ଭୁବନେଶ୍ୱର : ଆଜି ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାଲିଠାରୁ ଆରମ୍ଭ ହେଉଥିବା ଇଣ୍ଡିଆ କେମ୍ ୨୦୨୬ ସମ୍ମିଳନୀର ଉଦଘାଟନୀ ସମାରୋହ ଏବଂ ସିଇଓ ରାଉଣ୍ଡଟେବୁଲ ବୈଠକରେ ଯୋଗଦେବେ । ସେଠାରେ ଓଡ଼ିଶା ନିଜର ଶିଳ୍ପ ଦକ୍ଷତା, ବିଶାଳ ଭିତ୍ତିଭୂମି, ପ୍ରଗତିଶୀଳ ନୀତି ଏବଂ ନିବେଶ ସମ୍ଭାବନାକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିବ । କେନ୍ଦ୍ର ରସାୟନ, ସାର ମନ୍ତ୍ରୀ ଜେ. ପି. ନଡ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଦେଶ-ବିଦେଶର ୨୦ରୁ ଉର୍ଦ୍ଧ୍ୱ ପ୍ରମୁଖ ଶିଳ୍ପ ସଂସ୍ଥାର କର୍ପୋରେଟ୍ ଅଧ୍ୟକ୍ଷ ମାନଙ୍କ ସହ ସିଧାସଳଖ ‘ୱାନ୍-ଟୁ-ୱାନ୍’ ଆଲୋଚନା କରିବେ। ବିଶେଷ କରି ଡାଉନ୍ଷ୍ଟ୍ରିମ୍ ଉତ୍ପାଦନ, ଶିଳ୍ପ ପ୍ରସାର ଏବଂ ନୂତନ ପ୍ରକଳ୍ପ ସ୍ଥାପନ ଉପରେ ଆଲୋଚନା ହେବ ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ସମ୍ମିଳନୀରେ ରାଜ୍ୟର ଅଂଶଗ୍ରହଣର ଅନ୍ୟତମ ମୁଖ୍ୟ ଆକର୍ଷଣ ହେବ ‘କୋଇଲା ଗ୍ୟାସୀକରଣ ପ୍ରକଳ୍ପ’ ଯାହା ଓଡ଼ିଶା ପାଇଁ ଶିଳ୍ପ ବିକାଶର ଏକ ନୂତନ ସୁଯୋଗ ସୃଷ୍ଟି କରିବ। ଏହା ସହିତ, ଶିଳ୍ପ ପରିବେଶକୁ ଅଧିକ ମଜବୁତ୍ କରିବା, ଭାଲ୍ୟୁ ଆଡିସନକୁ ପ୍ରୋତ୍ସାହିତ କରିବା ଏବଂ ରସାୟନ, ପେଟ୍ରୋକେମିକାଲ୍ସ, ପ୍ଲାଷ୍ଟିକ୍ସ ଓ ପ୍ୟାକେଜିଂ କ୍ଷେତ୍ରରେ ନିବେଶ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର, ବୃହତକାୟ କେମିକାଲ୍ ଶିଳ୍ପ ପାର୍କ ପ୍ରତିଷ୍ଠା ନେଇ ଘୋଷଣା କରିପାରନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶା ନିବେଶ ଆକର୍ଷିତ କରିବା, ପ୍ରକଳ୍ପର ଶୀଘ୍ର କାର୍ଯ୍ୟକାରିତା ଏବଂ ରୋଜଗାର ସୁଯୋଗ ସୃଷ୍ଟି ଉପରେ ଧ୍ୟାନ ଦେଇ ଏକ ଉଦୀୟମାନ ଶିଳ୍ପ ଗନ୍ତବ୍ୟସ୍ଥଳ ଭାବେ ନିଜ ସ୍ଥିତିକୁ ମଜବୁତ୍ କରିବାରେ ସଫଳ ହୋଇଛି। ରସାୟନ ଓ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ, ରାଜ୍ୟ ୫୬ଟି କମ୍ପାନୀକୁ ଆକର୍ଷିତ କରିଛି, ଯାହା ମାଧ୍ୟମରେ ୧,୯୩,୦୮୭.୯୪ କୋଟି ଟଙ୍କାର ପ୍ରସ୍ତାବିତ ନିବେଶ ଏବଂ ୧,୧୨,୩୨୪ ଜଣ ଆଶାୟୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।
ଇଣ୍ଡିଆ କେମ୍ ୨୦୨୬ରେ ଓଡ଼ିଶାର ଅଂଶଗ୍ରହଣ ସମ୍ପର୍କରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା କହିଛନ୍ତି, ଓଡ଼ିଶାର ଏକ ସୁଦୃଢ଼ ଶିଳ୍ପ ଭିତ୍ତିଭୂମି ରହିଛି ଏବଂ ବର୍ତ୍ତମାନ ଆମେ ରସାୟନ ଓ ପେଟ୍ରୋକେମିକାଲ୍ସ ଭଳି ଉଚ୍ଚ-ସମ୍ଭାବନାଯୁକ୍ତ କ୍ଷେତ୍ରରେ ନିଜର ସ୍ଥିତି ବିସ୍ତାର କରିବା ଉପରେ ଧ୍ୟାନ ଦେଉଛୁ। ଇଣ୍ଡିଆ କେମ୍ ୨୦୨୬ରେ ଆମର ଭାଗିଦାରୀ ପ୍ରମୁଖ କମ୍ପାନୀଗୁଡ଼ିକ ସହ ସିଧାସଳଖ ଆଲୋଚନା କରିବା, ରାଜ୍ୟର ନିବେଶ ସୁଯୋଗଗୁଡ଼ିକୁ ଉପସ୍ଥାପନ କରିବା ଏବଂ ଭବିଷ୍ୟତର ଅଭିବୃଦ୍ଧି ପାଇଁ ସହଯୋଗିତା ସ୍ଥାପନ କରିବାର ସୁଯୋଗ ଦେବ। ଆମର ଶିଳ୍ପ ଭିତ୍ତିଭୂମି, ପ୍ରଗତିଶୀଳ ନୀତି ଏବଂ ସମ୍ପଦର ସୁବିଧା ସହିତ, ଆମେ ରସାୟନ ଓ ପେଟ୍ରୋକେମିକାଲ୍ସ ଶିଳ୍ପ ପାଇଁ ଏକ ପ୍ରତିଯୋଗିତାମୂଳକ ପରିବେଶ ପ୍ରସ୍ତୁତ କରିବାକୁ କାର୍ଯ୍ୟ କରୁଛୁ। ପ୍ରସ୍ତାବିତ ସ୍ୱତନ୍ତ୍ର ବୃହତ୍ କେମିକାଲ୍ ଶିଳ୍ପ ପାର୍କ ଏବଂ କୋଇଲା ଗ୍ୟାସୀକରଣ ଉପରେ ଆମର ଧ୍ୟାନ ଏହି ପ୍ରୟାସକୁ ଆହୁରି ମଜବୁତ୍ କରିବ ଏବଂ ନିବେଶ, ମୂଲ୍ୟ ବୃଦ୍ଧି ଓ ନିଯୁକ୍ତି ସୃଷ୍ଟି ପାଇଁ ନୂତନ ପଥ ଉନ୍ମୋଚନ କରିବ।