ଭୁୁବନେଶ୍ୱର: ଆମ ଗହଣରୁ ଚାଲିଯାଇଛନ୍ତି ବରିଷ୍ଠ ଆଇପିଏସ ଅଫିସର ତଥା ସୁସାହିତ୍ୟିକ ଡକ୍ଟର ଦେବାଶିଷ ପାଣିଗ୍ରାହୀ(୫୬) । କରୋନାରେ ଆକ୍ରାନ୍ତ ହେବା ପରେ ଫୁସଫୁସ୍ ରେ ଗୁରୁତର ସଂକ୍ରମିତ ଦେବାଶିଷଙ୍କୁ ଇକମୋ ଚିକିତ୍ସା ପାଇଁ ଗତ ୮ ତାରିଖରେ କୋଲକତା ଏୟାରଲିଫ୍ଟ କରାଯାଇଥିଲା । କୋଲକତାର ମେଡିକା ସୁପର୍ ସ୍ପେଶିଆଲିଟି ହସ୍ପିଟାଲ୍ ରେ ତାଙ୍କର ଇକମୋ ଚିକିତ୍ସା କରାଯାଉଥିଲା । ମାତ୍ର ତାହା ସଫଳ ହୋଇନାହିଁ । ଶୁକ୍ରବାର ରାତି ୧୦.୧୫ ରେ ସେ ଆଖି ବୁଜିଦେଇଛନ୍ତି । ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।
କରୋନାରେ ଆକ୍ରାନ୍ତ ହୋଇ ଡକ୍ଟର ପାଣିଗ୍ରାହୀ ଗତ ମେ ୨୯ ତାରିଖରୁ କଟକ ଅଶ୍ୱିନୀ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । କିନ୍ତୁ ତାଙ୍କ ଅବସ୍ଥାରେ ଉନ୍ନତି ଆସି ନ ଥିଲା । ତାଙ୍କର ଏକମୋ ଚିକିତ୍ସା ଜରୁରୀ ହେବାରୁ ଗତ ୮ ତାରିଖରେ କୋଲକତା ଏୟାରଲିଫ୍ଟ କରାଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଥିଲା ଏବଂ ସେ ଯଥାଶୀଘ୍ର ସୁସ୍ଥ ହୋଇ ଫେରି ଆସନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରୁଥିଲେ । ମାତ୍ର ନିୟତିର ବିଧାନ ଅଲଗା ଥିଲା । ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି ଶ୍ରୀ ପାଣିଗ୍ରାହୀ ।
ଶ୍ରୀ ପାଣିଗ୍ରାହୀ ୧୯୬୫ ମସିହା ଅଗଷ୍ଟ ୨୯ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ୧୯୯୧ ବ୍ୟାଚ୍ ର ଏହି ଆଇପିଏସ୍ ଅଧିକାରୀ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ଦକ୍ଷ ପୁଲିସ ଅଫିସର, ସୁସାହିତ୍ୟିକ ଏବଂ ଅମାୟକ ବ୍ୟକ୍ତିତ୍ୱ ଥିଲା ତାଙ୍କର ପରିଚୟ । ଦକ୍ଷ ପୁଲିସ ଅଫିସର ଭାବେ ସେ ସବୁ ଜାଗାରେ ନିଜର ପରାକାଷ୍ଠ ଦେଖାଇଥିଲେ । କେନ୍ଦୁଝର, ଖୋର୍ଦ୍ଧା, କଟକ, ପୁରୀ, ଗଞ୍ଜାମ ଏସପି ଭାବେ ତାଙ୍କର ଦକ୍ଷତା ଓ ଲୋକପ୍ରିୟତା ଶୀର୍ଷରେ ଥିଲା । ଭିଜିଲାନସ୍ ନିଦେ୍ର୍ଦଶକ ତଥା ଅତିରିକ୍ତ ଡିଜି ଭାବେ ସେ କାର୍ଯ୍ୟରତ ଥିଲେ ।
ସେହିଭଳି, ସାହିତ୍ୟ କ୍ଷେତ୍ରରେ ତାଙ୍କର ପ୍ରତିଭା ଥିଲା ଜାଜୁଲ୍ୟମାନ । ଜଣେ ସୁସାହିତି୍ୟକ ଭାବେ ସେ ବେଶ୍ ପରିଚିତ ଥିଲେ । ୯ଟି ଉପନ୍ୟାସ ଓ ୭ଟି କ୍ଷୁଦ୍ରଗଳ୍ପ ଥିଲା ତାଙ୍କର ସୃଷ୍ଟି । କ୍ଷୁଦ୍ରଗଳ୍ପ ପାଇଁ ୨୦୦୨ ମସିହାରେ ତାଙ୍କୁ ମିଳିଥିଲା ସାହିତ୍ୟ ଏକାଡେମୀ ପୁରସ୍କାର ।