ଭୁବନେଶ୍ୱର: ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କର ଦ୍ୱିତୀୟ ଆସନ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ ନିଜର ନାମାଙ୍କନ ଭରିଛନ୍ତି । ଏହାପୂର୍ବରୁ ଗତ ୩୦ ତାରିଖରେ ସେ ନିଜର ପାରମ୍ପରିକ ଆସନ ହିଞ୍ଜିଳି ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ । ମୁଖ୍ୟମନ୍ତ୍ରୀ କ୍ରମାଗତ ଷଷ୍ଠ ଥର ପାଇଁ ଏଥର ନିର୍ବାଚନ ଲଢ଼ୁଛନ୍ତି ।
ମୁଖ୍ୟମନ୍ତ୍ରୀ ଆଜି ସକାଳ ପ୍ରାୟ ସାଢ଼େ ୧୦ଟାରେ ତୁଷରା ଏୟାରଷ୍ଟ୍ରିପ୍ ରେ ପହଞ୍ଚିବା ପରେ ହଜାର ହଜାର ଜନତା ତାଙ୍କୁ ସ୍ୱାଗତ କରିଥିଲେ । ପରେ ସେ ରୋଡ୍ ସୋ କରି ନାମାଙ୍କନପତ୍ର ଦାଖଲ ପାଇଁ ଟିଟିଲାଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସିଥିଲେ ।
ସେଠାରେ ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍, ବିଜେଡି ନେତା କଳିକେଶ ସିଂହଦେଓ, ମନ୍ତ୍ରୀ ଟୁକୁନି ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନପତ୍ର ଦାଖଲ କରିଥିଲେ । ନାମାଙ୍କନ ପତ୍ର ଦାଖଲ ପରେ ଦୁଇ ବନ୍ଧୁ ନବୀନ ଏବଂ ଅନଙ୍ଗଙ୍କ ମଧ୍ୟରେ ଅନ୍ତରଙ୍ଗ ଆଳାପ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ଉଭୟ ଉଭୟଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାର ବୁଝିବା ସହିତ ଅନେକ ସମୟ ଧରି କଥା ହୋଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏୟୁଙ୍କ ପୁଅ ବଲାଙ୍ଗୀରରୁ ଲଢ଼ୁଥିବା କଳିକେଶଙ୍କ ଶୁଭେଚ୍ଛା ଜଣାଇଥିଲେ ।