ଭୁବନେଶ୍ୱର: ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଛନ୍ତି । ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କ ମାଡ଼ରେ ଲହୁଲୁହାଣ ହୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିବା ଏହି ବିଧାୟକ ଆଜି ସେଠାରୁ ଡିସଚାର୍ଜ ହେଲା ପରେ ପୁଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ବାଣପୁର ଜେଏମସି କୋର୍ଟରେ ଆଜି ରାତିରେ ତାଙ୍କୁ ହାଜର କରାଯିବ ।
ଗତ ୧୨ ତାରିଖରେ ବିଧାୟକ ଜଗଦ୍ଦେବଙ୍କ ଜଘନ୍ୟ କାଣ୍ଡ ଓଡ଼ିଶାବାସୀ ଦେଖିଛନ୍ତି । ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନ ପରିପ୍ରେକ୍ଷୀରେ ବାଣପୁର ବ୍ଲକ୍ ଆଗରେ ଜମା ହୋଇଥିବା ଲୋକଙ୍କ ଉପରକୁ ସେ ଗାଡ଼ି ଚଢ଼ାଇ ଦେଇଥିଲେ । ସେଥିରେ ୭ ପୁଲିସ କର୍ମଚାରୀଙ୍କ ସମେତ ୨୨ ଜଣ ଆହତ ହୋଇଥିଲେ । ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କୁ ନିସ୍ତୁକ ପିଟି ଲହୁ ଲୁହାଣ କରିଦେଇଥିଲେ । ତାଙ୍କୁ ଟାଙ୍ଗୀ ହସ୍ପିଟାଲ୍ ରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା ।
ପୁଲିସ ସେହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଥିଲା । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଏକ ସାମ୍ବାଦିକ ସମ୍ମିଳନୀରେ ଅଘଟଣ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ବାଣପୁର ଆଇଆଇସିଙ୍କ ବାରଣ ସତ୍ତ୍ୱେ ବିଧାୟକ କିଭଳି ଲୋକଙ୍କ ଗହଳି ଭିରତକୁ ପଶି ଗାଡ଼ି ଚଢ଼ାଇ ଦେଇଥିଲେ ତାହା କହିଥିଲେ । ବିଧାୟକଙ୍କ ବିରୋଧରେ ହତ୍ୟା ଉଦ୍ୟମ, କାର୍ କୁ ଅସ୍ତ୍ର ଭାବେ ବ୍ୟବହାର କରି ହତ୍ୟା ଉଦ୍ୟମ, ପୁଲିସକୁ କାର୍ଯ୍ୟରେ ବାଧା ଦେବା ଏବଂ ସାଧାରଣ ଜନତାଙ୍କୁ ଆଘାତ ଦେବା ଭଳି ଦଫା ଲାଗିଥିବା ଆଇଜି ସୂଚନା ଦେଇଥିଲେ । ବିଧାୟକ ହସ୍ପିଟାଲ୍ ରୁ ଡିସଚାର୍ଜ ହେବା କ୍ଷଣି ତାଙ୍କୁ ଗିରଫ କରି ଜେଲ୍ ପଠାଇ ଦିଆଯିବ ବୋଲି କହିଥିଲେ ।
ସେହି ଅନୁଯାୟୀ ବିଧାୟକ ଆଜି ହସ୍ପିଟାଲ୍ ରୁ ଡିସଚାର୍ଜ ହେବା କ୍ଷଣି ପୁଲିସ ତାଙ୍କୁ ଗିରଫ କରି ଭୁବନେଶ୍ୱର ଏସଡିଜେଏମଙ୍କ କୋର୍ଟରେ ହାଜର କରିଥିଲା । ସ୍ୱାସ୍ଥ୍ୟଗତ କାରଣରୁ ଜାମିନ୍ ପାଇଁ ଆଇନଜୀବୀ ଅରୂପ ଚାନ୍ଦ ବିଧାୟକଙ୍କ ପକ୍ଷରୁ ଆବେଦନ କରିଥିଲେ । ମାତ୍ର ବିଚାରପତି ତାଙ୍କୁ ବାଣପୁର ଜେଏମସି କୋର୍ଟରେ ଜାମିନ୍ ଆବେଦନ କରିବାକୁ ଆଦେଶ ଦେଇଥିଲେ । କୋର୍ଟଙ୍କ ଆଦେଶ ଅନୁଯାୟୀ ଆଜି ସଂଧ୍ୟାରେ ଏକ ସ୍ୱତନ୍ତ୍ର ଆମ୍ବୁଲାନସ୍ ଯୋଗେ ତାଙ୍କୁ ବାଣପୁର ନିଆଯାଉଛି ।
ସୂଚନାଯୋଗ୍ୟ, ବିଜେଡ଼ି ଟିକେଟରେ ଗତଥର ବେଗୁନିଆ ଏବଂ ଏଥର ଚିଲିକାରୁ ବିଧାୟକ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ତାଙ୍କ ବିରୋଧରେ ୧୦ ରୁ ଅଧିକ ଗୁରୁତର ମାମଲା ଅଛି । ଗତବର୍ଷ ସେପ୍ଟେମ୍ବରରେ ବିଜେପିର ବାଲୁଗାଁ ମଣ୍ଡଳ ସଭାପତିଙ୍କୁ ମାଡ଼ ମାରି ଗିରଫ ହୋଇଥିଲେ । ଏହି ଘଟଣାରେ ବିଜେଡ଼ି ତାଙ୍କୁ ନିଲମ୍ବନ କରିଥିଲା । ବିଜେଡ଼ିରୁ ୨ ମାସରୁ ଅଧିକ ସମୟ ନିଲମ୍ବନ ରହିଲେ ତାହାକୁ ବହିଷ୍କାର ବୋଲି ଧରିନେବାକୁ ହେବ ବୋଲି ଦଳର ସାଂସଦ ପିନାକୀ ମିଶ୍ର ସ୍ପଷ୍ଟ କରିଥିବାରୁ ପ୍ରଶାନ୍ତ ଜଗଦ୍ଦେବ ବିଜେଡ଼ିରେ ଆଉ ନ ଥିବା କୁହାଯାଇଛି ।