ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ଶାସନର ମଙ୍ଗ ଧରିଛନ୍ତି ବିଜେପି ସରକାର । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କ ପାଇଁ ମନ୍ତ୍ରୀପଦର ଏହା ନୂଆ ଅଭିଜ୍ଞତା । ସରକାରୀ ଆଦବକାଇଦାରେ ଅନଭିଜ୍ଞ ନୂଆ ସରକାରକୁ ବାଟକୁ ଆଣିବା ପାଇଁ ଆମ ସରକାରୀ ବାବୁମାନେ ଅଧିକ ଉତ୍ସାହିତ । ଏହି ସୁଯୋଗରେ ନୂଆ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ଶୁଭଦୃଷ୍ଟିରେ ରହିବା ପାଇଁ ସେମାନଙ୍କ ମଧ୍ୟରେ ଆରମ୍ଭ ହୋଇଛି ପ୍ରତିଯୋଗିତା । ଯାହା ଏବେ ସମସ୍ୟା ସୃଷ୍ଟି କଲାଣି । ସମନ୍ୱୟ ଅଭାବରୁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଲଗାମ ରହୁନାହିଁ । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏହାର ଝଲକ ଦେଖିବାକୁ ମିଳିଛି ।
ଯେମିତିକି, ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ । ଜୁନ୍ ୨୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜାରି କରାଗଲା । ସେଥିରେ କୁହାଗଲା, ଆଜିଠାରୁ ମୁଖ୍ୟମନ୍ତ୍ରୀ ପ୍ରତିଦିନ ୨ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ । ଭୁବନେଶ୍ୱରରେ ଥିବା ବେଳେ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ଶୁଣିବେ ଏବଂ ଅଭିଯୋଗପତ୍ର ଗ୍ରହଣ କରି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବେ ।
ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଜାରି ଏହି ପ୍ରେସ୍ ରିଲିଜ୍ ସବୁ ଟିଭିରେ ବ୍ରେକିଂ ଖବର ହୋଇ ଚାଲିଲା । ମାତ୍ର କୌଣସି କାରଣରୁ ଦୁଇ ଘଣ୍ଟା ପରେ ଏହି ପ୍ରେସ୍ ରିଲିଜ୍ କୁ ସେହି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ହଟାଇ ଦିଆଗଲା । ଅବଶ୍ୟ ଖବରର ଗୁରୁତ୍ୱ ଦୃଷ୍ଟିରୁ ପରଦିନ ପ୍ରମୁଖ ଖବରକାଗଜ ଗୁଡ଼ିକ ଏହି ହଟିସାରିଥିବା ପ୍ରେସ୍ ରିଲିଜ୍ କୁ ପ୍ରଥମ ପୃଷ୍ଠାରେ ଛାପିଲେ । କ’ଣ ପାଇଁ ଏହା ହଟିଲା, କେହି ପ୍ରଶ୍ନ କଲେନି ।
ସୂଚନାଥାଉକି, ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟ ଅତିଥି ଭବନର ଅସ୍ଥାୟୀ କାର୍ଯ୍ୟାଳୟଠାରେ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଲୋକଙ୍କ ଅଭିଯୋଗ ଶୁଣିଥିଲେ ଏବଂ ପରଦିନ ଦିଲ୍ଲୀ ଗସ୍ତ କରିଥିଲେ ।
ଇତିମଧ୍ୟରେ ଆଜି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଉପରେ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ-
ଏତଦ୍ୱାରା ରାଜ୍ୟର ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ମାନ୍ୟବର ମୁଖ୍ୟମନ୍ତ୍ରୀ ଆସନ୍ତା ୧.୭.୨୪ ତାରିଖ ଦିବା ୧୧ ଘଟିକା ସମୟରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ୟୁନିଟ୍-୫, ଭୁବନେଶ୍ୱରଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ ।
ଏହି ଅଭିଯୋଗ ଶୁଣାଣି ପାଇଁ ପଞ୍ଜିକରଣ ସେହିଦିନ ଦିବା ୯ ଘଟିକାରୁ ୧୨ ଘଟିକା ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ହେବ । ଏଣୁ ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ଜଣାଇ ଦିଆଯାଉଛି କି ଆଗ୍ରହୀ ବ୍ୟକ୍ତିମାନେ ଉକ୍ତ ଅଭିଯୋଗ ଶୁଣାଣି ସ୍ଥାନରେ ଉପରୋକ୍ତ ସମୟରେ ଉପସ୍ଥିତ ରହି ନିଜର ପଞ୍ଜିକରଣ କରାଇ ଅଭିଯୋଗଗୁଡ଼ିକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜଣେଇ ପାରିବେ ।
ସାଧାରଣ ପ୍ରଶାସନ ବିଭାଗର ଏହି ବିଜ୍ଞପ୍ତି ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି । ପ୍ରକୃତରେ ମୁଖ୍ୟମନ୍ତ୍ରୀ ସେଇ ଗୋଟିଏ ଦିନ ଅର୍ଥାତ୍ କେବଳ ସୋମବାର ଦିନ ଜନ ଶୁଣାଣି କରିବେ ନା ଭୁବନେଶ୍ୱରରେ ଥିବା ବେଳେ ସବୁଦିନ ଅପରାହ୍ନ ୩ଟାରୁ ୫ ଟା ଯାଏଁ କରିବେ ତାହା ସ୍ପଷ୍ଟ ହୋଇପାରୁନାହିଁ ।
ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ଇସ୍ତାହାର ଆଧାରରେ ସବୁ ଗଣମାଧ୍ୟମ ମୁଖ୍ୟମନ୍ତ୍ରୀ ପ୍ରତିଦିନ ଦୁଇଘଣ୍ଟା ଲୋକଙ୍କ ଅଭିଯୋଗ ଶୁଣିବେ ବୋଲି ଖବର କରିଥିବାରୁ ଲୋକେ ତାହାକୁ ବିଶ୍ୱାସ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାର ସ୍ପଷ୍ଟୀକରଣ ଦିଆଯାଇ ଲୋକଙ୍କ ମନରେ ଥିବା ଦ୍ୱନ୍ଦ ଦୂର କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।