ଭୁବନେଶ୍ୱର: ଦୀର୍ଘ ୯ ମାସ ଧରି ବନ୍ଦ ରହିଥିବା ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ଆସନ୍ତା ଜାନୁଆରୀ ୧୧ରୁ ଖୋଲିବ । ତେବେ ସବୁ ଶ୍ରେଣୀ ନୁହେଁ, ଶେଷ ସେମିଷ୍ଟର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ କେବଳ କ୍ଲାସ୍ ହେବ । ଜୁନ୍ ୧୧ ରୁ ଜୁନ୍ ୩୦ ମଧ୍ୟରେ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହୋଇ ଜୁଲାଇ ୧୫ ତାରିଖ ସୁଦ୍ଧା ଫଳ ପ୍ରକାଶ ପାଇବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।
ୟୁଜି ଶେଷବର୍ଷ ଏବଂ ପିଜି ଶେଷବର୍ଷ ଛାତ୍ରଛାତ୍ରୀମାନଙ୍କ ପାଇଁ ନିୟମିତ ଭାବେ କ୍ଲାସରୁମ୍ ପାଠପଢ଼ା ହେବ । ଅନ୍ ଲାଇନ୍ ରେ ଯାହା ବି ପାଠପଢ଼ା ହୋଇଥାଉନା କାହିଁକି, କ୍ଲାସରୁମ୍ ରେ ସିଲାବସ୍ ର ସବୁ ଚାପଟର୍ ପଢ଼ାଯିବ । ପରୀକ୍ଷା ଦିନ, ସବୁ ରବିବାର, ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ, ଫେବୃଆରୀ ୧୬ ସରସ୍ୱତୀ ପୂଜା ଏବଂ ଏପ୍ରିଲ୍ ୧ ଉକ୍ରଳ ଦିବସକୁ ଛାଡ଼ିଦେଲେ ଆଉ କୌଣସି ଛୁଟି ରହିବ ନାହିଁ ।
କୋଭିଡ୍ ଗାଇଡଲାଇନ୍ କୁ କଡ଼ାକଡ଼ି ଭାବେ ସମସ୍ତେ ମାନିବାକୁ ବାଧ୍ୟ । କଣ୍ଟେନମେଣ୍ଟ ଜୋନ୍ ରୁ ଶିକ୍ଷକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କୁ କଲେଜ/ବିଶ୍ୱବିଦ୍ୟାଳୟ ଆସିବାକୁ ବାରଣ କରାଯାଇଛି । ସମସ୍ତେ ମୁହଁରେ ମାସ୍କ ପିନ୍ଧିବେ ଏବଂ ବାରମ୍ବାର ହାତ ସଫା କରି ସାନିଟାଇଜର୍ ବ୍ୟବହାର କରିବେ । କ୍ଲାସରୁମ୍, ଲାଇବ୍ରେରୀ, ଲାବୋରେଟୋରି ଆଦିରେ ୬ ଫୁଟ୍ ଦୂରତ୍ୱ ରକ୍ଷା ହେବ ।
ୟୁଜି/ ପିଜି ପିଲାଙ୍କ ପାଇଁ ହଷ୍ଟେଲ୍ ବି ଖୋଲାଯିବ । ପିଏଚଡି, ଏମ.ଫିଲ୍ ସମେତ ରିସର୍ଚ୍ଚ ସ୍କଲାରଙ୍କ ପାଇଁ ବି ଖୋଲା ହେବ ହଷ୍ଟେଲ୍ । କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ଜାନୁଆରୀ ୧୦ରୁ ହଷ୍ଟେଲ୍ ଖୋଲାଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।
ଆସନ୍ତା ୮ ତାରିଖରୁ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଗତକାଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ୍ ୨୮ ପର୍ଯ୍ୟନ୍ତ ପାଠପଢ଼ା ହେବ । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଶନିବାର/ରବିବାରକୁ ମିଶାଇ ୧୦୦ ଦିନ ପାଠପଢ଼ା ହେବ । କୋଭିଡ କଟକଣା ଭିତରେ କିଭଳି ପାଠପଢ଼ା ହେବ ସେଥିନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ବା ମାର୍ଗଦର୍ଶିକା ଜାରି ହୋଇଛି ।
ମେ’ ୩ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ ମେ’ ୧୫ ତାରିଖରେ ଶେଷ ହେବ । ଚଳିତବର୍ଷ ମୋଟ ୮୦ ନମ୍ବର ପରୀକ୍ଷା ହେବ । ଏଥିରୁ ୫୦ ନମ୍ବର ଅବଜେକ୍ଟିଭ୍ ପ୍ରଶ୍ନ ଓ ଅବଶିଷ୍ଟ ୩୦ ନମ୍ବର ସବଜେକ୍ଟିଭ୍ ପ୍ରଶ୍ନ ରହିବ । ଅବଜେକ୍ଟିଭ୍ ପ୍ରଶ୍ନର ଉତ୍ତର ଓଏମଆର ମାଧ୍ୟମରେ ଦିଆଯିବ ।
ସେହିଭଳି ମେ’ ୧୫ ରୁ +୨ ପରୀକ୍ଷା ଆରମ୍ଭ ହେବ । ଏପ୍ରିଲ୍ ୨୯ ରୁ ମେ’ ୧୪ ପର୍ଯ୍ୟନ୍ତ +୨ ପ୍ରାକ୍ଟିକାଲ୍ ପରୀକ୍ଷା ଅନୁଷ୍ଠିତ ହେବ । ଏହାପରେ ମେ’ ୧୫ ରୁ ଜୁନ୍ ୧୧ ପର୍ଯ୍ୟନ୍ତ ଥିଓରି ପରୀକ୍ଷା ହେବ ।