ଆସନ୍ତା ଏକ ସପ୍ତାହ ମଧ୍ୟରେ ସବୁ ହିତାଧିକାରୀ ପାଇବେ BSKY ସ୍ମାର୍ଟ କାର୍ଡ
ଭୁବନେଶ୍ୱର: କୋଭିଡ୍ ର ନୂଆ ଭାରିଏଣ୍ଟ ଓମିକ୍ରନ୍ ଲହରୀ ଆସିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ସାରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସାରା ପୃଥିବୀରେ ଓମିକ୍ରନ୍ ତା’ର ପ୍ରଭାବ ବିସ୍ତାର କରୁଛି । ଓଡ଼ିଶାରେ ମଧ୍ୟ ୮ଟି କେସ୍ ଦେଖାଦେଇଛି । ଆଗାମୀ ଦିନରେ ଏହାର ପ୍ରଭାବ ଆହୁରି ବଢ଼ିପାରେ । ତେଣୁ ଆମକୁ ଅଧିକ ସତର୍କ ରହିବା ସହିତ ଏହାକୁ ରୋକିବା ପାଇଁ ଆଗୁଆ ପଦକ୍ଷେପ ନେବାକୁ ପଡ଼ିବ ।
ଓମିକ୍ରନ୍ ପାଇଁ ପ୍ରସ୍ତୁତି ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ୱୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଜି ସମୀକ୍ଷା କରିବା ସହ ସଂପୃକ୍ତ ବିଭାଗଗୁଡ଼ିକୁ ସଜାଗ କରିଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି
• ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ କର ।
• ଦ୍ୱିତୀୟ ଲହରୀ ସମୟରେ ଥିବା କୋଭିଡ୍ ଚିକିତ୍ସା ବ୍ୟବସ୍ଥା ଓ ସୁବିଧାକୁ ପୁନଃ କାର୍ଯ୍ୟକ୍ଷମ କରି ପ୍ରସ୍ତୁତ ରଖ ।
• ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାରା ରାଜ୍ୟରେ ଶିଶୁ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କର ।
• ପୁଲିସ ବିଭାଗ କୋଭିଡ୍ ନିୟମର ଦୃଢ଼ ଅନୁପାଳନକୁ ସୁନିଶ୍ଚିତ କରୁ ।
• ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ନୂଆ ସଚେତନତା ଅଭିଯାନ କରାଯାଇ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ଓ ହାତ ଧୋଇବା ସମ୍ପର୍କରେ ସଚେତନ କରାଯାଉ ।
• ଜିଲ୍ଲାପାଳମାନେ ଲୋକଙ୍କୁ ସଚେତନ କରିବା ପାଇଁ ସମାଜର ସବୁ ବର୍ଗର ଲୋକ ବିଶେଷ କରି ପଞ୍ଚାୟତ ପ୍ରତିନିଧଇ, ମିଶନ ଶକ୍ତି ଗୋଷ୍ଠୀ ଓ ଅନ୍ୟମାନଙ୍କୁ ସାମିଲ କରି କାର୍ଯ୍ୟକ୍ରମ ଗ୍ରହଣ କରନ୍ତୁ ।
• ହସ୍ପିଟାଲ୍ ଗୁଡ଼ିକରେ ଅକ୍ସିଜେନ୍ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉ ।
ଏହି ଅବସରରେ ଜନସାଧାରଣଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ ସତର୍କ ରହିବା ସହିତ ସମସ୍ତ କୋଭିଡ ନିୟମର ଅନୁପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏଥିପାଇଁ ସରକାରୀ କର୍ତ୍ତୃପକ୍ଷଙ୍କ ସହିତ ସହଯୋଗ କରିବା ପାଇଁ ମଧ୍ୟ ସେ ନିବେଦନ କରିଛନ୍ତି ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା। ସ୍ମାର୍ଟ ହେଲ୍ଥ କାର୍ଡ ଗୁଡିକର ସୂଚାରୁ ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତ ବିଭାଗ ଓ ଅଧିକାରୀ ମାନଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ଏହି ଯୋଜନା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବହୁତ ପ୍ରଭାବ ରହିଛି ।
ଏହି କାର୍ଯ୍ୟକ୍ରମରେ ଅନୁବନ୍ଧିତ ବେସରକରୀ ହସ୍ପିଟାଲ ଗୁଡିକରେ ଯୋଜନାର କାର୍ଯ୍ୟାନ୍ୱୟନ ସଂପର୍କରେ ନିୟମିତ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲପାଳ ଓ ଏସ୍.ପି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳ ଓ ଏସ୍.ପି ମାନଙ୍କ ସହିତ ନିୟମିତ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ସମସ୍ତ କୋଭିଡ ହସ୍ପିଟାଲ ଗୁଡିକୁ ପ୍ରସ୍ତୁତ କରି ରଖାଯାଇଛି ଏବଂ ଆବଶ୍ୟକ ଔଷଧ ଓ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍.କେ ଶର୍ମା କହିଥିଲେ ଯେ ଓମିକ୍ରନର ପ୍ରସାରକୁ ରୋକିବା ପାଇଁ ଅଧିକ ସତର୍କତାମୂଳକ ପଦକ୍ଷେପ ସହିତ ନିୟମର ଦୃଢ ଅନୁପାଳନ ଓ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଛି । ଆସନ୍ତା ତିନି ସପ୍ତାହ ମଧ୍ୟରେ ପ୍ରଥମ ଓ ଦ୍ବିତୀୟ ଡୋଜ ନେଇ ନଥିବା ସମସ୍ତ ବ୍ୟକ୍ତିଙ୍କୁ ଟୀକା ଦିଆଯିବ। ଅକ୍ସିଜେନ ପାଇଁ ୮୨ଟି PSA Plant ଓ ୧୫ଟି LMO Plant କରାଯିବ। ସବୁ ଚିକିତ୍ସାଳୟରେ ଆବଶ୍ୟକ ଅକ୍ସିଜେନ୍ର ବ୍ୟବସ୍ଥା ରହିଛି ବୋଲି ସେ କହିଥିଲେ। ସେହିପରି କୋଭିଡ ହସ୍ପିଟାଲ ଗୁଡିକରେ ୬୬୮୪ଟି ବେଡ ରହିଛି ଏବଂ ପିଲାଙ୍କ ପାଇଁ ୧୧୯୪ଟି ବେଡ୍ ପ୍ରସ୍ତୁତ ହୋଇ ରହିଛି ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଉପସ୍ଥାପନା ରଖି ସେ କହିଥିଲେ ଯେ ଏହି ଯୋଜନାରେ ଓଡିଶାର ୨୭୫ଟି ବେସରକାରୀ ହସ୍ପିଟାଲ ଅନୁବନ୍ଧିତ ହୋଇଛନ୍ତି । ୫୫ଟି ଜାତୀୟ ସ୍ତରର ହସ୍ପିଟାଲ ଖୁବ ଶୀଘ୍ର ଏହି ଯୋଜନାରେ ସେବା ଯୋଗାଇ ଦେବେ ବୋଲି ସେ କହିଥିଲେ । ସମସ୍ତ ହିତାଧିକାରୀଙ୍କ ମଧ୍ୟରୁ ୯୫ ପ୍ରତିଶତ ସ୍ମାର୍ଟ କାର୍ଡ ପାଇସାରିଲେଣି ବୋଲି ସେ କହିଥିଲେ ।
ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ କୋଭିଡ ପ୍ରୋଟୋକଲ୍ ଅନୁପାଳନ ପାଇଁ ପୋଲିସର ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାଯୀ ଜିଲ୍ଲାପାଳ ଓ ଏସ୍.ପି ମାନେ ବେସରକାରୀ ହସ୍ପିଟାଲ ଗୁଡିକ ସହିତ BSKY ଯୋଜନା ସଂପର୍କରେ ନିୟମିତ ବୈଠକ କରିବା ଆବଶ୍ୟକ । ଏହାଦ୍ୱାରା ଯୋଜନାର ସଫଳ ରୂପାୟନ ହୋଇପାରିବ । ଯେଉଁ ଜିଲ୍ଲା ଗୁଡିକରେ କମ୍ ହିତାଧିକାରୀ କାର୍ଡ ପାଇଛନ୍ତି, ଆସନ୍ତା ଏକ ସପ୍ତାହ ମଧ୍ୟରେ ତ୍ୱରାନ୍ୱିତ କରି ସମସ୍ତଙ୍କୁ କାର୍ଡ ଦେବା ପାଇଁ ସେ କହିଥିଲେ ।
ବୈଠକରେ ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ଉଚ୍ଚପଦାଧିକାରୀ, ଜିଲ୍ଲାପାଳ ଓ ଏସ୍.ପି ମାନେ ଯୋଗ ଦେଇଥିଲେ ।