ଭୁବନେଶ୍ୱର: ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ତଥା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ବିରୋଧରେ ଆସନ୍ତା ୭ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ ଆନ୍ଦୋଳନ ହେବ । ଜୁଲାଇ ୭ ବୁଧବାର ଦିନ ଓଡ଼ିଶାର ପ୍ରତି ବ୍ଲକ୍ ସାମ୍ନାରେ ଲୋକେ ଝାଞ୍ଜ, ଘଣ୍ଟ ମାଡ଼ କରି ପ୍ରତିବାଦ କରିବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଆନ୍ଦୋଳନ କାର୍ଯ୍ୟସୂଚୀ ଅନୁଯାୟୀ, ଜୁଲାଇ ୯ ରେ ଜିଲ୍ଲା ସଦର ମହକୁମାରେ ସାଇକେଲ ଯାତ୍ରା କରି ଏହାର ପ୍ରତିବାଦ କରାଯିବ । ଜୁଲାଇ ୧୪ ରେ ରାଜ୍ୟସ୍ତରୀୟ ପ୍ରତିବାଦ ଆନେ୍ଦାଳନ ହେବ । ଜୁଲାଇ ୧୫ ରେ ମହଙ୍ଗା ମାଡ଼ର ପ୍ରତିବାଦ ସ୍ୱରୂପ କୌଣସି ବି ପେଟ୍ରୋଲ ଟାଙ୍କିରୁ ପେଟ୍ରୋଲ ଓ ଡିଜେଲ ନ ପକାଇବାକୁ ଏବଂ ରନ୍ଧନ ଗ୍ୟାସ୍ ନ କିଣିବା ପାଇଁ ଓଡ଼ିଶାବାସୀଙ୍କୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି । ଜୁଲାଇ ୧୭ ତାରିଖ ଦିନ ସମସ୍ତ ପେଟ୍ରୋଲ ପମ୍ପ ସାମ୍ନାରେ ଦସ୍ତଖତ ଅଭିଯାନ ଆୟୋଜିତ ହେବ ।
ମାସ ବ୍ୟାପୀ ରାଜ୍ୟରେ ପ୍ରତ୍ୟେକ ବ୍ଲକ୍ ଓ ପଞ୍ଚାୟତଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ କଂଗ୍ରେସ କର୍ମୀ ଓ ନେତୃବୃନ୍ଦମାନେ ଘରକୁ ଘର ବୁଲି ଜନସାଧାରଣଙ୍କୁ ସଚେତନ କରାଇବା ସହ କଂଗ୍ରେସର ଆଭିମୁଖ୍ୟ ଲୋକଙ୍କ ପାଖରେ ପହଞ୍ଚାଇ ଜନଜାଗରଣ ସୃଷ୍ଟି କରିବେ ।
ଏହି ସମୟରେ କଂଗ୍ରେସ ନେତୃବୃନ୍ଦ କରୋନା ମହାମାରୀରେ ପ୍ରାଣ ହରାଇଥିବା ପରିବାର ବର୍ଗଙ୍କୁ ଭେଟିବେ । ସେମାନଙ୍କ ସମସ୍ୟାକୁ ତଥ୍ୟ ଆକାରରେ ପିସିସିକୁ ଦେଲେ ଏଆଇସିସିକୁ ପଠାଯିବ ବୋଲି ପିସିସି ସଭାପତି କହିଛନ୍ତି ।