ଭୁବନେଶ୍ୱର: ଚଳିତ ଏସୀୟ କ୍ରୀଡ଼ାରେ ଓଡ଼ିଆ ପୁଅ କିଶୋର ଜେନାଙ୍କୁ ମିଳିଛି ଐତିହାସିକ ସଫଳତା । ଜାଭଲିନ୍ ଥ୍ରୋରେ ରୌପ୍ୟ ପଦକ ଜିତିଛନ୍ତି ଆମ ବ୍ରହ୍ମଗିରିର ପୁଅ କିଶୋର । ଚତୁର୍ଥ ଥ୍ରୋରେ ୮୭.୫୪ ମିଟର ଫିଙ୍ଗି ସେ ଏହି ପଦକ ଜିତିଛନ୍ତି । ଏହି କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ବଜାୟ ରଖିଛନ୍ତି ଭାରତର ନୀରଜ ଚୋପ୍ରା । ୮୮.୮୮ ମିଟର ଫିଙ୍ଗି ସ୍ୱର୍ଣ୍ଣ ବଜାୟ ରଖିଛନ୍ତି ।
ସୂଚନାଥାଉକି, ଗତ ଅଗଷ୍ଟ ମାସରେ ବୁଦାଫେଷ୍ଟ୍ ବିଶ୍ୱ ପ୍ରତିଯୋଗିତାରେ ନୀରଜ ସ୍ୱର୍ଣ୍ଣ ପଦକ ପାଇଥିଲା ବେଳେ କିଶୋର ପଞ୍ଚମ ସ୍ଥାନରେ ରହିଥିଲେ । ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ସହ କିଶୋର ଜେନାଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା ମିଳିଛି । ଭାରତୀୟ ଆଥଲେଟିକ ମହାସଂଘ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।
ନୀରଜ ଓ କିଶୋରଙ୍କର ଏହି ସଫଳତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେମାନଙ୍କ ବିଜୟରେ ଦେଶ ଉଲ୍ଲସିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଦେଢ଼କୋଟି ଘୋଷଣା କଲେ: ଏସୀୟ କ୍ରୀଡ଼ାରେ ଇତିହାସ ରଚିଥିବା ଓଡ଼ିଆ ପୁଅ କିଶୋର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ସହ ତାଙ୍କ ପାଇଁ ଦେଢ଼କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି । ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ ରେ ତାଙ୍କର ପ୍ରସ୍ତୁତି ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।