ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଠୋର ଆଭିମୁଖ୍ୟର ଆଉ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ଗିରଫ ହୋଇ ଝାରପଡ଼ା ଜେଲ୍ ରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆସିଥିବା ଦୁର୍ନୀତିର ଲୋକାୟୁକ୍ତ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ସୁପାରିଶ କରିଛନ୍ତି । ଲୋକାୟୁକ୍ତ ଗଠନ ପରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଦୁର୍ନୀତି ପ୍ରଥମ ମାମଲା ଯାହାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପାରିଶ କରାଯାଇଛି ।
ସାଧାରଣ ଜୀବନରେ ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ । ଜନସାଧାରଣଙ୍କୁ ସ୍ୱଚ୍ଛ ଶାସନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ କୁହାଯାଇଛି ।
ସୂଚନାଥାଉକି, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଗିରଫ ହୋଇ ଏବେ ଝାରପଡ଼ା ଜେଲ୍ ରେ ଅଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଦୁର୍ନୀତିରେ ପୋତି ହୋଇଥିବା ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକ ଏବଂ ଟାଟା ମୋଟର୍ସର ଜାଲ୍ ଏମଡି ପରିଚୟ ଦେଇ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକିଥିବା ତାଙ୍କ ପୁଅ ଆକାଶ ପାଠକ ଭିଜିଲାନସ୍ ଓ କ୍ରାଇମବ୍ରାଞ୍ଚ ହାତରେ ଧରାପଡ଼ିବା ପରେ ବିଧାୟକଙ୍କ ଭୂମିକା ସାମନାକୁ ଆସିଥିଲା । ଆକାଶଙ୍କୁ ଜ୍ୱାଇଁ କରିବାକୁ ଯାଉଥିବା ପ୍ରଦୀପ ପାଣିଗ୍ରାହୀ ଭାବୀ ସମୁଦୀ ଓ ଜ୍ୱାଇଁଙ୍କ ଦୁର୍ନୀତି ଓ ଠକେଇ କାର୍ଯ୍ୟରେ ସହଯୋଗ କରି ଆସୁଥିବା ଅଭିଯୋଗ ହୋଇଛି । ଭାବୀ ଜ୍ୱାଇଁଙ୍କ ପକ୍ଷରୁ ବିଧାୟକ ନିଜ ନିର୍ବାଚନମଣ୍ଡଳୀର ବେକାର ଯୁବକଯୁବତୀଙ୍କୁ ଟାଟା ମୋଟର୍ସରେ ଜାଲ୍ ନିଯୁକ୍ତିପତ୍ର ଦେଇ ଲକ୍ଷ ଲକ୍ଷ ଟଙ୍କା ଠକିଥିବା କ୍ରାଇମବ୍ରାଞ୍ଚ ତଦନ୍ତରୁ ଧରାପଡ଼ିବା ପରେ ଗିରଫ ହୋଇଛନ୍ତି ।
ଖାଲି ସେତିକି ନୁହେଁ, ଏଇ ୪ ମାସ ଭିତରେ ବିଧାୟକଙ୍କ ଆକାଉଣ୍ଟରେ ଅଢ଼େଇ କୋଟି ଟଙ୍କା ଡିପୋଜିଟ୍ ହୋଇଛି । ଗଞ୍ଜାମ ଜିଲ୍ଲାର ଜଣାଶୁଣା ମଦ ମାଫିଆ, ବାଲି ଓ ମୋରମ୍ ମାଫିଆଙ୍କଠାରୁ ଏହି ଟଙ୍କା ଆସିଛି । ବିଧାୟକଙ୍କ ଆକାଉଣ୍ଟରେ ସେମାନେ ଏତେ ଟଙ୍କା ଡିପୋଜିଟ୍ କରିବା ପଛର ରହସ୍ୟକୁ ଛାନଭିନ୍ କରୁଛି କ୍ରାଇମବ୍ରାଞ୍ଚ ।
ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏକଦା ମୁଖ୍ୟମନ୍ତ୍ରୀଙ୍କର ବିଶ୍ୱସ୍ତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିର ପ୍ରତିନିଧି ଭାବେ ଅଖଣ୍ଡ କ୍ଷମତା ଉପଭୋଗ କରୁଥିଲେ । ପରବର୍ତ୍ତୀ ସମୟରେ ଗୋପାଳପୁର ନିର୍ବାଚନମଣ୍ଡଳୀରୁ ତିନି ତିନି ଥର ବିଧାୟକ ନିର୍ବାଚିତ ହୋଇଥିଲେ । ଗତ ସରକାରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଉଚ୍ଚଶିକ୍ଷା ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ ଦେଇଥିଲେ । ତେବେ କ୍ଷମତାର ଦୁରୁପଯୋଗ କରି ବିଧାୟକ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିଲେ ବୋଲି ଏବେ ଗଦା ଗଦା ଅଭିଯୋଗ ।
ନିଜ ଜିଲ୍ଲା ଗଞ୍ଜାମ କରୋନା କବଳର ଶୀର୍ଷରେ ଥିବା ବେଳେ ବିଧାୟକ ତାଙ୍କର ଭାବି ସମୁଦୀ ଓ ଜ୍ୱାଇଁଙ୍କ ସହ ଚାର୍ଟର ଫ୍ଲାଇଟ୍ ରେ ବୁଲି ଅୟସ କରୁଥିଲେ । ତାଙ୍କର ଏହି ଜନବିରୋଧୀ କାର୍ଯ୍ୟ ପାଇଁ ନଭେମ୍ବର ୨୯ ତାରିଖରେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡ଼ିରୁ ବହିଷ୍କୃତ କରିଥିଲେ । ସାଇବର୍ କ୍ରାଇମ୍ ରେ ରୁଜୁ ମାମଲା ଆଧାରରେ ଡିସେମ୍ବର ୩ ତାରିଖରେ କ୍ରାଇମବ୍ରାଞ୍ଚ ସିଆଇଡି ତାଙ୍କୁ ସରକାରୀ ବାସଭବନରୁ ଉଠାଇ ନେଇ ଗିରଫ କରିଥିଲା । ତାଙ୍କ ବିରୋଧରେ ୪୧୯,୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦(ବି) ଏବଂ ଆଇଟି ଆକ୍ଟର ଧାରା ୬୬ ସି/୬୬ ଡି ରେ ମାମଲା ରୁଜୁ ହୋଇଛି ।