ଭୁବନେଶ୍ୱର: ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ତୃତୀୟ ଥର ପାଇଁ ଆଜି SCERT ଅଫିସରେ ପୁଣି ଛାନଭିନ୍ କରିଛି କ୍ରାଇବ୍ରାଞ୍ଚ । ଡିଏସପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ବିଭିନ୍ନ ତଥ୍ୟ ଓ ଦସ୍ତାବିଜ୍ ଯାଞ୍ଚ କରିଛି । ପୂର୍ବରୁ ଏହି ଅଫିସରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଜବତ କରିଥିଲା ତଦନ୍ତକାରୀ ଟିମ୍ । ଓସେପା ଅଫିସରୁ ବହି ଛପା, ଖର୍ଚ୍ଚ ଓ ତ୍ରୁଟି ସମ୍ପର୍କିତ ଅଧିକ ତଥ୍ୟ ଓ ଦସ୍ତାବିଜ୍ ହାସଲ କରିବା ପରେ ଆଜି ସେଗୁଡ଼ିକର ଯାଞ୍ଚ କରାଯାଇଛି ।
କ୍ରାଇମବ୍ରାଞ୍ଚ ଟିମ୍ ଗତକାଲି ଓସେପା କାର୍ଯ୍ୟାଳୟରେ ତନାଘନା କରିଥିଲା । ଡିଏସପି ଶ୍ରୀ ବେହେରାଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଉପ ନିର୍ଦ୍ଦେଶିକା ଇତିଶ୍ରୀ ନାୟକଙ୍କୁ ପଚରା ଉଚୁରା କରିଥିଲେ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କେତେ ପିଲାଙ୍କ ପାଇଁ ବହି ଛପା ହୋଇଛି, କେଉଁ ଶ୍ରେଣୀର ଓ କେଉଁ ବିଷୟର କେତେ ବହି ଛପାଯାଇଛି, ବହି ପ୍ରିଣ୍ଟ ପାଇଁ କେତେ ଟଙ୍କା କେତେ ଥର ଦିଆଯାଇଛି ସେସବୁର ତଥ୍ୟ ସଂଗ୍ରହ କରାଯାଇଥିଲା ।
ଇତିମଧ୍ୟରେ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଟିମ୍ ହାତରେ ଲାଗିଛି ସାଂଘାତିକ ତଥ୍ୟ । ଗିରଫ ହୋଇଥିବା SCERT ର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ ୩ ସହକାରୀ ନିର୍ଦ୍ଦେଶକ ଓ ଦୁଇ ଘରୋଇ ମୁଦ୍ରଣ ସଂସ୍ଥା କର୍ତ୍ତୃପକ୍ଷ ପାଠ୍ୟପୁସ୍ତକ ପ୍ରସ୍ତୁତି, ସଂଶୋଧନ, ଡିଟିପି, ଡିଜାଇନ୍, ପ୍ରିଣ୍ଟିଂ ଇତ୍ୟାଦିରେ ଭୁଲ୍ ଥିବା ଜାଣିଥିଲେ ମଧ୍ୟ ପାଠ୍ୟପୁସ୍ତକ ଆକାରରେ ମୁଦ୍ରଣ ପାଇଁ ଅନୁମତି ଦେଇଥିଲେ । ଏହାଦ୍ୱାରା ପିଲାଙ୍କ ଭବିଷ୍ୟତ ବିପଦରେ ପଢ଼ିବା ସହ ରାଜ୍ୟ ରାଜକୋଷକୁ ପ୍ରାୟ ୧୭୫ କୋଟି ଟଙ୍କା କ୍ଷତି ପହଞ୍ଚିଛି ।