ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ । ଏହାର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କୋଟି ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜଗନ୍ନାଥଙ୍କ ଇଚ୍ଛା ବିନା ପତ୍ରଟିଏ ମଧ୍ୟ ହଲେନାହିଁ । ମହାପ୍ରଭୁଙ୍କ ଇଚ୍ଛାରେ ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବାକୁ ଯାଉଛି ପ୍ରକଳ୍ପ । ଆମର ପରମ ସୌଭାଗ୍ୟ ଯେ ଆମେ ପରିକ୍ରମା ପ୍ରକଳ୍ପର ସାକ୍ଷୀ ହୋଇ ପାରିଛୁ । ଶାନ୍ତି ଓ ଦିବ୍ୟ ଆନନ୍ଦର ସହ ଭକ୍ତମାନେ ଯେପରି ଶ୍ରୀମନ୍ଦିର ପରିକ୍ରମା କରିବେ, ତାହା ପରିକ୍ରମା ପ୍ରକଳ୍ପର ଲକ୍ଷ୍ୟ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ସାରା ଓଡ଼ିଶା ପାଇଁ ଉତ୍ସବର ଦିନ । ଦିନଟିକୁ ସମସ୍ତେ ମହାପ୍ରଭୁଙ୍କୁ ସମର୍ପଣ କରି ପାଳନ କରିବାକୁ ଅନୁରୋଧ । ଲୋକାର୍ପଣ ଦିନ ଆମେ ଦୀପ ଜାଳିବା, ଶଙ୍ଖ ଫୁଙ୍କିବା, ଘଣ୍ଟ ବଜାଇବା । ନିଜ ନିଜ ସ୍ଥାନରେ ଭଜନ ଗାଇବା, କୀର୍ତ୍ତନ କରିବା, ପ୍ରଭୁ ନାମ ଜପିବା । ଲୋକାର୍ପତ ହେବାକୁ ଥିବା ପ୍ରକଳ୍ପ ଓଡ଼ିଆ ଜାତିର ଇତିହାସରେ ଏକ ଗୌରବମୟ ମୁହୂର୍ତ୍ତ । ପ୍ରକଳ୍ପ ଲାଗି ଜମି ଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ । ପ୍ରକଳ୍ପ ଲାଗି ତ୍ୟାଗ କରିଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି ।