ଭୁବନେଶ୍ୱର: ଯାହା ଆଶା କରାଯାଉଥିଲା ସେୟା ହିଁ ହେଲା । ବିଜେପି ଓ କଂଗ୍ରେସକୁ ବହୁ ପଛରେ ପକାଇ ଆଗକୁ ମାଡ଼ଗଲାଣି ବିଜୁ ଜନତା ଦଳ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତିରେ ବିଜେଡ଼ି ମୋଟ ୩୧୫ ଜିଲ୍ଲା ପରିଷଦ ଆସନରୁ ୨୬୫ ଆସନରେ ଆଗୁଆ ରହିଛି । ବିଜେପି ୨୯ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୧୬ ଆସନରେ ଆଗୁଆ ରହିଛି ।
ପ୍ରଥମ ପର୍ଯ୍ୟାୟରେ ଆଜି ମୋଟ ୩୧୫ ଜିଲ୍ଲା ପରିଷଦ ଏବଂ ଏହା ଅଧିନସ୍ଥ ପଞ୍ଚାୟତ ଆସନଗୁଡ଼ିକର ଭୋଟ ଗଣତି ହୋଇଛି । ଅପରାହ୍ନ ସାଢ଼େ ୧ଟା ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁଯାୟୀ ବିଜେଡ଼ି ୨୬୫ ଆସନରେ ଆଗୁଆ ଥିବା ବେଳେ ମୁଖ୍ୟ ପ୍ରତିଦ୍ୱନ୍ଦୀ ବିଜେପି ମାତ୍ର ୨୯ ଜିଲ୍ଲା ପରିଷଦ ଆସନରେ ଆଗୁଆ ରହିଛି । କଂଗ୍ରେସ ୧୬ ଆସନରେ ଆଗୁଆ ଥିବା ବେଳେ ୫ ଟି ଆସନରେ ଅନ୍ୟାନ୍ୟ ଦଳ/ସ୍ୱାଧୀନ ପ୍ରାର୍ଥୀମାନେ ଆଗରେ ଅଛନ୍ତି ।
କଟକ ଜିଲ୍ଲାରେ ଭୋଟ ଗଣତି ହୋଇଥିବା ୧୧ ଜିଲ୍ଲା ପରିଷଦ ଆସନରୁ ବିଜେଡ଼ି ୯, ବିଜେପି ୧ ଏବଂ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ଆଗୁଆ ଅଛନ୍ତି । ପୁରୀରେ ୧୧ ଟି ଯାକ ଆସନରେ ବିଜେଡ଼ି ଆଗୁଆ ଅଛି । ସେହିଭଳି କେନ୍ଦ୍ରାପଡ଼ାରେ ୭ ଟି ଯାକ ଆସନରେ ବିଜେଡ଼ି ପ୍ରାର୍ଥୀ ଆଗୁଆ ଅଛନ୍ତି । ଖୋର୍ଦ୍ଧାରେ ବିଜେଡ଼ି ୬ ଏବଂ ବିଜେପି ୨ଟି ଆସନରେ ଆଗୁଆ ଅଛନ୍ତି । ନୟାଗଡ଼ରେ ବିଜେଡ଼ି ପ୍ରାର୍ଥୀ ୮ଟି ଯାକ ଆସନରେ ଆଗୁଆ ଅଛନ୍ତି ।
ସମ୍ବଲପୁରରେ ୮ଟି ଆସନରେ ବିଜେଡ଼ି ଆଗୁଆ ଥିବା ବେଳେ ବିଜେପି ଗୋଟିଏ ଆସନରେ ଆଗୁଆ ଅଛି । ବରଗଡ଼ରେ ବିଜେଡ଼ି ୮ଟି ଏବଂ ବିଜେପି ୩ଟି ଆସନରେ ଆଗୁଆ ଅଛନ୍ତି । ଦେବଗଡ଼ରେ ବିଜେଡ଼ି ୩ ଟି ଆକ ଆସନରେ ଆଗୁଆ ରହିଛି । ସୁବର୍ଣ୍ଣପୁରରେ ଗଣତି ହୋଇଥିବା ଗୋଟିଏ ଆସନରେ ବିଜେଡ଼ି ପ୍ରାର୍ଥୀ ଆଗୁଆ ଅଛନ୍ତି । ସୁନ୍ଦରଗଡ଼ରେ ବିଜେଡ଼ି ୧୩, ବିଜେପି ୧ ଏବଂ ସ୍ୱାଧୀନ ପ୍ରାର୍ଥୀ ୨ ଟି ଜାଗାରେ ଆଗୁଆ ଅଛନ୍ତି ।
ବଲାଙ୍ଗୀରରେ ବିଜେଡ଼ି ୯ ଟି ଏବଂ ବିଜେପି ଗୋଟିଏ ଆସନରେ ଆଗୁଆ ଅଛନ୍ତି । ବୋ÷ଦ୍ଧରେ ବିଜେଡ଼ି ୨ଟି ଏବଂ ବିଜେପି ଗୋଟିଏ ଆସନରେ ଆଗୁଆ ଅଛନ୍ତି ।
ଢ଼େଙ୍କାନାଳରେ ବିଜେଡ଼ି ୫ ଏବଂ ବିଜେପି ୧ ଆସନରେ ଆଗୁଆ ଥିବା ବେଳେ ଅନୁଗୁଳରେ ବିଜେପି ୪ ଟି ଏବଂ ବିଜେଡ଼ି ୪ ଟି ଆସନରେ ଆଗୁଆ ଅଛନ୍ତି । ବାଲେଶ୍ୱରରେ ବିଜେଡ଼ି ୬ ଟି ଏବଂ ବିଜେପି ଗୋଟିଏ ଆସନରେ ଆଗୁଆ ଅଛନ୍ତି । ଭଦ୍ରକରେ ବିଜେଡ଼ି ୬ଟି ଏବଂ ବିଜେପି ଗୋଟିଏ ଆସନରେ ଆଗୁଆ ଅଛନ୍ତି । କେନ୍ଦୁଝରରେ ବିଜେଡ଼ି ୯ ଏବଂ ବିଜେପି ୪ ଟି ଆସନରେ ଆଗୁଆ ଅଛନ୍ତି ।
ଗଞ୍ଜାମରେ ୨୦ ଟି ଆସନରେ ବିଜେଡ଼ି ଏବଂ ଦୁଇଟି ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ଅଛନ୍ତି । ଜଗତସିଂହପୁରରେ ୭ଟି ବିଜେଡ଼ି ଏବଂ ଗୋଟିଏ ବିଜେପି ଆଗୁଆ ଅଛନ୍ତି । ଯାଜପୁରରେ ବିଜେଡ଼ି ୭ ଏବଂ ବିଜେପି ଗୋଟିଏ ଆସନରେ ଆଗୁଆ ଅଛନ୍ତି । ଝାରସୁଗୁଡ଼ାରେ ବିଜେଡ଼ି ପ୍ରାର୍ଥୀ ୩ ଟି ଯାକ ଆସନରେ ଆଗୁଆ ଅଛନ୍ତି ।
କଳାହାଣ୍ଡିରେ ବିଜେଡ଼ି ୯ ଏବଂ ବିଜେପି ୪ ଟି ଆସନରେ ଆଗୁଆ ଥିବା ବେଳେ କନ୍ଧମାଳରେ ବିଜେଡ଼ି ୨ ଏବଂ ବିଜେପି ଗୋଟିଏ ଆସନରେ ଆଗୁଆ ଅଛନ୍ତି । ନୂଆପଡ଼ାରେ ୨ ଟି ଯାକ ଆସନରେ ବିଜେଡ଼ି ପ୍ରାର୍ଥୀ ଆଗୁଆ ଅଛନ୍ତି । ରାୟଗଡ଼ାରେ ଗୋଟିଏ ବିଜେଡ଼ି ଏବଂ ଅନ୍ୟଟି କଂଗ୍ରେସ ପ୍ରାର୍ଥୀ ଆଗୁଆ ଅଛନ୍ତି । କୋରାପୁଟରେ ଗଣତି ହୋଇଥିବା ଏକମାତ୍ର ଆସନରେ ବିଜେଡ଼ି ପ୍ରାର୍ଥୀ ଆଗରେ ଅଛନ୍ତି ।
ମାଲକାନଗିରିରେ ବିଜେଡ଼ି ୭ଟି ଯାକ ଆସନରେ ଆଗୁଆ ଥିବା ବେଳେ ମୟୁରଭଞ୍ଜରେ ବିଜେଡ଼ି ୬, ବିଜେପି ୫ ଏବଂ ଗୋଟିଏ ଆସନରେ ଜେଏମଏମ ପ୍ରାର୍ଥୀ ଆଗରେ ଅଛନ୍ତି ।
ନବରଙ୍ଗପୁରରେ ବିଜେଡ଼ି ୪ ଟି ଏବଂ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ଅଛନ୍ତି । ଗଜପତିରେ ବିଜେଡ଼ି ୨, ବିଜେପି ୧ ଏବଂ କଂଗ୍ରେସ ୩ ଟି ଆସନରେ ଆଗୁଆ ଅଛନ୍ତି ।