ଭୁବନେଶ୍ୱର: ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଉନ୍ନୟନ ନିଗମ(ଓଆରଏଚଡିସି) ଦୁର୍ନୀତି ମାମଲାରେ ଭୁବନେଶ୍ୱର ଭିଜିଲାନସ କୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦଣ୍ଡାଦେଶ ଶୁଣାଇଛନ୍ତି । ମେଟ୍ରୋ ବିଲଡର୍ସ ଏମଡି ତଥା କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଙ୍କ ସମେତ ଓଆରଏଚଡିସି ପୂର୍ବତନ ଏମଡି ବିନୋଦ କୁମାର, ପୂର୍ବତନ କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଂଜନ ମହାନ୍ତି ଓ ମେଟ୍ରୋ ବିଲଡର୍ସ ନିର୍ଦ୍ଦେଶକ ପିୟୂଷ ମହାନ୍ତିଙ୍କୁ ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ହୋଇଛି । ମେଟ୍ରୋ ବିଲଡର୍ସକୁ ଅନୁଚିତ ଅନୁଗ୍ରହ ଦେଖାଇ ଦେଢ଼କୋଟି ଟଙ୍କା ଋଣ ଦେବା ମାମଲାରେ ଏହି ଦଣ୍ଡ ଦେଇଛନ୍ତି ଭିଜିଲାନସ୍ କୋର୍ଟ ।
ପୂର୍ବତନ ଆଇଏଏସ ଅଧିକାରୀ ବିନୋଦ କୁମାର ଓଆରଏଚଡିସି ଏମଡି ଥିଲା ବେଳେ ଏହି ଋଣ କାରବାର ହୋଇଥିଲା । ଗ୍ରାମ୍ୟ ଗୃହ ନିର୍ମାଣ ପାଇଁ ଉଦ୍ଦିଷ୍ଟ ଋଣଟଙ୍କାକୁ ସେ ବେଆଇନ ଭାବରେ ମେଟ୍ରୋ ବିଲଡର୍ସକୁ ଦେଇଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ କାଗଜପତ୍ରରେ ଜାଲିଆତି କରାଯାଇଥିଲା । ମେଟ୍ରୋ ବିଲଡର୍ସର ଜାଲ୍ କାଗଜପତ୍ର ରଖି ଏମଡି ଅନୁଚିତ ଭାବରେ ଦେଢ଼କୋଟି ଟଙ୍କା ଋଣ ମଂଜୁରୀ କରିଥିଲେ ।
ଏହି ଅଭିଯୋଗ ଉପରେ ଭିଜିଲାନସ୍ ବିଭାଗ ପକ୍ଷରୁ ୧୩(୨), ୧୨୦(ବି), ୪୨୦, ୪୬୮, ୪୭୧ ଧାରାରେ ମାମଲା ରୁଜୁ ହୋଇ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଦୀର୍ଘ ଦିନର ଶୁଣାଣି ପରେ ଭିଜିଲାନସ୍ କୋର୍ଟ ଆଜି ରାୟ ଶୁଣାଇଥିଲେ ।
ଭିଜିଲାନସ୍ କୋର୍ଟ ଦଣ୍ଡାଦେଶ ବିରୋଧରେ ହାଇକୋର୍ଟରେ ଅପିଲ କରାଯିବ ବୋଲି ବିଧାୟକ ଶ୍ରୀ ମୋକିମ୍ କହିଛନ୍ତି । ତାଙ୍କୁ ଏହି କେସ୍ ରେ ଫସାଇ ଦିଆଯାଇଛି ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ଓଆରଏଚଡିସିରୁ ଋଣ ନେବାର କିଛି ଜାଲିଆତି ହୋଇନାହିଁ । ଦେଢ଼କୋଟି ଟଙ୍କା ଋଣ ନିଆଯାଇଥିଲା ଏବଂ ୧ କୋଟି ୨୬ ଲକ୍ଷ ସୁଝା ସରିଲାଣି ବୋଲି ସେ କହିଛନ୍ତି ।
ସୂଚନାଥାଉକି, ଜଣେ ବିଧାୟକ କୌଣସି ଅପରାଧିକ ମାମଲାରେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ସର୍ବନିମ୍ନ ଦୁଇବର୍ଷ କାରାଦଣ୍ଡ ପାଇଲେ ତାଙ୍କର ସଭ୍ୟପଦ ରଦ୍ଦ ହେବାର ନିୟମ ରହିଛି । ତେବେ ତଳ କୋର୍ଟର ଆଦେଶକୁ ୧ ମାସ ମଧ୍ୟରେ ଉପରକୋର୍ଟରେ ଚାଲେଂଜ କଲେ ତାଙ୍କୁ ବିରତି ମିଳିବ ।