ଭୁବନେଶ୍ୱର: ଜମ୍ମୁ କଶ୍ମୀରର ପୁଞ୍ଚ ସେକ୍ଟରରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳଙ୍କ ଅମ୍ଲାନ ସ୍ମୃତି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏଥିସହ ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଟଙ୍କା ଦିଆଯିବ ।
ସହିଦ ଦେବାଶିଷଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ଏହି ଦାରୁଣ ଦୁଃଖକୁ ସହ୍ୟ କରିବା ପାଇଁ ଭଗବାନ ସେମାନଙ୍କୁ ଧୈର୍ଯ୍ୟ ଓ ସାହାସ ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ପୁଞ୍ଚ ସେକ୍ଟରରେ ସୈନ୍ୟବାହିନୀର ଏକ ଗାଡ଼ିକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ଼ରେ ଗାଡ଼ିଟି ଜଳିଯାଇଥିଲା । ସେଥିରେ ଦେବାଶିଷଙ୍କ ସମେତ ୫ ଯବାନ ସହିଦ ହୋଇଥିଲେ ।