ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମୁଖା ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଓ ଲିଙ୍ଗରାଜ ମନ୍ଦିର କାମ ବନ୍ଦ କରିବାକୁ ସେ ଚେଷ୍ଟା କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ ଭୁବନେଶ୍ୱର ସାଂସଦ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି କହି ତୀବ୍ର ସମାଲୋଚନା କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍ ।
ମୁଖ୍ୟମନ୍ତ୍ରୀ ଓ ଶ୍ରୀ ପାଣ୍ଡିଆନ୍ ଆଜି ଭୁବନେଶ୍ୱର ଓ ପୁରୀ ଲୋକସଭା କ୍ଷେତ୍ରର ଖୋର୍ଦ୍ଧା ଓ ନୟାଗଡ଼ରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ଖୋର୍ଦ୍ଧା ସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ, ବିରୋଧୀମାନେ ମିଛ କଥା କହୁଛନ୍ତି । କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଭୁବନେଶ୍ୱର ସାଂସଦଙ୍କ ଉଦାହରଣ ଦେଇଥିଲେ । ପୁରୀ ଓ ଲିଙ୍ଗରାଜ ମନ୍ଦିର କାମ ବନ୍ଦ କରିବାକୁ ସେ ଚେଷ୍ଟା କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଲୋକଙ୍କ ଉତ୍ସାହ ଓ କରତାଳି ମଧ୍ୟରେ ମୁଖ୍ୟମନ୍ତ୍ରୀ ବିଜେଡିର ନିର୍ବାଚନୀ ପ୍ରତିଶ୍ରୁତି ଘୋଷଣା କରିଥିଲେ । ଆସନ୍ତା ଜୁଲାଇ ମାସରୁ ଆପଣମାନଙ୍କୁ ମାଗଣା ବିଜୁଳି ମିଳିବ, ଆପଣମାନେ ଖୁସି ତ ବୋଲି ପଚାରିଥିଲେ ମୁଖ୍ୟମନ୍ତ୍ରୀ ।
ଶ୍ରୀ ପାଣ୍ଡିଆନ୍ ତାଙ୍କ ଭାଷଣରେ ଭୁବନେଶ୍ୱର ସାଂସଦଙ୍କୁ ତୀବ୍ର ସମାଲୋଚନା କରିଥିଲେ । କହିଥିଲେ, ଭୁବନେଶ୍ୱର ସାଂସଦ ତାଙ୍କ ରିପୋର୍ଟ କାର୍ଡ ଦେଇ ଲେଖିଛନ୍ତି ଯେ ଜାତୀୟ ରାଜପଥ ନିର୍ମାଣରେ ୬,୪୦୦ କୋଟି ଖର୍ଚ୍ଚ ହୋଇଛି । ମାତ୍ର ଆପଣମାନେ କୁହନ୍ତୁ, ଜାତୀୟ ରାଜପଥ ନିର୍ମାଣରେ ସାଂସଦଙ୍କ ଭୂମିକା କ’ଣ? ସାଂସଦ ମନ୍ଦିର ବୁଲି ୱାଟର କୁଲର ଲଗାଉଛନ୍ତି । ଭୁବନେଶ୍ୱର ଲୋକେ ତାଙ୍କୁ କ’ଣ ଏଥିପାଇଁ ସାଂସଦ କରିଥିଲେ? ଭୁବନେଶ୍ୱର ସାଂସଦଙ୍କ କାମ କ’ଣ ହେବା ଉଚିତ୍ ବୋଲି ଶ୍ରୀ ପାଣ୍ଡିଆନ୍ ଦର୍ଶାଇଥିଲେ ।
କହିଥିଲେ, ସହରକୁ ମେଟ୍ରୋ ଆଣିବା, ରିଙ୍ଗ ରୋଡ୍ କରି ଆଖପାଖ ଅଞ୍ଚଳକୁ ଭୁବନେଶ୍ୱର ସହିତ ଯୋଡ଼ିବା ହେଉଛି ଭୁବନେଶ୍ୱର ସାଂସଦଙ୍କର କାମ । ଏହାଦ୍ୱାରା ଭୁବନେଶ୍ୱର ସହିତ ଖୋର୍ଦ୍ଧା, ବେଗୁନିଆ, ଜଟଣୀ ଆଦି ଅଞ୍ଚଳର ମଧ୍ୟ ଉନ୍ନତି ହୋଇପାରିବ । ଭୁବନେଶ୍ୱର ଅଭିବୃଦ୍ଧି ସମ୍ଭାବନାକୁ ବଢ଼ାଇବା ହେଉଛି ତାଙ୍କ କାମ । କିନ୍ତୁ ସେ ଛୋଟ କାମରେ ଲାଗିଛନ୍ତି । ଦେଶର ଅନ୍ୟ ସହରର ରାଜଧାନୀ ଅଞ୍ଚଳର ସାଂସଦମାନେ ସେମାନଙ୍କ ଅଞ୍ଚଳ ପାଇଁ ବଡ଼ ବଡ଼ ପ୍ରକଳ୍ପ ଆଣିପାରିଛନ୍ତି ।
ସାଂସଦଭାବେ ତାଙ୍କଠାରୁ ଆମର ଆଶା ଥିଲା ସେ ଭୁବନେଶ୍ୱର ପାଇଁ ଆଇଟି ପାର୍କ, ସଫ୍ଟୱେୟାର ପାର୍କ, ସି ଫୁଡ୍ ପାର୍କ, ମ୍ୟାନଫାକଚରିଂ କ୍ଲଷ୍ଟର୍, ଟେକ୍ସଟାଇଲ୍ ପାର୍କ ଆଦି ଅନେକ ଶିଳ୍ପ ଆଣିବେ । ସାଂସଦ ଭାବେ ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ । କିନ୍ତୁ ଆପଣଙ୍କ ସାଂସଦ କିଛି କରିନାହାନ୍ତି । ଆପଣଙ୍କ ଅଞ୍ଚଳର ଗର୍ବ ଓ ଗୌରବ ପାଇକ ବିଦ୍ରୋହ ବିଷୟରେ ସେ କିଛି କରିନାହାନ୍ତି । ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର ଚିଠି ଲେଖୁଥିଲେ ମଧ୍ୟ ସେ ଚୁପ୍ ଅଛନ୍ତି ବୋଲି ଶ୍ରୀ ପାଣ୍ଡିଆନ୍ କହିବା ସହ ଖୋର୍ଦ୍ଧାରେ ନବୀନ ସରକାରଙ୍କ ବିକାଶର ଚିଠା ଦେଇଥିଲେ ।

ସେହିଭଳି ନୟାଗଡ଼ ସଭାରେ ମୁଖ୍ୟମନ୍ତ୍ରୀ ଜୁଲାଇରୁ ମାଗଣା ବିଜୁଳି ଘୋଷଣା କରିବା ସହ ରାଜ୍ୟ ଓ ଜିଲ୍ଲାରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଲୋକଙ୍କ ମତାମତ ଲୋଡ଼ିଥିଲେ । ନୟାଗଡ଼ ପାଇଁ ବିପୁଳ ପୁଞ୍ଜିନିବେଶ ଯୋଜନା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଶଙ୍ଖ ଚିହ୍ନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ ଓ ଶ୍ରୀ ପାଣ୍ଡିଆନ୍ ନିବେଦନ କରିଥିଲେ ।







