ଭୁବନେଶ୍ୱର: ଆଜି ବିଜୁ ବାବୁଙ୍କ ଜୟନ୍ତୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶା ଗସ୍ତ କରି ୩୦୮୧ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ଏହି ସବୁ ପ୍ରକଳ୍ପ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଆମପାଣିଠାରେ ବିଜୁ ଏକ୍ସପ୍ରେସ ୱେ ଏବଂ ସୋହେଲାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଅର୍ଥନୈତିକ କରିଡ଼ର ଲୋକାର୍ପଣ କରିଛନ୍ତି । ଏହି ତିନୋଟି ଜିଲ୍ଲାର ମିଶନ ଶକ୍ତି ମା’ ମାନଙ୍କୁ ୪୨ କୋଟି ଟଙ୍କାର ଋଣ ସହାୟତା ତଥା ସୁଧ ରିହାତି ମଧ୍ୟ ପ୍ରଦାନ କରିଛନ୍ତି ।

ସେ କଥା ନୂହେଁ କାମ ରେ ବିଶ୍ୱାସ କରନ୍ତି ବୋଲି ତାଙ୍କ ଉକ୍ତି କୁ ଦୋହରାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ଅର୍ଥନୈତିକ କରିଡରକୁ ପୁଞ୍ଜିପତିମାନଙ୍କୁ ଆକର୍ଷଣ କରିବା ପାଇଁ ପ୍ରୋତ୍ସାହନ ଭାବରେ ଅତିରିକ୍ତ ୩୦ ପ୍ରତିଶତ ରିହାତି ନିବିଶେକମାନଙ୍କୁ ମିଳିବ। ଶିଳ୍ପ ବିକାଶ କାର୍ଯ୍ୟ ତ୍ଵରାନିତ କରିବା ପାଇଁ ଆଗୁଆ ଜମି ଅଧିଗ୍ରହଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ବିଜୁ ଅର୍ଥନୈତିକ କରିଡର ଦ୍ଵାରା ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ନୁଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାବାସୀ ବିଶେଷ ଭାବରେ ଉପକୃତ ହେବେ। ପଶ୍ଚିମ ଓ ଦକ୍ଷିଣ ଓଡିଶା ମଧ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ଘଟିବ। ପର୍ଯ୍ୟଟନର ମଧ୍ୟ ବିକାଶ ଘଟିବ।







