ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଅନ୍ୟତମ ଅଭିଯୁକ୍ତ ଭାବେ ଗତକାଲି ଗିରଫ ହୋଇ ଜେଲ୍ ଯାଇଛନ୍ତି । ଅପରାଧରେ ସେ ଯୋଡି ହେବା ପଛର କାରଣ ସେହି ମେମୋରି ଚିପ୍ ବୋଲି ବିଶ୍ୱାସ କରାଯାଉଛି । ମୁଖ୍ୟ ଅଭିଯୁକ୍ତ ୱେବ୍ ଚାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ସହ ତାଙ୍କ ଗହନ ସମ୍ପର୍କର ଅନେକ ତଥ୍ୟ ଇତିମଧ୍ୟରେ ପଦାକୁ ଆସିଗଲାଣି ।
ମାନସଙ୍କ ଅପହରଣଠାରୁ ହତ୍ୟା ସବୁଠି ନିରଞ୍ଜନ ସେଠୀ ଥିଲେ ବୋଲି ଗତକାଲି ଭଦ୍ରକ ଅତିରିକ୍ତ ଏସପି ସ୍ପଷ୍ଟ କରିଥିଲେ । ଭୁବନେଶ୍ୱରରେ ଥାଇ ସେ ମାନସଙ୍କୁ ଚାନ୍ଦବାଲିରୁ ଅପହରଣର ପ୍ଲଟ୍ ତିଆରି କରିଥିଲେ । ଦୟାଲ୍ ଆଶ୍ରମରେ ମାନସଙ୍କୁ ପିଟିଥିଲେ । ମାନସଙ୍କ ଶବକୁ କେଉଁଠି ପୋତି ରଫାଦଫା କରାଯିବ ତାହାର ମଧ୍ୟ ପ୍ଲାନ୍ କରିଥିଲେ ନିରଞ୍ଜନ ।
ନିରଞ୍ଜନ ସେଠୀ ହୁଏତ ସହଜରେ ଧରାପଡ଼ି ନ ଥାନ୍ତେ ଯଦି ମାନସ ଅପହରଣଠାରୁ ମୃତଦେହ ମିଳିବା ପର୍ଯ୍ୟନ୍ତ ଶର୍ମିଷ୍ଠା ରାଉତଙ୍କ ସହ ସେ ବାରମ୍ବାର ଫୋନ୍ ରେ କଥା ହୋଇ ନଥାନ୍ତେ । ଏହି ଫୋନ୍ କଲ୍ ହିଁ ତାଙ୍କୁ ଧରାଇଦେଇଛି । ଆଶ୍ଚର୍ଯ୍ୟର କଥା କି ମାନସ ନିଖୋଜ ପରଠୁ ନିରଞ୍ଜନ ଦିନକୁ ୨୦ରୁ ୩୦ ଥର ଶର୍ମିଷ୍ଠାଙ୍କୁ ଫୋନ୍ କରୁଥିଲେ । କଲ୍ ଡିଟେଲ ଲୋକେସନ୍ ଆନାଲିସିସ୍ ରୁ ପୁଲିସ ଏହି ତଥ୍ୟ ହାସଲ କରିଛି । ମାନସ ଅପହରଣ ଦିନ ନିରଞ୍ଜନ ଦୟାଲ୍ ଆଶ୍ରମରେ ସାଢ଼େ ୩ ଘଣ୍ଟା ରହିଥିବା ସିସିଟିଭି କ୍ୟାମେରାରୁ ଜଣାପଡ଼ିଛି ।
ଶର୍ମିଷ୍ଠାଙ୍କ ମାଲିକାନାରେ ପାକ୍ଷିକ ପତ୍ରିକା ‘ସମ୍ପୂର୍ଣ୍ଣା’ କୁ ସରକାରୀ ସ୍ୱୀକୃତି ଦେବା ପଛରେ ଏହି ନିରଞ୍ଜନ ସେଠୀଙ୍କ ଭୂମିକା ପଦାକୁ ଆସିସାରିଛି । ଫେବ୍ରୁଆରୀ ୨୮ ତାରିଖରେ ତାଙ୍କର ଅବସରଦିନ ହିଁ ସେ ଏହି ପତ୍ରିକାକୁ ସ୍ୱୀକୃତି କରାଇ ଦେଇଥିଲେ । ଏହି ସବୁ ତଥ୍ୟରୁ ଶର୍ମିଷ୍ଠା ଏବଂ ନିରଞ୍ଜନଙ୍କ ଗହନ ସମ୍ପର୍କର ପ୍ରମାଣ ମିଳୁଛି ।
ଶର୍ମିଷ୍ଠାଙ୍କ ଭାଇଙ୍କୁ ବିଜୟୱାଡାରୁ ଉଠାଇ ଆଣିଲା ପୁଲିସ
ମାନସ ସ୍ୱାଇଁ ଅପହରଣ ଓ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଖୋଜି ଖୋଜି ପୁଲିସ ଆଜି ପହଞ୍ଚିଛି ତାଙ୍କ ଭାଇ ପାଖରେ । ଆନ୍ଧ୍ର ପ୍ରଦେଶର ବିଜୟୱାଡାରୁ ଶର୍ମିଷ୍ଠାର ଭାଇ ପରମେଶ୍ୱର ରାଉତଙ୍କୁ ପୁଲିସ ଉଠାଇ ଆଣିଛି । ଭଉଣୀକୁ ଫେରାର କରାଇବାରେ ପରମେଶ୍ୱରଙ୍କ ହାତ ଥିବା ପୁଲିସ ଜାଣିବାକୁ ପାଇଛି । ତେବେ ଶର୍ମିଷ୍ଠା ବିଜୟୱାଡାରେ ନ ଥିବା ପୁଲିସ ସୂତ୍ରରୁ ଖବର ମିଳିଛି ।
ଶର୍ମିଷ୍ଠାଙ୍କ ଘର ଓ ଅଫିସ୍ ରେଡ୍
ଆଜି ସଂଧ୍ୟାରେ ଚାନ୍ଦବାଲି ପୁଲିସ ଶର୍ମିଷ୍ଠାଙ୍କ ଭୁବନେଶ୍ୱରସ୍ଥିତ ବାସଭବନ ଏବଂ ଅଫିସ୍ ରେଡ୍ କରିଛି । ତିନିଜଣିଆ ପୁଲିସ ଟିମ୍ ଏୟାରଫିଲଡ୍ ଥାନା ଅନ୍ତର୍ଗତ ସ୍କାଏ ଟାୱାର୍ ଆପାର୍ଟମେଣ୍ଟ ଏବଂ ତାଙ୍କର “ସମ୍ପୂର୍ଣ୍ଣା’ ଅଫିସ ଉପରେ ରେଡ୍ କରିଥିଲା । ଉଭୟ ଜାଗାରୁ ପୁଲିସ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି । ତେବେ ଫେରାର ଶର୍ମିଷ୍ଠାଙ୍କ ଟେର୍ ଜାଣିବାରେ ପୁଲିସ ସଫଳ ହୋଇ ନ ଥିବା ଜଣାପଡ଼ିଛି ।
ଦୁଇମନ୍ତ୍ରୀଙ୍କ ଆଡକୁ ଅଙ୍ଗୁଳି ଉଠାଇଲେ ମାନସଙ୍କ ପତ୍ନୀ
ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାରେ ବଡ଼ବଡ଼ିଆଙ୍କ ଭୂମିକା ପଦାକୁ ଆସିଲାଣି । ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଅନ୍ୟତମ ଅଭିଯୁକ୍ତ ଭାବେ ଗିରଫ ହୋଇଛନ୍ତି । ଏହି ମାମଲାରେ ଆଉ କିଛି ବଡ଼ବଡ଼ିଆ ସଂପୃକ୍ତ ବୋଲି ଚର୍ଚ୍ଚା ଜୋର୍ ଧରିଥିବା ବେଳେ ମୃତ ମାନସଙ୍କ ପତ୍ନୀ ଆଜି ଗଣମାଧ୍ୟମରେ ବିସ୍ଫୋରକ ବୟାନ ଦେଇଛନ୍ତି । ସିଧାସଳଖ ଭାବେ ସେ ମନ୍ତ୍ରୀ ପ୍ରତାପ ଜେନା ଏବଂ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ନେଇଛନ୍ତି । ଘଟଣାରେ ଏହି ଦୁଇମନ୍ତ୍ରୀଙ୍କ ହାତ ଅଛି, ସେମାନଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ।
ମାନସଙ୍କ ପତ୍ନୀ କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ସହ ଏହି ଦୁଇ ମନ୍ତ୍ରୀଙ୍କର ଫଟୋ ଆସିଛି । ତେଣୁ ସେମାନଙ୍କର ହାତ ଥିବାର ସନ୍ଦେହ ହେଉଛି । ମାନସଙ୍କ ପାଖରେ ଏକ ଚିପ୍ ଥିଲା । ସେହି ଚିପ୍ ରେ ସେହି ମ୍ୟାଡାମ୍ ଙ୍କର କିଛି କଳା ଗୁପ୍ତ ଜିନିଷ ଥିଲା । ଦୁନିଆ ଆଗରେ ଖୋଲିଯିବ ବୋଲି ସେମାନେ ମାରିଛନ୍ତି । ସେହି ଚିପ୍ କୁ ଧରିଲେ ସବୁ ରହସ୍ୟ ଜଣାପଡ଼ିବ ।