ଭୁୁବନେଶ୍ୱର: ଓଡ଼ିଶାବାସୀଙ୍କୁ ନୂଆବର୍ଷର ଭେଟି । ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମର ଆଜି ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରଙ୍ଗ ରତାଗଡ଼ରେ ଏହାର ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଥିଲା । ଭୁବନେଶ୍ୱର ବିମାନବନ୍ଦରରୁ କଟକ ତ୍ରିଶୂଳିଆ ପର୍ଯ୍ୟନ୍ତ ଏହି ମେଟ୍ରୋ ରେଳ କାମ ୪ ବର୍ଷରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିରେ ୬୨୫୫ କୋଟି ଟଙ୍କା ଖର୍ଚ୍ଚ ହେବ । ରାଜ୍ୟର ନିଜସ୍ୱ ବିଜେଟରୁ ଖର୍ଚ୍ଚ ହେଉଥିବା ଏହା ସବୁଠାରୁ ବଡ଼ ପ୍ରକଳ୍ପ ।
ମେଟ୍ରୋ ରେଳ ପ୍ରକଳ୍ପ ଶିଳାନ୍ୟାସ ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ନୂଆବର୍ଷରେ ନୂଆ ଓଡ଼ିଶା ଗଠନର ଆଜି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଭିତ୍ତି ପଡ଼ିଲା । ମେଟ୍ରୋ ରେଳ ପାଇଁ ପ୍ରତିଶ୍ରୁତି ଦେଇଥିଲି, ଆଜି ପୂରଣ କରୁଛି । ଆପଣମାନେ ଖୁସି ତ? ଜାତି ଇତିହାସରେ ଆଜିର ଦିନଟି ସ୍ମରଣୀୟ ହୋଇ ରହିବ । ଯୋଗାଯୋଗ କ୍ଷେତ୍ରରେ ଆସିବ ବଡ଼ ରୂପାନ୍ତର । ପୁରୁଣା ରାଜଧାନୀ କଟକ ଓ ନୂଆ ରାଜଧାନୀ ଭୁବନେଶ୍ୱର ସମ୍ପର୍କକୁ ମଜବୁତ କରିବ ।
୫-ଟି ଅଧୀନରେ ପ୍ରଥମ ପର୍ଯ୍ୟାୟରେ ସାରିବାକୁ ଥିବା ଭୁବନେଶ୍ୱର ବିମାନବନ୍ଦରଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପର ଦୂରତ୍ୱ ହେଉଛି ୨୬ କିମି । କ୍ୟାପିଟାଲ୍ ହସ୍ପିଟାଲ୍, ରାଜମହଲ ଛକ, ବାଣୀବିହାର ଛକ, ଜୟଦେବ ବିହାର ଛକ ଓ ପଟିଆ ଛକ ସମେତ ମୋଟ ୨୦ଟି ମେଟ୍ରୋ ରେଳ ଷ୍ଟେସନ୍ ନିର୍ମାଣ କରାଯିବ । ଏହି ପ୍ରକଳ୍ପର ବିଶେଷତ୍ୱ ହେଉଛି, Elevated Viaduct ଉପରେ ସମସ୍ତ ମେଟ୍ରୋ ଧାରଣା ଓ ଷ୍ଟେସନ ରହିବ । ଅତ୍ୟାଧୁନିକ ରେଳ କୋଚ ର ବ୍ୟବହାର କରାଯିବ । ଅତ୍ୟାଧୁନିକ ଟିକେଟ ବ୍ୟବସ୍ଥା ଏବଂ ସିଗନାଲ୍ ବ୍ୟବହାର କରାଯିବ ।
ପ୍ରକଳ୍ପର ଶିଳାନ୍ୟାସ ପାଇଁ ଆସିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରୁ ବାରଙ୍ଗ ରତାଗଡ଼ ପର୍ଯ୍ୟନ୍ତ ରାସ୍ତା ସାରା ଲୋକମାନେ ନୂଆବର୍ଷର ବିପୁଳ ସମ୍ବର୍ଦ୍ଧନା ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ବିଭିନ୍ନ ଛକରେ ଅଟକି ଲୋକଙ୍କୁ ପ୍ରତି ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଥିଲା ।
ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଲୋକମାନଙ୍କ ଏହି ଆନନ୍ଦ ତାଙ୍କୁ ଖୁସି ଦେଇଛି ବୋଲି କହିଥିଲେ । ନୂଆବର୍ଷରେ ଏହି ଖୁସି ଓ ଆନନ୍ଦ ସବୁ ଦିନ ରହୁ । ମହାପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିସହ ଓଡ଼ିଶା ବିକାଶରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।







