୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି
ଭୁୁବନେଶ୍ୱର: କେବଳ ହିଞ୍ଜିଳି ନୁହେଁ, ପଶ୍ଚିମ ଓଡ଼ିଶାରୁ ଏଥର ବି ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଘୋଷିତ ପଞ୍ଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ତାଙ୍କ ନାଁ ସ୍ଥାନ ପାଇଛି । ପୂର୍ବ ଘୋଷିତ ତାଲିକାରେ ମୁଖ୍ୟମନ୍ତ୍ରୀ ତାଙ୍କ ପାରମ୍ପରିକ ଆସନ ହିଞ୍ଜିଳିରୁ ଷଷ୍ଠ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି । ସୁତରାଂ ଗତଥର ଭଳି ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ଲଢ଼ିବେ ।
ଅନ୍ୟପକ୍ଷରେ ସମ୍ବଲପୁରରୁ ପ୍ରାର୍ଥୀ ହୋଇଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରେଢ଼ାଖୋଲ ଆସନ ଦିଆଯାଇଥିବା ବେଳେ ତାଙ୍କ ଜାଗାକୁ ଯାଇଛନ୍ତି ରେଢ଼ାଖୋଲ ପ୍ରାର୍ଥୀ ରୋହିତ ପୂଜାରୀ । ସମ୍ବଲପୁରରୁ ପ୍ରାର୍ଥୀତ୍ୱକୁ ନେଇ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଅସନ୍ତୁଷ୍ଟ ଥିଲେ । ମୁଖ୍ୟମନ୍ତ୍ରୀ ଏହାକୁ ବିଚାର କରି ତାଙ୍କ ପୂର୍ବ ଆସନ ରେଢ଼ାଖୋଲରେ ଶ୍ରୀ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛନ୍ତି ।
ପୂର୍ବତନ ମନ୍ତ୍ରୀ ସମୀର ଦାଶଙ୍କ ଟିକେଟ କଟିଛି । ତାଙ୍କ ଜାଗାରେ ନିମାପଡ଼ାରୁ ଟିକେଟ୍ ପାଇଛନ୍ତି ଦିଲ୍ଲୀପ ନାୟକ । ନିମାପଡ଼ା ସମେତ କୁଚିଣ୍ଡା ଓ ଚିତ୍ରକୋଣ୍ଡା ବିଧାୟକଙ୍କ ଟିକେଟ୍ ମଧ୍ୟ କଟିଯାଇଛି । ଅନୁଗୁଳରେ ରଜନୀକାନ୍ତ ସିଂହଙ୍କ ପତ୍ନୀ ସଂଯୁକ୍ତା ସିଂହଙ୍କୁ ଟିକେଟ୍ ମିଳିଥିବା ବେଳେ ସାନଖେମୁଣ୍ଡିରୁ ନନ୍ଦିନୀ ଦେବୀଙ୍କ ଝିଅ ସୁଲକ୍ଷଣା ଗୀତାଞ୍ଜଳିଙ୍କୁ ଟିକେଟ୍ ଦେଇଛି ବିଜେଡି ।
କିଏ କେଉଁ ଆସନରୁ ପ୍ରାର୍ଥୀ
ଚିତ୍ରକୋଣ୍ଡା- ଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକ
କଣ୍ଟାବାଞ୍ଜି- ନବୀନ ପଟ୍ଟନାୟକ
ପଦ୍ମପୁର- ଶ୍ରୀମତୀ ବର୍ଷାସିଂହ ବରିହା
କୁଚିଣ୍ଡା- ରାଜେନ୍ଦ୍ର କୁମାର ଛତ୍ରିଆ
ଦେବଗଡ଼- ଶ୍ରୀମତୀ ଅରୁନ୍ଧତୀ କୁମାରୀ ଦେବୀ
ଅନୁଗୁଳ- ଶ୍ରୀମତୀ ସଂଯୁକ୍ତା ସିଂହ
ନିମାପଡ଼ା- ଦିଲ୍ଲୀପ କୁମାର ନାୟକ
ସାନଖେମୁଣ୍ଡି- ମିସ୍ ସୁଲକ୍ଷଣା ଗୀତାଞ୍ଜଳି ଦେବୀ
ଜୟପୁର- ଡ. ଇନ୍ଦିରା ନନ୍ଦ
ରେଢ଼ାଖୋଲ- ପ୍ରସନ୍ନ ଆଚାର୍ଯ୍ୟ
ସମ୍ବଲପୁର- ରୋହିତ ପୂଜାରୀ