ଭୁବନେଶ୍ୱର: ପ୍ରଶାସନର ଢ଼ିଲାପଣ ଓ ଲୋକଙ୍କ ସଚେତନତା ଅଭାବରୁ ରାଜ୍ୟରେ ପୁଣି କାୟା ବିସ୍ତାର କଲାଣି କରୋନା । ଭୁବନେଶ୍ୱରରୁ ମାଲକାନଗିରି ସବୁଠି ଖରାପ ସ୍ଥିତି ଫେରିବାକୁ ବସିଲାଣି । କଟକ ପରେ ଏବେ ଭୁବନେଶ୍ୱର ଜାଭିୟର୍ ଇନଷ୍ଟିଚ୍ୟୁଟ୍ ରୁ ଏକାଥରେ ୪୫ ଜଣ ଛାତ୍ରଛାତ୍ରୀ ସଂକ୍ରମିତ ହେବା ସ୍ଥିତିକୁ ବିଗିଡ଼ାଇ ଦେଇଛି । ଏତିକିବେଳେ ମାଲକାନଗିରିରେ କାଲିଠାରୁ ନାଇଟ୍ କର୍ଫ୍ୟୁ ଲାଗୁ ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଅନ୍ୟପକ୍ଷରେ ସାରା ରାଜ୍ୟରେ ଗାଁ କୋଭିଡ୍ ପରିଚାଳନା କମିଟିକୁ ସକ୍ରିୟ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ବିଭିନ୍ନ ବିଭାଗର ସଚିବ, ସବୁ ଜିଲ୍ଲାପାଳ ଓ ଏସପିଙ୍କ ସହ କରୋନା ସ୍ଥିତିର ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀ କିଛି କଠୋର ପଦକ୍ଷେପ ନେଇପାରନ୍ତି ବୋଲି ସୂଚନା ମିଳୁଛି । ରାଜ୍ୟ ପୁଣି ଥରେ ଲକଡାଉନ୍ କୁ ଫେରିବା ଆଶଙ୍କାକୁ ଏଡାଇ ହେବ ନାହିଁ ବୋଲି କୁହାଯାଉଛି ।
ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ସରକାରୀସ୍ତରରେ ତତ୍ପରତା ବୃଦ୍ଧି ପାଇଛି । ଏହାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିଚାର ଆଲୋଚନା ଆରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଆଜି ଭିଡ଼ିଓ କନଫରେନ୍ସିଂରେ ସବୁ ଜିଲ୍ଲାପାଳମାନଙ୍କ ସହ କଥା ହୋଇଥିଲେ ।
ଗାଁ କୋଭିଡ୍ ପରିଚାଳନା କମିଟିକୁ ସକ୍ରିୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରପଞ୍ଚ, ଆଶା ଦିଦି ଓ ଅଙ୍ଗନବାଡ଼ି କର୍ମୀଙ୍କୁ ପୁଣି ଥରେ ସକ୍ରିୟ କରାଯିବ । ସେମାନେ ଲୋକଙ୍କୁ ସଚେତନ କରାଇ ସଂକ୍ରମଣ ରୋକିବା ଦିଗରେ କାର୍ଯ୍ୟ କରିବେ । ଗାଁ କୁ ଆସିଥିବା ବାହାର ଲୋକଙ୍କ ଉପରେ ୨୪ ଘଣ୍ଟା ନଜର ରଖିବାକୁ ସେମାନଙ୍କୁ କୁହାଯାଇଛି । ଆବଶ୍ୟକସ୍ଥଳେ ଲକଡାଉନ୍ ଓ ଅନ୍ୟ ପଦକ୍ଷେପ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଏସଆରସି ଶ୍ରୀ ଜେନା ସୂଚନା ଦେଇଛନ୍ତି ।
ମାଲକାନଗିରି ଜିଲ୍ଲାରେ ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୨୩ ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି । ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏହି ସମୟରେ ଅତ୍ୟାବଶ୍ୟକ କାମ ବ୍ୟତୀତ ଅନ୍ୟ କାହାରିକୁ ବାହାରେ ବୁଲିବାକୁ ଅନୁମତି ଦିଆଯିବନି ।
ଜାଭିୟର୍ ଇନଷ୍ଟିଚ୍ୟୁଟ୍ ରୁ ୪୫ ଛାତ୍ରଛାତ୍ରୀ ସଂକ୍ରମିତ ଜଣାପଡ଼ିବା ପରେ ଭୁବନେଶ୍ୱର ମହାନଗର(ବିଏମସି) ପ୍ରଶାସନ ପକ୍ଷରୁ କ୍ୟାମ୍ପସ୍ କୁ ସିଲ୍ କରି ଦିଆଯାଇଛି । କ୍ୟାମ୍ପସ୍ କୁ କାହାରିକୁ ପଶିବାକୁ ଦିଆଯାଉନାହିଁ କି କାହାରିକୁ ବାହାରିବାକୁ ଦିଆଯାଉନି । ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।
ଏଥିସହ ସହରରେ ସଂକ୍ରମଣ ଉପରେ ରୋକ୍ ଲଗାଇବାକୁ ବିଏମସି ପ୍ରଶାସନ ତତ୍ପର ହୋଇଛନ୍ତି । ଆଗକୁ ଦୋଳ ଓ ହୋଲି ପର୍ବ ଥିବାରୁ ଜନସମାଗମ ଏଡ଼ାଇବା ପାଇଁ କଟକଣା ଲାଗୁ କରାଯାଇଛି । ଦୋଳ ଉତ୍ସବ ବେଳେ ପ୍ରୋସେସନ୍ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ଯାତ୍ରା କିମ୍ବା ମୀନାବଜାରକୁ ଅନୁମତି ନାହିଁ । ଦୋଳ ବିମାନ ଯାତ୍ରାରେ ସର୍ବାଧିକ ୬ ଜଣଙ୍କୁ ଅନୁମତି ଦିଆଯିବ । ମେଳଣ ପଡ଼ିଆରେ ୬୦ ରୁ ଅଧିକ ଲୋକଙ୍କ ସମାଗମ ହୋଇପାରିବ ନାହିଁ ।
ସୂଚନାଥାଉକି, ଦୀର୍ଘ ଦିନ ଧରି ଓଡ଼ିଶାରେ କରୋନା ସଂକ୍ରମଣ ୧୦୦ ତଳେ ରହୁଥିଲା ବେଳେ ଏବେ ୧୦୦ ଉପରକୁ ଚାଲି ଆସିଛି । ଗତ ୨୪ ଘଣ୍ଟାରେ ୧୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫ ଆକ୍ରାନ୍ତ ଅଛନ୍ତି ।
ସେପଟେ ଗତ ୨୪ ଘଣ୍ଟାରେ ଦେଶରେ ୪୬,୯୫୧ ସଂକ୍ରମିତ ହୋଇଥିବା ବେଳେ ୨୧୨ ଜଣ ମୃତ୍ୟୁବରଣ କରିଛନ୍ତି । ୬ଟି ରାଜ୍ୟରେ କରୋନା ଲେଉଟାଣିର ପ୍ରକୋପ ଜୋର୍ ହୋଇଛି । ମହାରାଷ୍ଟ୍ର, ପଞ୍ଜାବ, ଗୁଜୁରାଟ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଓ କେରଳରୁ ୮୩.୧୪ ପ୍ରତିଶତ ଆକ୍ରାନ୍ତ ଅଛନ୍ତି ।