କଟକ: ଅର୍ଥସର୍ବସ୍ୱ ଦୁନିଆରେ ସ୍ୱାର୍ଥପର ମଣିଷଙ୍କର ଅଭାବ ନାହିଁ । ରକ୍ତ ସମ୍ପର୍କର ବାହାରକୁ ଯାଇ ମଣିଷଟି ବିନା ମତଲବରେ କାହାରିକୁ ଟଙ୍କାଟିଏ ମୂର୍ଚ୍ଛିବା କ୍ୱଚିତ ଦେଖିବାକୁ ମିଳେ । ବରଂ ମଣିଷ ଯାହାଠୁ ବେଶୀ ଉପକାର ପାଏ, ତାକୁ ଖୋଜି ଖୋଜି ଆଗ ମାରିବାର ଉଦାହରଣ ଅଧିକ । ତେବେ ଏହାର ଏକ ବଡ଼ ବ୍ୟତିକ୍ରମ ସାମନାକୁ ଆସିଛି । ସ୍ନେହ, ପ୍ରେମ ଓ ବିବେକ ଆଗରେ ସମ୍ପତ୍ତି ତୁଚ୍ଛ ବୋଲି ଦୁନିଆକୁ ଦେଖାଇଛନ୍ତି ୬୩ ବର୍ଷୀୟା କଟକର ମିନତୀ ପଟ୍ଟନାୟକ । ସ୍ୱାମୀ ଓ ଏକମାତ୍ର ଝିଅକୁ ହରାଇଲା ପରେ ନିଜର ସବୁ ସମ୍ପତ୍ତି ଟେକିଦେଇଛନ୍ତି ଆପଣାର କରିଥିବା ଜଣେ ରିକ୍ସାବାଲାକୁ । ଅବଶିଷ୍ଟ ଜୀବନ ସେହି ରିକ୍ସାବାଲା ସାହାରାରେ କାଟିବାକୁ ନିଷ୍ପତ୍ତି ନେଇଛନ୍ତି ।
ସମ୍ବଲପୁର ଝିଅ ମିନତୀ କଟକ ସୁତାହାଟ ଅଞ୍ଚଳର କୃଷ୍ଣକୁମାର ପଟ୍ଟନାୟକଙ୍କୁ ବିବାହ କରି ସଂସାର ଗଢ଼ିଥିଲେ । ଗୋଟିଏ ବୋଲି ଝିଅ । ଧନ ସମ୍ପତ୍ତି, ପ୍ରାଚୁର୍ଯ୍ୟର ଅଭାବ ନ ଥିଲା । ତେବେ ସେମାନଙ୍କ ସୁଖର ସଂସାରକୁ ଦଇବ ସହିପାରିଲାନି । ୨୦୨୦ ଜୁଲାଇ ମାସରେ ସ୍ୱାମୀ କୃଷ୍ଣକୁମାର ଆରପାରିକୁ ଚାଲିଗଲେ । ଜୀବନ ନାଆରେ ମିନତୀ ଏକୁଟିଆ ହୋଇଗଲେ । ଏକମାତ୍ର ଝିଅ କମଲକୁୁମାରୀ ମୁହଁକୁ ଚାହିଁ ଅବଶିଷ୍ଟ ଜୀବନ କାଟିବାର ଶପଥ ନେଇ ସ୍ୱାମୀଙ୍କ ଦୁଃଖ ଭୁଲିବାକୁ ଚେଷ୍ଟା କରୁଥିଲେ । ମାତ୍ର ନିୟତିର ଯୋଜନା ସେୟା ନ ଥିଲା । ସ୍ୱାମୀଙ୍କ ମୃତ୍ୟୁର ୬ ମାସ ପରେ ୨୦୨୧ ଜାନୁଆରୀ ମାସରେ ଝିଅ ବି ତାଙ୍କୁ ଏକାକରି ଆରପାରିକୁ ଚାଲିଗଲା । ହୃଦଘାତ୍ ରେ ଝିଅ ଚାଲିଯିବା ପରେ ମିନତୀ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଲେ । ବଞ୍ଚିବା ତାଙ୍କ ପାଇଁ ଦୁର୍ବିସହ ହୋଇଗଲା ।
ଠିକ୍ ଏଇ ମୁହୁର୍ତ୍ତରେ ଜୀବନକୁ ଭିନ୍ନ ଭାବରେ ଅନୁଭବ କଲେ ମିନତୀ । ଝିଅର ଶୁଦ୍ଧିକ୍ରିୟା ସରିବା ପରେ ଆତ୍ମୀୟ ଓ ବନ୍ଧୁବାନ୍ଧବମାନେ ତାଙ୍କୁ ଘୃଣା ଦୃଷ୍ଟିରେ ଦେଖି ଦୂରେଇ ଗଲେ । ତେବେ ନିଜ ଲୋକମାନେ ନାକ ଟେକି ପର କରିଦେଲା ବେଳେ ପର ମଣିଷ ବୁଢ଼ା ସାମଲ କିନ୍ତୁ ତାଙ୍କୁ ନିଜର କରିଦେଲେ । ବିନା ସ୍ୱାର୍ଥରେ ସେ ଏବଂ ତାଙ୍କ ପତ୍ନୀ ମିନତୀଙ୍କ ପାଖେ ପାଖେ ରହି ସେବା ସୁଶ୍ରୁଷା କଲେ । ଆଗରୁ ସମ୍ମାନ ଓ ଭଲ ପାଇବା କାରଣରୁ ସେବା କରୁଥିଲେ ମାତ୍ର ଏବେ ମିନତୀଙ୍କ ଦେଖାଶୁଣାକୁ ସେମାନେ ଦାୟିତ୍ୱ ଭାବିଦେଲେ ସେହି ଅଶିକ୍ଷିତ ଦମ୍ପତ୍ତି ।
ରିକ୍ସାବାଲା ବୁଢ଼ା ସାମଲ ସହ ୨୫ ବର୍ଷ ତଳେ ପରିଚୟ ହୋଇଥିଲା । ସେତେବେଳେ ଝିଅକୁ ସ୍କୁଲ ନେଉଥିଲେ । ଆଉ ପରିବାର ସଦସ୍ୟଙ୍କ ଯିବା ଆସିବାରେ ସବୁବେଳେ ଲୋଡା ହେଉଥିଲେ ବୁଢ଼ା । ଘରର ବୋଲହାକ ବି କରୁଥିଲେ । ଏହା କ୍ରମଶଃ ସମ୍ପର୍କ ପାଲଟିଗଲା । ଆତ୍ମୀୟ ପରି ଘରର ସବୁ କାମରେ ସାହାଯ୍ୟ କରୁଥିଲେ ବିଶ୍ୱସ୍ତ ବୁଢ଼ା । ମା’ ଏକା ହୋଇଗଲା ପରେ ତାଙ୍କର ସବୁ କଷ୍ଟ ନିଜ ଉପରକୁ ନେଇଗଲେ । ପତ୍ନୀଙ୍କ ସହ ମିଶି ମା’ ଙ୍କର ଯାବତୀୟ ସେବା ସୁଶ୍ରୁଷା କଲେ । ସେମାନଙ୍କର ଦୁଇପୁଅ ବି ମା’ ଙ୍କ ସେବାରେ ରହିଲେ ।
ଆଉ ପ୍ରତିଦାନସ୍ୱରୂପ ପାଇଛନ୍ତି ଗୋଟେ ଗୁଣ୍ଠ ଜମି, ତିନି ମହଲାର ଘର, ଅଳଙ୍କାର, ଟଙ୍କାପଇସା । ବୁଢ଼ା ପରିବାରର ସେବା ଓ ଆଚାର ବ୍ୟବହାରରେ ମୁଗ୍ଧ ମିନତୀ ତାଙ୍କର ଏହି ସବୁ ସମ୍ପତ୍ତି ବୁଢ଼ା ସାମଲକୁ ଦାନ କରିଦେଇଛନ୍ତି । ଏସବୁ ସମ୍ପତ୍ତିର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ । ଓକିଲଙ୍କ ଉପସ୍ଥିତିରେ ଆଜି ଏସବୁ କାଗଜପତ୍ର ସେ ବୁଢ଼ାକୁ ହସ୍ତାନ୍ତର କରିଛନ୍ତି ।
ଏଥିପାଇଁ ଆତ୍ମୀୟମାନେ ତାଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ମଧ୍ୟ ମିନତୀ ଖାତିର କରିନାହାନ୍ତି । ସେ କହିଛନ୍ତି, ତାଙ୍କର ଏହି ଅବସ୍ଥାରେ ସମ୍ପତ୍ତିବାଡ଼ି ମୂଲ୍ୟହୀନ । ଯେଉଁ ଲୋକ ତାଙ୍କର କଷ୍ଟ ଜୀବନରେ ଏତେ ସେବା, ସ୍ନେହ ଦେଇଛି ତାକୁ ସେ ଦେବେନି ତ ଆଉ କାହାରିକୁ ଦେବେ? ବୁଢ଼ା ପାଖରେ ମୁଁ ଚିର ଋଣୀ । ସେ ହିଁ
ମୋ ସମ୍ପତ୍ତି ପାଇବାକୁ ହକଦାର ଥିଲା ବୋଲି ସେ ଗଣମାଧ୍ୟମକୁ କହିଛନ୍ତି ।
ରିକ୍ସାବାଲା ବୁଢ଼ା ଏତେ ସମ୍ପତ୍ତିର ଅଧିକାରୀ ହୋଇ ଖୁସି ହୋଇଥିଲେ ବି ତାଙ୍କର ସେଥିପ୍ରତି ଆଗ୍ରହ ନଥିଲା କି ନାହିଁ ବୋଲି କହିଛନ୍ତି । ସେ କହିଛନ୍ତି, ମୋ ଭଳି ଜଣେ ଗରିବ, ଖଟିଖିଆ ମଣିଷକୁ ଏତେ ସମ୍ପତ୍ତି ମିଳିବା ଏକ ଚମତ୍କାର । ପଟ୍ଟନାୟକ ପରିବାର ସହ ଦୀର୍ଘ ବର୍ଷ ଧରି ରହି ଆସିଛି । ମା’ ଙ୍କ ବଳକା ଜୀବନର ସେବା ଦାୟିତ୍ୱ ମୁଁ ଓ ମୋର ପରିବାରବର୍ଗ ନେଇଛୁ । ଏଥିରେ ତିଳେ ମାତ୍ର ଊଣା ହେବ ନାହିଁ, ବରଂ ଦାୟିତ୍ୱ ଆହୁରି ବଢ଼ିଗଲା ବୋଲି ସେ କହିଛନ୍ତି ।
ମିନତୀଙ୍କର ମାନବିକତା ଓ ମଣିଷପଣିଆ ଏକ ଉଦାହରଣ ସୃଷ୍ଟି କରିଛି । ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲିଟିଛି ।