ନୂଆଦିଲ୍ଲୀ/ଭୁବନେଶ୍ୱର: ପାଖାପାଖି ବର୍ଷେ କାଳ କରୋନା ଭୂତାଣୁ କବଳରେ ସଢ଼ୁଥିବା ଆମ ଭାରତୀୟଙ୍କ ପାଇଁ ଖୁସିର ଖବର । ଗୋଟିଏ ଦିନରେ ଦୁଇ ଦୁଇଟି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କରୋନା ଟୀକାକୁ ମିଳିଛି ଜରୁରୀକାଳୀନ ବ୍ୟବହାର ଅନୁମତି । ସେ ଦୁଇଟି ଟୀକା ହେଲା କୋଭାକ୍ସିନ୍ ଏବଂ କୋଭିସିଲଡ ।
ଭାରତ ବାୟୋଟେକ୍ ଏବଂ ଆଇସିଏମଆର ଦ୍ୱାରା କୋଭାକ୍ସିନ୍ ପ୍ରସ୍ତୁତ ହୋଇଥିଲା ବେଳେ ପୁନେର ସେରମ୍ ଇନଷ୍ଟିଚ୍ୟୁଟ୍ ଏବଂ ଭେଜଷ କମ୍ପାନୀ ଆଷ୍ଟ୍ରଜେନେକା ପ୍ରସ୍ତୁତ କରିଛି କୋଭିସିଲଡ୍ । ଭାରତର ଔଷଧ ମହାନିୟନ୍ତ୍ରକ(ଡିସିଜିଆଇ) ଆଜି ଏହି ଦୁଇଟି ଟୀକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ।
ଡିଜିସିଆଇର ଏହି ନିଷ୍ପତ୍ତିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରି ଖୁସି ପ୍ରକଟ କରିଛନ୍ତି । ଖୁବ୍ ଶୀଘ୍ର ଦେଶରେ ଟୀକାକରଣ କାର୍ଯ୍ୟ ଆରମ୍ଭ ହୋଇ ଜୁନ୍ ସୁଦ୍ଧା ମାଗଣାରେ ସମସ୍ତଙ୍କୁ ଟୀକାକରଣ କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ।
ଓଡ଼ିଶାରେ ଆଗୁଆ ଟୀକା ପହଞ୍ଚିବା ନେଇ ମଧ୍ୟ ରାଜ୍ୟ ସରକାର ଆଶା ବାନ୍ଧିଛନ୍ତି । ସେରମ୍ ଇନଷ୍ଟିଚ୍ୟୁଟ୍ ମୁଖ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଥେଷ୍ଟ ପୂର୍ବରୁ ଏ ନେଇ କଥା ହୋଇଛନ୍ତି ।