ଜୟପୁର/ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସ୍ଥାନୀୟ ବିକ୍ରମ ଦେବ କଲେଜର ପ୍ଲାଟିନମ୍ ଜୟନ୍ତୀ ସମାରୋହରେ ଆଜି ଯୋଗଦେବାକୁ ଆସିଥିବା ମୁଖ୍ୟମନ୍ତ୍ରୀଙ୍କୁ ମନଭରି ସ୍ୱାଗତ କରିଛନ୍ତି । ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରାରେ ସଭାସ୍ଥଳ ଫଟାଇଛନ୍ତି । ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଏବଂ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସଙ୍କୁ ମଧ୍ୟ ପ୍ରଶଂସାରେ ପୋତି ପକାଇଛନ୍ତି ।
ସଭାମଞ୍ଚରେ ଉପସ୍ଥିତ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇ ତାରା କହିଥିଲେ, କୋରାପୁଟ/ଜୟପୁର ମାଟିର ସୌଭାଗ୍ୟ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମ କଲେଜକୁ ଆସିଛନ୍ତି । କଲେଜକୁ ବିଶ୍ୱବିଦ୍ୟାଳୟ ଘୋଷଣା କରି ଇତିହାସ ସୃଷ୍ଟି କରିଛନ୍ତି । ଏ ମାଟି ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ବହୁତ ଦରଦ ଅଛି । ତାରା ତାଙ୍କ ଭାଷଣରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାରେ ଗଦ ଗଦ ହୋଇ ବାରମ୍ବାର ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଦେଇଥିଲେ । ନବୀନଙ୍କ ପାଇଁ ଲଗା ତାଳି ବୋଲି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଡାକ ଛାଡ଼ିଥିଲେ ।
ଭାଷଣରେ ୫-ଟି ସଚିବ ପାଣ୍ଡିଆନ୍ ଏବଂ ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସଙ୍କୁ ଧନ୍ୟବାଦ ଏବଂ ପ୍ରଶଂସା କରିଥିଲେ । କୋରାପୁଟ ମାଟିର ଉନ୍ନତି ପଛରେ ଦୁଇ ଜଣଙ୍କର ଉଦ୍ୟମକୁ ଇସାରା କରିଥିଲେ । ତାରା ଅତ୍ୟଧିକ ଉତ୍ସାହିତ ହୋଇ ବବି ଦାସଙ୍କୁ ଆମର ସାଂଗଠନିକ ସମ୍ପାଦକ ବୋଲି କହି ଦେଇଥିଲେ ।
ତାରାଙ୍କ ଭାଷଣ ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏବଂ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ମୁରୁକା ହସ ମାରୁଥିବା ଦେଖିବାକୁ ମିଳିଥିଲା ।
ସଭା ସରିଲା ପରେ ତାରାଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ଘେରିଥିଲେ । ଆପଣଙ୍କ ମୁହଁରେ ନବୀନ ପଟ୍ଟନାୟକଙ୍କର ଏମିତି ବନ୍ଦନା? ବିଜେଡିରେ ଯୋଗ ଦେଉଛନ୍ତି କି ବୋଲି ପ୍ରଶ୍ନ କରିଥିଲେ । ମାତ୍ରା ତାରା ତାଙ୍କର ସ୍ୱଭାବ ସୁଲଭ ଢ଼ଙ୍ଗରେ କଥାଟାକୁ ହାଲୁକା କରିବାକୁ ଚେଷ୍ଟା କରିଥିଲେ । ନାଁ.. ନାଁ.. । କଂଗ୍ରେସ ଦଳରେ ଜନ୍ମ, କଂଗ୍ରେସରେ ମରିବି ବୋଲି ରୋକଠୋକ ଜଣାଇଥିଲେ । ସେ କହିଥିଲେ, ମୁଖ୍ୟମନ୍ତ୍ରୀ ଅମ ମାଟିକୁ ଅତିଥି ହୋଇ ଆସିଥିଲେ । ତାଙ୍କୁ ସ୍ୱାଗତ କରିବା ମୋର ଧର୍ମ । ରାଜନୀତି ଛାଡ଼ି ଘରେ ବସିବି ପଛେ । ମୋର ଦଳ ବଦଳେଇବାର ନାହିଁ । ବିଜେଡିବାଲା ମୋତେ ସବୁବେଳେ ଡାକୁଛନ୍ତି । କିନ୍ତୁ ମୋର ଯିବାର ନାହିଁ । କଂଗ୍ରେସ ବିଧାୟକ ହୋଇଥିଲେ ମଧ୍ୟ ମୁଁ ଯାହା ଚାହୁଁଛି, ସେୟା ହେଉଛି । ମୋର କାମ ଦରକାର ।
ତାରାଙ୍କ ଏଭଳି ସଫେଇ ପଛରେ ସତ୍ୟତା କେତେ ତାହା ଅଗକୁ ଜଣାପଡ଼ିବ । ମାତ୍ର ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଉ ଏକ ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ମୁଖ୍ୟମନ୍ତ୍ରୀ ସଭାମଞ୍ଚକୁ ଗଲା ବେଳେ ତାଙ୍କୁ ସ୍ୱାଗତ କରିବା ପାଇଁ ପଛେ ପଛେ ପୂର୍ବତନ ବିଧାୟକ ରବି ନନ୍ଦ ଯାଉଛନ୍ତି । ସେତିକିବେଳେ ବିଜେଡି ସାଂଗଠନିକ ସମ୍ପାଦକ ଶ୍ରୀ ଦାସ ତାଙ୍କୁ ଟାଣି ମଞ୍ଚ ତଳକୁ ଓହ୍ଲାଇ ଆଣୁଛନ୍ତି । ଏହି ସମୟରେ ସେପଟୁ ସଭା ମଞ୍ଚକୁ ତାରା ବାହିନୀପତି ଚଢ଼ୁଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି ।
ଏହାକୁ ନେଇ ଭିନ୍ନ ଚର୍ଚ୍ଚା ହେଉଥିଲେ ମଧ୍ୟ ନିଜେ ଶ୍ରୀ ନନ୍ଦ ସ୍ୱାଭାବିକ ଉତ୍ତର ଦେଇଛନ୍ତି । କ’ଣ ଭାଇରାଲ୍ ହେଉଛି, ମୁଁ ଜାଣିନି । ମାତ୍ର ମୋତେ କେହି ଅପମାନିତ କରିନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି ।