ଭୁବନେଶ୍ୱର: ବାପାଠାରୁ ପୁଅ ଆହୁରି ବଡ଼ ଖେଳୁଆଡ । କୋଟି କୋଟି ଟଙ୍କା ସରକାରୀ ଅର୍ଥ ଚଳୁ କରିଥିବା ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ୨୫ ବର୍ଷୀୟ ପୁଅ ଆକାଶ ପାଠକଙ୍କ ଜାଲିଆତି କାହାଣୀ କୌଣସି ସୁପର ହିଟ୍ ଫିଲ୍ମ କାହାଣୀଠାରୁ କମ୍ ନୁହେଁ । ନିଜକୁ ଟାଟା ମୋଟର୍ସ ଏମଡି ବୋଲାଇ ଫେକ୍ ସାମ୍ରାଜ୍ୟ ମେଲାଇଥିବା ଆକାଶ ପାଠକର ଜାଲିଆତି କାରସାଦି, ଥାଟବାଟ ସବୁର ଖୁଲାସା କରିଛନ୍ତି ତାଙ୍କର ପର୍ସନାଲ୍ ଆସିଷ୍ଟାଣ୍ଟ ଭାବେ ଚାକିରି କରିଥିବା ଡେଭିଡ୍ ପିଟର ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଟାଟା ମୋଟର୍ସର ନକଲି ଏମଡି ଆକାଶ ଠାକୁରଙ୍କ ଜାଲିଆତି କାରବାରରେ ଭାଗିଦାର ଥିଲେ ତାଙ୍କ ନିଜ ପରିବାର ଓ ଭାବୀ ଶ୍ୱଶୁର ଘରର ପରିବାର ଲୋକେ । ପୁନେରେ ଦୁଇଟି ଫ୍ଲାଟ୍, ଗୋଟିଏ ଫାର୍ମ ହାଉସ୍ ଭଡ଼ାରେ ନେଇ ଅୟସ କରୁଥିବା ଆକାଶ ପାଖକୁ ବାପା ମାଆ, ଭାବୀ ପତ୍ନୀ, ଶାଶୁ, ଶ୍ୱଶୁର ଯାଉଥିଲେ । ୩୨ ଲକ୍ଷ ଟଙ୍କା ଭଡ଼ାରେ ଚାର୍ଟର ଫ୍ଲାଇଟ୍ ଧରି ଦୁଇ ପରିବାର ଭୁବନେଶ୍ୱର, ମୁମ୍ବାଇ, ଦିଲ୍ଲୀ ବୁଲୁଥିଲେ । ମୁମ୍ବାଇ ଓ ଦିଲ୍ଲୀର ଦାମୀ ତାଜ୍ ପ୍ୟାଲେସ୍ ହୋଟେଲରେ ରହୁଥିଲେ ।
ପିଏ ଡେଭିଡ୍ ଙ୍କ ବୟାନ ଅନୁଯାୟୀ, ଆକାଶ ପାଠକଙ୍କ ଫ୍ଲାଇଟ୍ ବୁକିଂ, ହୋଟେଲ୍ ବୁକିଂ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା । ପୂର୍ବରୁ ମନୀଷା କୁଲକର୍ଣ୍ଣି ନାଁରେ ଫ୍ଲାଇଟ୍ ବୁକ୍ ହେଉଥିଲା । ମାତ୍ର ସେ ଚାକିରି କରିବା ଦିନୁଁ ସେ ଏହି ଦାୟିତ୍ୱ ବୁଝୁଥିଲେ । ବର୍ଷେ ଭିତରେ ପ୍ରାୟ ୧୫ ଥର ଚାର୍ଟର ଫ୍ଲାଇଟ୍ ବୁକ୍ ହୋଇଥିଲା । ୮ ଜଣିଆ ଫ୍ଲାଇଟ୍ ର ଭଡ଼ା ଥିଲା ୮ ଲକ୍ଷ ଟଙ୍କା । ଗତ ଦିପାବଳୀ ବେଳେ ୧୮ ଜଣିଆ ଚାର୍ଟର୍ ଫ୍ଲାଇଟ୍ ବୁକ୍ ହୋଇଥିଲା, ଯାହାର ଭଡ଼ା ଥିଲା ୩୨ ଲକ୍ଷ ଟଙ୍କା । ସେଥିରେ ବୁଲିଥିଲେ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କ ପରିବାର । ଦିଲ୍ଲୀର ତାଜ୍ ପ୍ୟାଲେସ୍ ହୋଟେଲ୍ ରେ ସେମାନେ ୪ ଦିନ ବିତାଇଥିଲେ ।
ଏଇ ଦୁଇ ମାସ ଭିତରେ ଦୁଇ ପରିବାର ଏକାଧିକ ଥର ଏକାଠି ବୁଲିଛନ୍ତି, ହୋଟେଲ୍ ରେ ରହିଛିନ୍ତି । ଆକାଶ ପାଠକଙ୍କ ବାହାଘର ପାଇଁ ବେଶ୍ ଜାକଜମକ ପ୍ରସ୍ତୁତି ଚାଲିଥିଲା । ରାଜସ୍ଥାନ ଉଦୟପୁରର ତାଜ୍ ପ୍ୟାଲେସ୍ ରେ ବାହାଘର ପାଇଁ ବୁକିଂ ସରିଥିଲା । ସେଥିପାଇଁ ୨୦ ଲକ୍ଷ ଟଙ୍କା ଆଡଭାନସ୍ ମନି ଦିଆଯାଇଥିଲା । ବାହାଘର ପାଇଁ ସପିଂ ବି ସରିଥିଲା ।
ପୁନେରେ ଆକାଶଙ୍କ ଘର, ଅଫିସ୍
ପୁନେରେ ଆକାଶ ଦୁଇଟି ଆପାର୍ଟମେଣ୍ଟ ଏବଂ ଗୋଟେ ଫାର୍ମ ହାଉସ୍ ଭଡ଼ାରେ ରଖିଥିଲେ । ସେଥିରୁ ଗୋଟିଏ ଆପାର୍ଟମେଣ୍ଟ(ୱାଟର୍ସ ଆପାର୍ଟମେଣ୍ଟ) ର ଭଡ଼ା ଥିଲା ମାସକୁ ୩.୨୦ ଲକ୍ଷ ଟଙ୍କା । ସେଠି ଅଫିସ୍ ବି ଚାଲୁଥିଲା । ନିଜ ଘରର କି ଭାବୀ ଶ୍ୱଶୁର ପରିବାରର ଲୋକ ଆସିଲେ ସେହି ଆପାର୍ଟମେଣ୍ଟ ଏବଂ ଫାର୍ମ ହାଉସ୍ ରେ ରହୁଥିଲେ ।
ଅନଲାଇନ୍ ରେ ଇଣ୍ଟରଭ୍ୟୁ, ଚାକିରି
ପିଟର୍ ତାଙ୍କ ୮ ମାସର ଚାକିରି କାଳର ଅନୁଭୂତିରେ କହିଛନ୍ତି, କିଛି ମାସ ତଳେ ଗ୍ରାଜୁଏଟ୍, ମ୍ୟାନେଜମେଣ୍ଟ ଟ୍ରେନି ଏବଂ ଅନ୍ୟାନ୍ୟ ୮୦ ପଦବୀ ପାଇଁ ଆକାଶ ଟାଟା କମ୍ପାନୀ ନାଁରେ ଅନଲାଇନ୍ ବିଜ୍ଞାପନ ଦେଇଥିଲେ । ଆବେଦନକାରୀଙ୍କ ସଟ୍ ଲିଷ୍ଟ କରାଯିବା ପରେ ଜୁମ୍ ଆପ୍ ଜରିଆରେ ଦୁଇଟି ପର୍ଯ୍ୟାୟରେ ସାକ୍ଷାତକାର ନିଆଯାଇଥିଲା । ଏମଡିଙ୍କ ଆଦେଶରେ କିଛି ପ୍ରାର୍ଥୀଙ୍କ ସାକ୍ଷାତକାର ସେ ନିଜେ ନେଇଥିବା ପିଟର୍ କହିଛନ୍ତି । ଜିଟି ପ୍ରାର୍ଥୀଙ୍କୁ ବାର୍ଷିକ ୬ ଲକ୍ଷ ଏବଂ ଏମଟିି ପ୍ରାର୍ଥୀଙ୍କ ପାଇଁ ୧୨ ଲକ୍ଷ ପ୍ୟାକେଜ୍ ରଖାଯାଇଥିଲା । ସିଲେକ୍ସନ୍ ହେଉଥିବା ପ୍ରାର୍ଥୀମାନଙ୍କୁ ଅନଲାଇନ୍ ଟ୍ରେନିଂ ଦେବା ପାଇଁ ୫ ଜଣ ନିଯୁକ୍ତ ଥିଲେ । ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ଡିସେମ୍ବର ମାସରେ ନିଯୁକ୍ତିପତ୍ର ଦିଆଯାଇଥାଆନ୍ତା ।
ବ୍ରହ୍ମପୁରର ସର୍ବେଶ୍ୱର ରାଓ ଥିଲେ ଏଜେଣ୍ଟ
ବ୍ରହ୍ମପୁରର ସର୍ବେଶ୍ୱର ରାଓ ନାମକ ଜଣେ ବ୍ୟକ୍ତି ଆକାଶଙ୍କ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ଓଡ଼ିଶାର ବିଭିନ୍ନ କଲେଜରେ କ୍ୟାମ୍ପସ୍ ଚୟନ ତାଙ୍କ ଦାୟିତ୍ୱରେ ଚାଲୁଥିଲା । ତାଙ୍କ ସହିତ ସେ ଦୁଇ ତିନି ଥର ଫୋନ୍ ରେ କଥା ହୋଇଛନ୍ତି ମାତ୍ର ତାଙ୍କୁ ଦେଖିନାହାନ୍ତି । ତେବେ ସେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପଠାଉଥିଲେ ବୋଲି ପିଟର୍ କହିଛନ୍ତି । ଅନ୍ୟପକ୍ଷରେ ସର୍ବେଶ୍ୱର ରାଓ ଜଣେ ଅବସରପ୍ରାପ୍ତ ଅଧ୍ୟାପକ ଏବଂ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କର ଖାସ୍ ସହଯୋଗୀ ବୋଲି ଜଣାପଡ଼ିଛି ।
ନିଜ ଚାକିରି ସମ୍ପର୍କରେ କହିଲେ ପିଟର୍
ପୂର୍ବରୁ ଏକ ସଂସ୍ଥାରେ ଚାକିରି କରୁଥିବା ଡେଭିଡ୍ ପିଟର୍ ଚାକିରି ଛାଡ଼ି ଘରେ ବସିଥିଲେ । ବର୍ଷେ ତଳେ ଟାଟା ମୋଟର୍ସ ଏମଡି ଆକାଶ ଠାକୁରଙ୍କ ପର୍ସନାଲ୍ ଆସିଷ୍ଟାଣ୍ଟ (ରେସିଡେନ୍ସ) ଚାକିରିର ବିଜ୍ଞାପନ ଅନଲାଇନ୍ ରୁ ଦେଖି ଆବେଦନ କରିଥିଲେ । ୩ ଜଣ ଆବେଦନକାରୀଙ୍କ ମଧ୍ୟରୁ ଇଣ୍ଟରଭ୍ୟୁ ଜରିଆରେ ଆକାଶ ତାଙ୍କୁ ସିଲେକ୍ସନ୍ କରିଥିଲେ । ମାସିକ ୨୫ ହଜାର ଟଙ୍କା ଦରମାରେ ଚାକିରି ଛିଣ୍ଡିଥିଲା । ଆଗକୁ ଦରମା ୫ ହଜାର ବଢ଼ିବ ବୋଲି ମଧ୍ୟ କଥା ଦେଇଥିଲେ । ତେବେ କମ ଦରମା ପାଇଁ ତାଙ୍କର ମନଦୁଃଖ ନ ଥିଲା । କାରଣ ଟାଟା ମୋଟର୍ସ ଭଳି ନାମୀ କମ୍ପାନୀର ଏମଡିଙ୍କ ପିଏ ଚାକିରି ତାଙ୍କ କ୍ୟାରିୟର୍ ପାଇଁ ବହୁତ ବଡ଼ ଥିଲା । ତେଣୁ ସେ ବହୁତ ଖୁସି ଥିଲେ । ଏମଡିଙ୍କ ରେସିଡେନ୍ସ ପିଏ ଥିବାରୁ ଅଫିସ୍ କାରବାର ସମ୍ପର୍କରେ ତାଙ୍କୁ କିଛି ଜଣା ନ ଥିଲା ବୋଲି ପିଟର୍ କହିଛନ୍ତି । ଟ୍ରାଭେଲ୍ ପାଇଁ ବିମାନ ବୁକିଂ କରିବା, ହୋଟେଲ୍ ବୁକିଂ ତାଙ୍କର ମୁଖ୍ୟ କାମ ଥିଲା । ଏଥିସହ ଏମଡିଙ୍କ ଇ-ମେଲ୍ ଚେକ୍ କରିବା, ଅନଲାଇନ୍ ରେ ଚାକିରି ଆବେଦନ କରୁଥିବା ଯୁବକଙ୍କର ଇଣ୍ଟରଭ୍ୟୁ କାମ ତାଙ୍କୁ କରିବାକୁ ପଡୁଥିଲା ।
ଆକାଶ ପାଠକ ଅଫିସ୍ ମିଟିଂ ନାଁରେ ଚାର୍ଟର ଫ୍ଲାଇଟ୍ ରେ ବାରମ୍ବାର ମୁମ୍ବାଇ, ଦିଲ୍ଲୀ ଯାଉଥିଲେ । ସାଙ୍ଗରେ ଯାଉଥିଲେ ବାଉନସର୍ । ଆକାଶଙ୍କ ସାଙ୍ଗରେ ସେ ଏବଂ ଆଉ କିଛି କର୍ମଚାରୀ ଅନେକଥର ବି ଯାଇଛନ୍ତି । ସେଠାରେ ତାଜ୍ ପ୍ୟାଲେସ୍ ହୋଟେଲ୍ ରେ ଆକାଶ ରହୁଥିଲେ ଏବଂ ଅନ୍ୟ ଛୋଟମୋଟ ହୋଟେଲ୍ ରେ ସେମାନଙ୍କୁ ରହିବାକୁ ଦିଆଯାଉଥିଲା । ତେବେ ଆକାଶ ପ୍ରକୃତରେ କେଉଁ ମିଟିଂରେ ଯୋଗଦେଉଛନ୍ତି ନା ନାହିଁ ତାହା ଜାଣିବା ସମ୍ଭବ ନ ଥିଲା । ଏମଡିଙ୍କ ରେସିଡେନ୍ସ ପିଏ ଭାବରେ ଚାକିରି କରୁଥିବାରୁ ଅଫିସ୍ ମାମଲା ଜାଣିବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା ବୋଲି ପିଟର୍ କହିଛନ୍ତି ।
ପିଟର୍ ଙ୍କ ଉପରେ ଚଡ଼କ
ନଭେମ୍ବର ୨୫ ତାରିଖ ସକାଳେ ପିଟର୍ ରହୁଥିବା ଘରେ ଭୁବନେଶ୍ୱରରୁ ଯାଇଥିବା ଭିଜିଲାନସ୍ ଟିମ୍ ହଠାତ୍ ଚଢ଼ାଉ କରିଥିଲେ । ଏହି ଅତର୍କିତ ଚଢ଼ଉରୁ ପିଟର୍ କିଛି ବୁଝି ପାରିନଥିଲେ । ଭିଜିଲାନସ୍ ଟିମ୍ ତାଙ୍କ ଅଫିସ୍ ବି ରେଡ୍ କରିଥିଲେ । ଦୁଇ ଦିନ ଯାଏଁ ଚଢ଼ାଉ ଚାଲିଥିଲେ ମଧ୍ୟ ତାଙ୍କ ପାଖରୁ କୌଣସି କାଗଜପତ୍ର କି ଟଙ୍କା ପଇସା ମିଳି ନ ଥିଲା ବୋଲି ପିଟର୍ କହିଛନ୍ତି । ପରଦିନ ଭୁବନେଶ୍ୱରରୁ ଯାଇଥିବା କ୍ରାଇମବ୍ରାଞ୍ଚ ଟିମ୍ ମଧ୍ୟ ତାଙ୍କୁ ପଚରାଉଚୁରା କରିଥିଲା । ସବୁ ଘଟଣା ଜାଣିଲା ପରେ ତଦନ୍ତରେ ମୁଁ ସମ୍ପୂର୍ଣ୍ଣ ସହଯୋଗ କରୁଛି ବୋଲି ପିଟର୍ କହିଛନ୍ତି । ଅଧିକ ପଚରାଉଚୁରା ପାଇଁ ପିଟର୍ ଙ୍କୁ ପୁନେରୁ ଭୁବନେଶ୍ୱର ଅଣାଯାଇଛି । ତଦନ୍ତକାରୀ ଅଧିକାରୀଙ୍କ ଆଗରେ ଆକାଶ ପାଠକଙ୍କ ସମ୍ପର୍କରେ ଜାଣିଥିବା ସବୁ ଗୁମର ଖୋଲିଛନ୍ତି ଡେଭିଡ୍ ପିଟର୍ । ଟାଟା ମୋଟର୍ସର ସେ ପ୍ରକୃତ ଏମଡି ନୁହଁନ୍ତି ଜାଣିଲା ପରେ ପିଟର୍ ଙ୍କ ମୁଣ୍ଡ ଗୋଲ୍ ହୋଇଯାଇଛି ।