ନୂଆଦିଲ୍ଲୀ: ଦେଶରେ ଲୋକଙ୍କର ହାବଭାବ ଦେଖିଲେ କରୋନା ତୃତୀୟ ଲହର ଅପରିହାର୍ଯ୍ୟ ବୋଲି ଜଣାପଡୁଛି । ତାହା ପୁଣି ବିଳମ୍ବରେ ନୁହେଁ । ଆଗାମୀ ୬ ରୁ ୮ ସପ୍ତାହ ମଧ୍ୟରେ ଦେଶ ତୃତୀୟ ଲହରର ସାମନା କରିବ । ଏହି ଚେତାବନୀ ଦେଇଛନ୍ତିି ନୂଆଦିଲ୍ଲୀସ୍ଥିତ ଏମସ୍ ର ନିଦେ୍ର୍ଦଶକ ଡାକ୍ତର ରଣଦୀପ ଗୁଲେରିଆ ।
ଏନଟିଭି ଟିଭି ଚାନେଲ୍ କୁ ସାକ୍ଷାତକାର ଦେଇ ଡାକ୍ତର ଗୁଲେରିଆ କହିଛନ୍ତି, ଭାରତୀୟମାନେ କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରୁ ସେଭଳି କିଛି ଶିକ୍ଷାଲାଭ କରିଥିବା ଜଣାପଡୁନାହିଁ । ଦ୍ୱିତୀୟ ଲହର ସରି ନ ଥିଲେ ମଧ୍ୟ ଅନଲକ୍ ର ସୁଯୋଗ ନେଇ ଲୋକମାନେ ପୁଣି ଭିଡ଼ ଜମେଇଲେଣି । ପିକ୍ ବେଳେ ଦୈନିକ ୪ ଲକ୍ଷରୁ ଅଧିକ ସଂକ୍ରମଣ ଓ ହଜାର ହଜାର ଲୋକଙ୍କର ମୃତୁ୍ୟ ପରେ ବି ଲୋକମାନେ କୋଭିଡ୍ କଟକଣାର ଧଜିଆ ଉଡାଉଛନ୍ତି । ଏହାକୁ ଦେଖିଲେ ତୃତୀୟ ଲହର ପାଇଁ ଲମ୍ବା ସମୟ ଦରକାର ନାହିଁ । ୬ ରୁ ୮ ସପ୍ତାହ ଯଥେଷ୍ଟ ବୋଲି ସେ କହିଛନ୍ତି ।
ଏବେଠାରୁ ଆମେ କୋଭିଡ୍ ବିରୋଧୀ ହାବଭାବ ଠିକ୍ ରଖିଲେ ଯାଇ ତୃତୀୟ ଲହର ପ୍ରଭାବକୁ ମାତ୍ ଦେଇହେବ । ଗହଳି ନ କରିବା, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ପଡ଼ିବ । ମାଇକ୍ରୋ ଲେଭଲ୍ ରେ ସ୍ଥିତିକୁ ଦେଖି ପର୍ଯ୍ୟାୟକ୍ରମେ ଅନଲକ୍ କରାଯିବା ଦରକାର । ୫% ରୁ ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲାଗୁଡ଼ିକରେ ମିନି ଲକଡାଉନ୍ କରିବାର ଆବଶ୍ୟକତା ଅଛି । ସର୍ଭେଲାନ୍ସକୁ କଡ଼ାକଡ଼ି କରାଯାଉ । ହଟସ୍ପଟ୍ ଜିଲ୍ଲାରେ ଟେଷ୍ଟ, ଟ୍ରାକ୍ ଏବଂ ଟ୍ରିଟ୍ ଉପରେ ଡାକ୍ତର ଗୁଲେରିଆ ଗୁରୁତ୍ୱ ଦେଇଛନ୍ତି ।
ଡାକ୍ତର ଗୁଲେରିଆ କହିଛନ୍ତି କରୋନା ଭୂତାଣୁ ମୁ୍ୟଟେଟ୍ କରିଚାଲିବ । ପ୍ରଥମ ଲହରରେ ସଂକ୍ରମଣ ବେଗ ଯେତିକି ଥିଲା ଦ୍ୱିତୀୟ ଲହରରେ ତୀବ୍ରତା ବହୁତ ବଢ଼ିଗଲା । ବର୍ତ୍ତମାନ ଡେଲଟା ଭାରିଏଣ୍ଟ ଅଧିକ ବେଗରେ ସଂକ୍ରମିତ କରୁଥିବାରୁ ତୃତୀୟ ଲହରରେ ଅଧିକ ବିପଦର ସମ୍ଭାବନା ରହୁଛି । ତେବେ କୋଭିଡ୍ ନିୟମ ପାଳନ ଏବଂ ଟିକାକରଣକୁ ଜୋରଦାର କରାଗଲେ ସମ୍ଭାବ୍ୟ ବିପଦକୁ ଟାଳି ଦିଆଯାଇପାରିବ ।