ଭୁବନେଶ୍ୱର: ନୂଆବର୍ଷରେ ନୂଆ ଷ୍ଟ୍ରାଟେଜିରେ ଆଗେଇଲା ବିଜୁ ଜନତା ଦଳ । ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଦଣ୍ଡ ଉଠାଇ ଦେଇଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୮ ସେପ୍ଟେମ୍ବର ୧୨ ତାରିଖରେ ସେ ଦଳରୁ ବହିଷ୍କୃତ ହୋଇଥିଲେ । ଲଗାତର ଭାବେ ଦଳ ବିରୋଧୀ ମନ୍ତବ୍ୟ ଦେବାରୁ ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ ଏଭଳି କଠୋର ପଦକ୍ଷେପ ଗ୍ରହଣ କରିଥିଲେ ।
ବିଜେଡିରୁ ବହିଷ୍କୃତ ହେବା ପରେ ଦାମ ବାବୁଙ୍କୁ ବିଜେପି ଶଙ୍ଖୋଳି ନେଇଥିଲା । ୨୦୧୯ ମାର୍ଚ୍ଚ ୧୪ ତାରିଖରେ ସେ ନୂଆଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଇଥିଲେ । ୭ ଥର ବିଧାୟକ ହୋଇଥିବା ବିଜେଡିର ଏହି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କୁ ବାଲିକୁଦା-ଏରସମାରୁ ବିଜେପି ୨୦୧୯ ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଥିଲା । ତାଙ୍କୁ ଷ୍ଟାର କ୍ୟାମ୍ପେନର୍ କରି ସାରା ରାଜ୍ୟ ବୁଲାଇଥିଲା । ମାତ୍ର ଦାମ ବାବୁ ନିଜେ ମାତ୍ର ୩୭ ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ରହି ଶୋଚନୀୟ ପରାଜୟ ବରଣ କରିଥିଲେ । ପରବର୍ତ୍ତୀ ସମୟରେ ୨୦୧୯ ଅକ୍ଟୋବର ୧୬ ରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ ।
ସେବେଠାରୁ ସେ ରାଜନୀତିରୁ ଏକ ପ୍ରକାର ସନ୍ୟାସ ନେଇଯାଇଥିଲେ । ବିଜେଡି ଫେରିବାକୁ ସେ ଉଦ୍ୟମ କରି ସଫଳ ହୋଇ ନ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଯାଇଥିବାରୁ ବହୁତ ଅନୁତାପ କରି ପ୍ରବଳ ମାନସିକ ଦୁଶ୍ଚିନ୍ତାରେ ଥିଲେ । ଏବେ ସେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି ।