ଭୁବନେଶ୍ୱର: ରାଜ୍ୟସଭାରେ ବିଜୁ ଜନତା ଦଳର ମୁଖ୍ୟ ସଚେତକ ଭାବେ ସାଂସଦ ମାନସ ମଙ୍ଗରାଜ ନିଯୁକ୍ତି ପାଇଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଆଜି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ସାଂସଦ ସୁଲତା ଦେଓ କାର୍ଯ୍ୟ କରୁଥିଲେ । ମାତ୍ର ସଭାପତି ତାଙ୍କୁ ହଟାଇ ମାନସ ମଙ୍ଗରାଜଙ୍କୁ ସେହି ପଦବୀରେ ବସାଇଛନ୍ତି ।
ମୁଖ୍ୟ ସଚେତକ ପଦରୁ ସୁଲତା ଦେଓ ଅଚାନକ ହଟିବା ପଛର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ବିଜେଡି ଜନ ସମ୍ପର୍କ ପଦଯାତ୍ରା ଶୁଭାରମ୍ଭ ମଞ୍ଚରେ ପ୍ରୋଟୋକଲ୍ ନ ମାନି ଉପରେ ପଡ଼ି ମୁଖ୍ୟମନ୍ତ୍ରୀଙ୍କ ବେକରେ ଉତ୍ତରୀୟ ପକାଇବା ତାଙ୍କ ପାଇଁ ମହଙ୍ଗା ପଡ଼ିଲା ବୋଲି ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଅତି ପାଖଲୋକ ଦେଖାଇ ହେବା ପାଇଁ ସଭାମଞ୍ଚରେ ଭୁବନେଶ୍ୱର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର ଏବଂ ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ମଧ୍ୟରେ ପ୍ରତିଯୋଗିତାର ଏହା ପରିଣାମ ବୋଲି କୁହାଯାଉଛି ।
ସେଦିନ ସଭାମଞ୍ଚରେ ପ୍ରଥମେ ଶ୍ରୀମୟୀ ମିଶ୍ର ଏକ ଦଳୀୟ ବଟନ ଷ୍ଟିକର୍ ଧରି ମଞ୍ଚାସୀନ ମୁଖ୍ୟମନ୍ତ୍ରୀଙ୍କ ଆଡକୁ ମାଡ଼ି ଆସିଥିଲେ । ତାଙ୍କର ଏଭଳି ଆଚରଣରେ ମୁଖ୍ୟମନ୍ତ୍ରୀଙ୍କ ବିରକ୍ତି ଭାବ ସତ୍ତ୍ୱେ ସେ ଜୋର ଜବରଦସ୍ତି ତାଙ୍କ ଜାମାରେ ଲଗାଇଥିଲେ । ଶ୍ରୀମୟୀଙ୍କ ଷ୍ଟିକର୍ ପିନ୍ଧା ସରୁ ସରୁ ଆରପଟୁ ସୁଲତା ଦେଓ ଏକ ଉତ୍ତରୀୟ ଜବରଦସ୍ତି ମୁଖ୍ୟମନ୍ତ୍ରୀଙ୍କ ବେକରେ ବାନ୍ଧି ଦେଇଥିଲେ ଏବଂ ପାଦଛୁଇଁ ମୁଣ୍ଡିଆ ମାରିଥିଲେ । ମୁଖ୍ୟମନ୍ତ୍ରୀ ଏଥିରେ ଭୀଷଣ ରାଗିଯିବା ସହ ବ୍ୟାଚ୍ ଏବଂ ଉତ୍ତରୀୟ କାଢ଼ି ଦେଇଥିଲେ । ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ସମାଲୋଚକମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇଛନ୍ତି । ଏପଟେ ଦଳୀୟ ନେତ୍ରୀଙ୍କ ଆଚରଣକୁ ନେଇ ବିଜେଡି ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।