ଥିଲେ ମଧ୍ୟ ସମଗ୍ର ପରିସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ଏବଂ ପ୍ରଶାସନକୁ ଆବଶ୍ୟକ ମାର୍ଗଦର୍ଶନ ଦେଉଛନ୍ତି ବୋଲି ସେ କହିଥିଲେ ।
ସିଆଡ଼େ, ଦିଲ୍ଲୀରେ ଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଟୁଇଟର(ଏକ୍ସ) ଜରିଆରେ ଜନସାଧାରଣଙ୍କୁ ବନ୍ୟା ପାଇଁ ଆଦୌ ବିଚଳିତ କିମ୍ବା ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ।