ଭୁବନେଶ୍ୱର: ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମର ମେୟର ପଦରେ ଏଥିରେ ମହିଳାଙ୍କୁ ଦେଖିବାକୁ ମିଳିବ । ପ୍ରାରମ୍ଭିକ ଭାବେ ଏହି ଦୁଇଟି ମହାନଗର ନିଗମର ମେୟର ପଦବୀ ରାଜ୍ୟ ସରକାର ମହିଳାଙ୍କ ପାଇଁ ସଂରକ୍ଷିତ ରଖିଛନ୍ତି । ତେବେ କଟକ ମହାନଗର ନିଗମର ମେୟର ପଦବୀ ଅଣସଂରକ୍ଷିତ ରହିଛି । ଏ ସଂକ୍ରାନ୍ତୀୟ ଚିଠା ବିଜ୍ଞପ୍ତି ଆଜି ସଂଧ୍ୟାରେ ପ୍ରକାଶ ପାଇଛି । ଏହା ଉପରେ ଆପତ୍ତି ଅଭିଯୋଗ ଦାଖଲ ପାଇଁ ୧୫ ଦିନ ସମୟ ଦିଆଯାଇଛି । ଏହା ପରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ।
ପୂର୍ବରୁ ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମର ମେୟର ପଦବୀ ଅଣସଂରକ୍ଷିତ ଥିଲା । ଏଥର ମେୟର ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଥିବା ବେଳେ ଯଦି କିଛି ବ୍ୟତିକ୍ରମ ନହୁଏ ତାହାହେଲେ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଜଣେ ମହିଳା ମେୟର ଆସନରେ ବସିବେ । ମହାନଗର ନିଗମ ଗଠନ ହେବା ପରେ ଭୁବନେଶ୍ୱର ପ୍ରଥମ ମେୟର ହୋଇଥିଲେ ମିହିର ମହାନ୍ତି । ପରବର୍ତ୍ତୀ ଦୁଇଟି ଟର୍ମ ଅନନ୍ତ ନାରାୟଣ ଜେନା ଏହି ଆସନ ଦଖଲ କରିଥିଲେ ।
ସୂଚନାଥାଉକି, ଆସନ୍ତା ଏପ୍ରିଲ୍ କିମ୍ବା ମେ ମାସରେ ପୌର ଏବଂ ମହାନଗର ନିଗମ ନିର୍ବାଚନ କରିବାକୁ ରାଜ୍ୟ ସରକାର ଯୋଜନା ରଖିଥିବା କୁହାଯାଉଛି ।