ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାର ତଦନ୍ତ ଭାର ନେଇଛି କ୍ରାଇମବ୍ରାଞ୍ଚ । ପୁଲିସ ଡିଜି ସୁନୀଲ ବଂଶଲଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ତତକ୍ଷଣାତ୍ କାମ ଆରମ୍ଭ କରିଦେଇଛି । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଧରିବା ପାଇଁ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଗଠନ କରାଯାଇଛି । ଗୋଟିଏ ଟିମ୍ ରାଜ୍ୟ ଭିତରେ ସମସ୍ତ ଘଟଣାର ତଦନ୍ତ କରିବ ଏବଂ ଅନ୍ୟ ଟିମ୍ ଶର୍ମିଷ୍ଠାଙ୍କୁ ଧରିବା ପାଇଁ ରାଜ୍ୟ ବାହାରକୁ ଯିବ । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।
ମାମଲାର ଗୁରୁତ୍ୱ ଏବଂ ଏଥିରେ ତିନୋଟି ଜିଲ୍ଲା ଯୋଡି ହୋଇଥିବାରୁ କ୍ରାଇମବ୍ରାଞ୍ଚପାଇଁ ଏହା ଅଧିକ ଚାଲେଂଜ ହୋଇଛି । ଶର୍ମିଷ୍ଠା ରାଜ୍ୟ ବାହାରକୁ ପଳାଇ ଯାଇଥିବା ବିଶ୍ୱାସ କରାଯାଉଛି । ସେହି ଆଧାରରେ ତଦନ୍ତ ଆଗକୁ ନେଇଛି କ୍ରାଇମବ୍ରାଞ୍ଚ ।
ଇତିମଧ୍ୟରେ ମାନସ ଅପହରଣଠାରୁ ଆରମ୍ଭ କରି ହତ୍ୟା ଏବଂ ଶବ ପୋତିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ବ୍ୟବହୃତ ହୋଇଥିବା କାର୍ କୁ ଚାନ୍ଦବାଲି ପୁଲିସ ଶର୍ମିଷ୍ଠାଙ୍କ ସୁନ୍ଦରପଦାସ୍ଥିତ ସ୍କାଏ ଟାୱାର୍ ଆପାର୍ଟମେଣ୍ଟ୍ ବେସ୍ ରୁ ଜବତ କରିଛି । ଏହି କାର୍ ଟି ଖୋଦ୍ ଶର୍ମିଷ୍ଠାଙ୍କର ଏବଂ ଘଟଣାବେଳେ ସେ ନିଜେ ଗାଡ଼ି ଚଲାଉଥିଲେ । ଅନ୍ୟତମ ସହଯୋଗୀ ଭାଗ୍ୟଧର ମଧ୍ୟ ମଝିରେ ମଝିରେ ଗାଡ଼ି ଚଳାଉଥିଲେ । ଗାଡ଼ି ଜବତ କରିବାକୁ ଆଜି ଭୁବନେଶ୍ୱର ଆସିଥିବା ମତୋ ଫାଣ୍ଡି ଅଧିକାରୀ ବୁଦ୍ଧିରାମ ମହାନ୍ତି ଏହା ସ୍ପଷ୍ଟ କରିଛନ୍ତି ।
ଏହି ଗାଡ଼ିରେ ଚାନ୍ଦବାଲିରୁ ମାନସଙ୍କୁ ଅପହରଣ କରାଯାଇ ଭୁବନେଶ୍ୱର ଅଣାଯାଇଥିଲା । ଦୟାଲ୍ ଆଶ୍ରମରେ ତାଙ୍କୁ ହତ୍ୟା ପରେ ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳକୁ ଶବ ବୋହିବା ଏବଂ ପୋତିବା କାମରେ ମଧ୍ୟ ଏହି ଗାଡ଼ି ବ୍ୟବହାର ହୋଇଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି ।
ଶର୍ମିଷ୍ଠାଙ୍କର ଏହି ଧଳାରଙ୍ଗର ହୁଣ୍ଡାଇ ସାଣ୍ଟ୍ରୋ କାର୍(ଓଡ଼ି୦୨ ବିଏ ୬୫୯୯) ଟି କାହା ପାଇଁ ଅଚିହ୍ନା ନ ଥିଲା । ସେଥିରେ ‘ପ୍ରେସ୍’ ଏବଂ ‘ସମ୍ପୂର୍ଣ୍ଣ’ ୱେବ୍ ଚାନେଲ୍ ଷ୍ଟିକର୍ ମରାଯାଇଥିଲା । ଆପାର୍ଟମେଣ୍ଟ ଗ୍ୟାରେଜ୍ ରେ ଗାଡ଼ିଟି ଖୋଲାମେଲାରେ ରହିଥିଲା । ମାତ୍ର ଶର୍ମିଷ୍ଠାଙ୍କୁ ୨୦ ଦିନ ହେଲା ଖୋଜୁଥିବା ତଦନ୍ତକାରୀ ପୁଲିସ ନଜରକୁ ଏହା ଆସି ନ ପାରିବା ସମସ୍ତଙ୍କୁ ବିସ୍ମିତ କରିଛି । ସୁତରାଂ ଚାନ୍ଦବାଲି ପୁଲିସର ତଦନ୍ତ ପ୍ରକ୍ରିୟା କିଭଳି ଖାମ ଖିଆଲ ଥିଲା ତାହା ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି ।
ସେପଟେ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱର ରାଉତଙ୍କୁ ଚାନ୍ଦବାଲି ପୁଲିସ ଆଜି ଗିରଫ କରିଛି । ଭଉଣୀ ଆକାଉଣ୍ଟକୁ ଟଙ୍କା ପଠାଇବା ଏବଂ ତାକୁ ଫେରାର କରାଇବା ଅଭିଯୋଗ ତାଙ୍କ ବିରୋଧରେ ରହିଛି । ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ଗତକାଲି ପୁଲିସ ତାଙ୍କୁ ଉଠାଇ ଆଣିଥିଲା । ଆଜି ଅପରାହ୍ନ ୩ଟାରେ ଚାନ୍ଦବାଲି ଥାନାରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ପଚରାଉଚୁରା କଲା ପରେ କୋର୍ଟ ଚାଲାଣ କରାଯାଇଛି ।