ଭୁବନେଶ୍ୱର: ଶ୍ରଦ୍ଧା କିଏ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ସମ୍ପର୍କ କ’ଣ? ବିଜେପି ପକ୍ଷରୁ ଏହି ନାଁକୁ ନେଇ ଗତ କିଛି ଦିନ ହେବ ଟିକା ଟିପ୍ପଣୀ ଚାଲିଥିଲା । ବିଜେପି ନେତାମାନେ ବିଧାନସଭାଠାରୁ ଆରମ୍ଭ କରି ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମରେ ଶ୍ରଦ୍ଧା ନାଁ ସାମନାକୁ ଆଣି ବିଭିନ୍ନ ପ୍ରକାର କୁତ୍ସାରଟନା କରିବା ସହ ମୁଖ୍ୟମନ୍ତ୍ରୀଙ୍କଠାରୁ ଜବାବ ମାଗିଥିଲେ । ଆଜି ବିଧାନସଭା ଅଧିବେସନ ସରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହାର ଜବାବ ରଖିଛନ୍ତି । ବିଧାନସଭାରେ ବିବୃତି ରଖି ଶ୍ରଦ୍ଧା କିଏ ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଶ୍ରଦ୍ଧା ଜଣେ ଫିଜିଓଥେରାପିଷ୍ଟ । ମୋ ଫିଜିକାଲ୍ ଫିଟନେସ୍ ର ପାଇଁ ମୋ ଭଉଣୀ ସ୍ୱର୍ଗତ ଗୀତା ମେହେଟ୍ଟା ତାଙ୍କୁ ପଠାଇଥିଲେ । ତାଙ୍କୁ କୌଣସି ସରକାରୀ କ୍ୱାର୍ଟର ଦିଆଯାଇନାହିଁ କି ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଟ୍ରାଭେଲ୍ ବିଲ୍ ଦିଆଯାଇନାହିଁ ।
ଏହି ପରିପ୍ରେକ୍ଷୀରେ ବିରୋଧୀଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଧାନସଭାରେ ଆମେ ଆମର ମୂଲ୍ୟବାନ ସମୟ ଜନହିତକର ପ୍ରସଙ୍ଗ ଉପରେ ବିତାଇବା ଦରକାର ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କର ଏହି ବିବୃତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ସନ୍ତୁଷ୍ଟ କରିପାରିନାହିଁ । ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ମନ୍ଦିର ଭିତରେ କିଏ ନା ମୁଁ କଦଳୀ ଖାଇନି ଭଳି ବୋଲି ସେ କହିଛନ୍ତି । ଗୀତା ମେହେଟ୍ଟାଙ୍କୁ ପଚାରିବାକୁ ଆମେ କ’ଣ ସ୍ୱର୍ଗକୁ ଯିବୁ ବୋଲି ସେ କଟାକ୍ଷ କରି ଓଡ଼ିଶାରେ କ’ଣ ଫିଜିଓଥେରାପିଷ୍ଟ ନାହାନ୍ତି, ଗୋଆରୁ ଆସିବେ ବୋଲି ସେ ପଚାରିଛନ୍ତି ।
ବିରୋଧୀ ଦଳ ନେତାଙ୍କ ଏହି ବୟାନ ଉପରେ ଶାସକ ଦଳର ବିଧାୟକମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ବ୍ୟାପାରକୁ ନେଇ ବିରୋଧୀ ଦଳର ଏହା ହୀନ ଉଦ୍ୟମ ବୋଲି ସେମାନେ କହିଛନ୍ତି ।