ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନାକୁ ସମାଲୋଚନା କରି ଆଜି ବିଧାନସଭାରେ ଘେରିଥିଲେ ବିରୋଧୀ ଦଳ । ସରକାରୀକଳର ଅବ୍ୟବସ୍ଥାକୁ ନେଇ ଖୁବ୍ ବର୍ଷିଥିଲେ । ଆଉ ଠିକ୍ ସେତିକିବେଳେ ଓଡ଼ିଶା ସରକାରଙ୍କ କୋଭିଡ୍ ପରିଚାଳନାର ସ୍ତୁତିଗାନ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
ଆଜି ବିଧାନସଭାରେ ବିରୋଧୀ ଦଳ ପକ୍ଷରୁ କୋଭିଡ୍ ପରିଚାଳନା ବିଫଳତା ଉପରେ ମୁଲତବୀ ନୋଟିସ୍ ଜରିଆରେ ଆଲୋଚନା ହୋଇଥିଲା । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ, କୋଭିଡ୍ ପରିଚାଳନାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି । ପ୍ରବାସୀଙ୍କ ଦାୟିତ୍ୱ ସମ୍ଭାଳିବାରେ ବିଫଳ ହେବାରୁ ସଂକ୍ରମଣ ବ୍ୟାପିଥିଲା । ଏବେ ଟେଷ୍ଟିଂ କରି ଠିକ୍ ରିପୋର୍ଟ ଦେବା ଏବଂ ଚିକିତ୍ସାରେ ଅବହେଳାର ପୁଳା ପୁଳା ଅଭିଯୋଗ । କେନ୍ଦ୍ର ପଠାଇଥିବା ସବୁ ଭେଣ୍ଟିଲେଟର ବ୍ୟବହାର ହୋଇପାରିନାହିଁ । ଅଣକୋଭିଡ୍ ରୋଗୀ ଏବେ ଠିକ୍ ରେ ଚିକିତ୍ସା ସେବା ପାଉନାହାନ୍ତି ବୋଲି ଅଭିଯୋଗ କରିଥିଲେ ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, କୋଭିଡ୍ ର ତଥ୍ୟ ଓ ବାସ୍ତବତା ଭିନ୍ନ । ଆବଶ୍ୟକ ଟେଷ୍ଟ ହେଉନାହିଁ । ୪ ଦିନ ପରେ ଟେଷ୍ଟ ରିପୋର୍ଟ ଆସୁଛି । କୋଭିଡ୍ ପରିଚାଳନାରେ ପୂରା ସିଷ୍ଟମ୍ ଫେଲ୍ ମାରିଛି ।
ବିିରୋଧୀ ଦଳର ଅନ୍ୟ ସଦସ୍ୟମାନେ ମଧ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । କୋଭିଡ୍ କିଟ୍ କିଣାରେ ହୋଇଥିବା ଦୁର୍ନୀତିର ଜବାବ ମାଗିଥିଲେ ।
ଜବାବରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଥିଲେ, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ ଅଛି । ଦେଶରେ କୋଭିଡ୍ ମୃତୁ୍ୟହାର ୧.୬% ଥଇବା ବେଳେ ଓଡ଼ିଶାରେ ତାହା ୦.୩୮% । କୋଭିଡ୍ କିଟ୍ କିଣା ଦୁର୍ନୀତି ପ୍ରସଙ୍ଗରେ ମନ୍ତ୍ରୀ କହିଥିଲେ ଯେ ଏହା ଲୋକାୟୁକ୍ତଙ୍କ ନିକଟରେ ବିଚାରାଧୀନ ଅଛି । ଯିଏ ଦୋଷୀ ହେବେ କାର୍ଯ୍ୟାନୁଷ୍ଠାନ ହେବ ।
ଏପଟେ କୋଭିଡ୍ ପରିଚାଳନା ଅବ୍ୟବସ୍ଥା ନେଇ ବିଧାନସଭାରେ ବିରୋଧୀ ଦଳ ସରକାରଙ୍କୁ ଘେରିଥିବା ବେଳେ ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଆସିଛି ଭୂୟସୀ ପ୍ରଶଂସାପତ୍ର । କୋଭିଡ୍ ମୁକାବିଲାରେ ରାଜ୍ୟ ସରକାର ସମୟୋଚିତ ପଦକ୍ଷେପ ନେଇଛନ୍ତି ବୋଲି ସାର୍ଟିଫିକେଟ୍ ଦେଇଛନ୍ତି ।
ଏଥିରେ କୋଭିଡ୍ ହସ୍ପିଟାଲ୍, କୋଭିଡ୍ କେୟାର ସେଣ୍ଟର୍ ସ୍ଥାପନଠାରୁ ଆରମ୍ଭ କରି କଣ୍ଟେନମେଣ୍ଟ ଜୋନ୍ ଘୋଷଣା, ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ୍ ଯୋଦ୍ଧାଙ୍କୁ ପ୍ରୋତ୍ସାହନ, ଟେଲି ମେଡ଼ିସିନ୍ ବ୍ୟବସ୍ଥା, ପ୍ରବାସୀ ପରିଚାଳନା, ଗ୍ରାମପଞ୍ଚାୟତସ୍ତରୀୟ କୋଭିଡ୍ ପରିଚାଳନା, ମିଶନ ଶକ୍ତି ତଥା କୋଭିଡ୍ ଟେଷ୍ଟିଂ ଓ ଚିକିତ୍ସାରେ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଛି । କୋଭିଡ୍ ସୁପରିଚାଳନା ଯୋଗୁଁ ଓଡ଼ିଶାରେ ମୃତ୍ୟୁହାର କମ୍ ଏବଂ ଆରୋଗ୍ୟ ହାର ଅଧିକ ରହିଥିବା ଦର୍ଶାଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।