ଭୁବନେଶ୍ୱର: ପୁଣି ସେହି ଭୟ । ପୁଣି ମାଡ଼ି ଆସୁଛି ସେହି ଦୁର୍ଦ୍ଦଶା । କରୋନା ଯାଇନି, କି ଯାଉନି । ଲୁଚକାଳି ଖେଳୁଛି । ଏକବିଂଶ ଶତାବ୍ଦୀର ସ୍ୱାସ୍ଥ୍ୟ ବିଜ୍ଞାନକୁ ଚ୍ୟାଲେଞ୍ଜ ଦେଇ ପୁଣି ମହାମାରୀ କରୋନା ଦେଖାଉଛି ତାର କରାଳ ରୂପ । ଯୁଦ୍ଧକାଳୀନ ଭିତ୍ତିରେ ବିଶ୍ୱରେ ଆସିଲା ଟିକା । ଆର୍ଥିକ ସମୃଦ୍ଧ ପ୍ରାୟ ଅଧିକାଂଶ ଦେଶରେ ଟିକାକରଣ କହିବାକୁ ଗଲେ ସରିଯାଇଛି । ଟିକାକରଣ ସହ ସଂକ୍ରମଣ ଅତି ନିମ୍ନସ୍ତରରେ ଥିବା ବେଳେ ଧୀରେ ଧୀରେ ସ୍ୱାଭାବିକ ହେଉଥିଲା ସବୁକିଛି । ଚାପି ହୋଇ ରହିଥିବା ଅର୍ଥନୀତି ଉପରକୁ ଉଠୁଥିଲା । ଶିକ୍ଷାନୁଷ୍ଠାନରୁ ଧୀରେ ଧୀରେ ତାଲା ଖୋଲୁଥିଲା । ଜୀବନ ଯାତ୍ରା ସ୍ୱାଭାବିକ ହେଉଥିଲା । କିନ୍ତୁ ହଠାତ୍ କରୋନାର ନୂଆ ଦକ୍ଷିଣ ଆଫ୍ରିକୀୟ ଭାରିଆଣ୍ଟ ଓମିକ୍ରନ, ଏବେ ସାରା ବିଶ୍ୱରେ ପୁଣି ଆତଙ୍କ ଖେଳାଇଛି । ଏକାଧିକ ମ୍ୟୁଟେସନ୍ ପରେ ସୃଷ୍ଟି ହୋଇଥିବା ଏହି ଭୂତାଣୁ, କାଳେ ପ୍ରତିଷେଧକକୁ ପରାସ୍ତ କରିବାର ଯଥେଷ୍ଟ ପରାକ୍ରମ ରଖିଛି । ଏକଥା ଆମେ କହୁନୁ, ଖୋଦ୍ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଚେତାଇ ସାରିଲାଣି ।
ତେବେ କାହିଁକି କରୋନାର ଏହି ଭୂତାଣୁ ଏତେ ଭୟଙ୍କର ? କାହିଁକି ଟିକା ନେବା ପରେ ମଧ୍ୟ ପୁଣି ଲୋକେ ଏଥିରେ ଆକ୍ରାନ୍ତ ହେଉଛନ୍ତି ? ଏକ ବିଂଶ ଶତାବ୍ଦୀର ସ୍ୱାସ୍ଥ୍ୟ ବିଜ୍ଞାନକୁ ଆମେ ଚ୍ୟାଲେଞ୍ଜ କରୁନୁ । କିନ୍ତୁ ଚ୍ୟାଲେଞ୍ଜ କରୁଛି ଭୂତରୂପୀ ଭୂତାଣୁ । ୨୦୧୯ ମସିହାର ଶେଷ ଆଡ଼କୁ ଚୀନରେ ପ୍ରଥମେ ଦେଖା ଦେଇଥିବା କୋଭିଡ୍-୧୯ ଭୂତାଣୁ, ୨୦୨୦ ଜାନୁଆରୀ ମାସରୁ ଭାରତରେ ଦେଖାଦେଲା । ଆଉ ସେତେବେଳେ ‘ମିଡ୍-ଡେ-ଓଡ଼ିଶା’ ହିଁ ବିଶ୍ୱରେ ବିଭିନ୍ନ ସମୟରେ ଦେଖା ଦେଇଥିବା ଭୂତାଣୁ ଉପରେ ପ୍ରକାଶ କରିଥିଲା ଏକ ତଥ୍ୟ ସମ୍ବଳିତ ରିପୋର୍ଟ । ୨୦୨୦ ମେ’ ୧୨ ତାରିଖରେ ପ୍ରକାଶିତ ଏହି ରିପୋର୍ଟରେ ବିଭିନ୍ନ ଭୂତାଣୁର ଭୟାବହତା, ପ୍ରଭାବ ଏବଂ ପ୍ରକାର ଉପରେ ତୁଳନାତ୍ମକ ତଥ୍ୟ ଦେଇଥିଲା ମିଡ୍-ଡେ-ଓଡ଼ିଶା । ଆମ ଅନୁଭବରେ ସେଦିନର ସେ ରିପୋର୍ଟ ଏବେ ବି ଅନେକ ପ୍ରାସଙ୍ଗିକତା ରଖୁଛି । ପାଠକଙ୍କୁ ସ୍ମରଣ କରାଇଦେବା ଏବଂ ସେମାନଙ୍କ ଅବଗତି ନିମନ୍ତେ, ଆମେ ୨୦୨୦ ମେ’ ୧୨ ତାରିଖର ସେହି ରିପୋର୍ଟକୁ ଏହିଠାରୁ ଲିଙ୍କ୍ ଦେବାକୁ ଉଚିତ ମନେ କରୁଛୁ ।
Continue Reading