ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ୧୦ ଦିନରେ ୧୦ ହଜାରକୁ ଟପିଗଲାଣି । ଏହି ବେଗରେ ବଢ଼ିଲେ କରୋନା ପିକ୍ ଛୁଇଁଲା ବେଳକୁ ଦୈନିକ ସଂକ୍ରମଣ ୩୦ ହଜାର ଟପିବ । ଅର୍ଥାତ୍ ଦ୍ୱିତୀୟ ଲହର ପିକ୍ ସଂକ୍ରମଣଠାରୁ ଏହା ଡବଲ୍ ଉପରେ ରହିବ । ସଂକ୍ରମଣର ବର୍ତ୍ତମାନ ସ୍ଥିତିକୁ ଅନୁଧ୍ୟାନ କରି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହି ଆକଳନ କରୁଛନ୍ତି ।
ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି, ଜାନୁଆରୀ ଶେଷ ସପ୍ତାହରେ କରୋନା ପିକ୍ ରେ ପହଞ୍ଚିଯିବ । ଡେଲଟାଠାରୁ ଓମିକ୍ରନ୍ ୪ ଗୁଣା ଅଧିକ ସଂକ୍ରମିତ କରୁଛି । ତେଣୁ ଏହା ପିକ୍ ଛୁଇଁଲା ବେଳକୁ ରାଜ୍ୟରେ ଦୈନିକ ସଂକ୍ରମଣ ୩୦ ହଜାରରୁ ଅଧିକ ହେବ । ସେତେବେଳେ ଦୈନିକ ମୃତ୍ୟୁ ସଂଖ୍ୟା ୩୦ ରୁ ୪୦ ହେବ ବୋଲି ତାଙ୍କର ଆକଳନ । ଟିକାର ପ୍ରଭାବ ଉପରେ ଡା. ମହାପାତ୍ର କହିଛନ୍ତି ୬ ମାସ ତଳେ ଟିକା ନେଇଥିଲେ ତାହା କାମ କରିବ ନାହିଁ । ତେଣୁ ବୁଷ୍ଟର ଡୋଜ୍ ନେବାର ଆବଶ୍ୟକତା ଅଛି ।
ସୂଚନାଥାଉକି, ୠତକାଲି ରାଜ୍ୟରେ ୮୧, ୦୬୫ ନମୁନା ପରୀକ୍ଷଣ ହୋଇଥିଲା । ସେଥିମଧ୍ୟରୁ ୧୦, ୦୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ବର୍ଗରେ ଏଥିରେ ଅଛନ୍ତି ୮୭୨ ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩,୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୧୩୪୮, କଟକରୁ ୮୭୦, ସମ୍ବଲପୁରରୁ ୫୭୦, ମୟୁରଭଞ୍ଜ ଜିଲ୍ଲାରୁ ୪୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଟେଷ୍ଟ ପଜିଟିଭିଟି ରେଟ୍ ୧୨.୪କୁ ବଢ଼ିଯାଇଛି ।
ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ଟିଭ୍ କେସ୍ ୪୪, ୩୪୯ ରହିଛି ।
ସେପଟେ, କରୋନା ସଂକ୍ରମଣ ସମଗ୍ର ଦେଶରେ ମଧ୍ୟ ଜଟିଳ ରୂପ ନେଇଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ପାର୍ ହେବା ସହ ଟେଷ୍ଟ ପଜିଟିଭିଟି ରେଟ୍ ୧୩.୧୧% ରେ ପହଞ୍ଚିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨, ୪୭, ୪୧୭ ଆକ୍ରାନ୍ତ ।