ଭୁବନେଶ୍ୱର: ପଦ୍ମପୁର ନିର୍ବାଚନ ମଣ୍ଡଳୀର ତିନୋଟି ଜାଗାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ଭୋଟ ମାଗିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କେନ୍ଦୁପତ୍ର ତୋଳାଳୀଙ୍କ ସମସ୍ୟାଠାରୁ ଆରମ୍ଭ କରି ରେଳଲାଇନ୍, ଚାଷୀଙ୍କ ଇନପୁଟ୍ ସବସିଡି ଆଦି ଅଞ୍ଚଳର ବିଭିନ୍ନ ପ୍ରସଙ୍ଗ ଉଲ୍ଲେଖ କରିଥିଲେ । ଆଉ ବିରୋଧୀଙ୍କ ଅଭିଯୋଗର ଗୋଟି ଗୋଟି କରି ଜବାବ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ- ଗରିବ, ଚାଷୀଙ୍କ ହକ୍ ପାଇଁ ଲଢ଼ୁଛି । କଥାରେ ନୁହେଁ, ମୁଁ କାମରେ ବିଶ୍ୱାସ କରେ । ୨୦୨୩ ରେ ପଦ୍ମପୁର ଜିଲ୍ଲା ସ୍ୱପ୍ନ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ ପଦ୍ମପୁର ନିର୍ବାଚନୀ ସଭାରେ ଘୋଷଣା କରିଥିଲେ । ପଦ୍ମପୁରଠାରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସମାଜର ପ୍ରତିନିଧିମାନଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା ମଧ୍ୟ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କର ଆଜି ପ୍ରଥମ କାର୍ଯ୍ୟକ୍ରମ ଥିଲା ଝାରବନ୍ଧରେ । ଦିନ ପ୍ରାୟ ୧୧ଟାରେ ସତୀଭଟା ଏୟାରଷ୍ଟ୍ରିପ୍ ରୁ ସିଧା ଆସି ପହଞ୍ଚିଥିଲେ ଝାରବନ୍ଧ ସଭାରେ । ସେଠାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ଜନସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ ସବୁବେଳେ ଆପଣମାନଙ୍କ ସୁଖଦୁଃଖରେ ସାମିଲ ହୋଇଛି । ମୁଁ ଗରିବ ଲୋକଙ୍କ ହକ୍ ପାଇଁ ଲଢ଼ୁଛି । କେନ୍ଦୁପତ୍ର ତୋଳାଳୀଙ୍କ କଲ୍ୟାଣ ଓ ହକ୍ ପାଇଁ କାମ କରୁଛି । ଚାଷୀଙ୍କ କଲ୍ୟାଣ ଓ ହକ୍ ପାଇଁ କାମ କରୁଛି । ମା’ ମାନଙ୍କ ସଶକ୍ତିକରଣ ପାଇଁ ଆମେ କାମ କରୁଛୁ । ମା’ ମାନଙ୍କୁ ଉଦ୍ୟୋଗୀ କରିବା ଆମର ଲକ୍ଷ୍ୟ । ଜନଜାତି ଭାଇଭଉଣୀଙ୍କ କଲ୍ୟାଣ ପାଇଁ କାମ କରୁଛୁ । ମୁଁ କଥା ନୁହେଁ, କାମରେ ବିଶ୍ୱାସ କରେ । ଆପଣମାନଙ୍କ ସ୍ୱପ୍ନ ସାକାର ହେବ । ମୋର ଅନୁରୋଧ ବିଜେଡି ପ୍ରାର୍ଥୀନୀ ବର୍ଷା ସିଂ ବରିହାଙ୍କୁ ଆଶୀର୍ବାଦ କରନ୍ତୁ ।







