ଭୁବନେଶ୍ୱର: ଆସନ୍ତାକାଲି ସକାଳ ୮ଟାରୁ ପଞ୍ଚାୟତ ନିର୍ବାଚନର ଭୋଟଗଣତି ଆରମ୍ଭ ହେବ । ଏହା ତିନି ଦିନ ଧରି ଚାଲିବ । ସବୁ ଜିଲ୍ଲ୍ା ବ୍ଲକ୍ ସଦର ମହକୁମାରେ ଭୋଟ ଗଣତି ହେବ । ୨୬ ତାରିଖ ପ୍ରଥମ ଦିନରେ ୩୧୫, ଦ୍ୱିତୀୟ ଦିନରେ ୩୦୭ ଏବଂ ତୃତୀୟ ଦିନରେ ୨୨୯ ଜିଲ୍ଲା ପରିଷଦ ଜୋନ୍ ଏବଂ ଏହା ଅନ୍ତର୍ଗତ ପଞ୍ଚାୟତଗୁଡ଼ିକର ସମସ୍ତ ପଦବୀର ଭୋଟଗଣତି ଏକ ସଙ୍ଗେ ହେବ । ସମୁଦାୟ ୨ ଲକ୍ଷ ୨୦ ହଜାର ପ୍ରାର୍ଥୀଙ୍କର ଏହା ଭାଗ୍ୟ ନିର୍ଦ୍ଧାରଣ କରିବ ।
ଭୋଟ ଗଣତି ପାଇଁ ବ୍ୟାପକ ପ୍ରସ୍ତୁତି ସରିଛି । ଗୋଟିଏ ପଞ୍ଚାୟତ ଲାଗି ଗୋଟିଏ ଟେବୁଲ୍ ରେ ଭୋଟ ଗଣତିର ବ୍ୟବସ୍ଥା ହୋଇଛି । ପ୍ରତି ଟେବୁଲ୍ ରେ ଜଣେ କାଉଣ୍ଟିଂ ସୁପରଭାଇଜର, ଦୁଇଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରହିବେ । ଗଣତିର ୧୫ ମିନିଟ୍ ପୂର୍ବରୁ ଭୋଟ ବାକ୍ସ କାଉଣ୍ଟିଂ ଟେବୁଲ୍ କୁ ଆସିବ ଏବଂ ପ୍ରାର୍ଥୀ କିମ୍ବା ସେମାନଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଗଣତି ହେବ । ନିର୍ବାଚନ ଅଫିସର ଏବଂ ଟାବୁଲେସନ୍ ଲାଗି ସ୍ୱତନ୍ତ୍ର ଟେବୁଲ୍ ର ବ୍ୟବସ୍ଥା କରାଯାଇଛି ।
ବାଲାଟ୍ ପେପର୍ ରଙ୍ଗ ଅନୁଯାୟୀ ସେମାନଙ୍କୁ ଅଲଗା କରାଗଲା ପରେ ପ୍ରଥମେ ୱାର୍ଡମେମ୍ବର, ତା’ପରେ ସରପଞ୍ଚ, ପରେ ପଞ୍ଚାୟତ ସମିତି ସଭ୍ୟ ଏବଂ ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କର ଭୋଟଗଣତି ହେବ ।
୧ ଲକ୍ଷ ୫୬ ହଜାର ୭୫୩ ୱାର୍ଡ ମେମ୍ବର, ୩୨ ହଜାର ୮୬୦ ସରପଞ୍ଚ, ୨୭ ହଜାର ୩୪ ସମିତି ସଭ୍ୟ ଏବଂ ୩,୩୩୯ ଜିଲ୍ଲା ପରିଷଦ ପ୍ରାର୍ଥୀ ଏଥର ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଛନ୍ତି ।